ଚେନ୍ନାଇ: ପିନ୍ଧିଛନ୍ତି ୟୁନିଫର୍ମ। କାନ୍ଧରେ ସ୍କୁଲ ବ୍ୟାଗ, ହାତରେ ବିୟର ବୋତଲ। ଢ଼କ ଢ଼କ କରି ପିଉଛନ୍ତି ମଦ। ତାମିଲନାଡୁର କନ୍ୟାକୁମାରୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ତୁକ୍କଲେ ଅଞ୍ଚଳର ଏକ ସରକାରୀ ହାୟର ସେକେଣ୍ଡାରୀ ସ୍କୁଲର କ୍ଲାସରୁମ୍ରେ କିଛି ଛାତ୍ରୀ ମଦ୍ୟପାନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ସାମ୍ନାକୁ ଆସିବା ପରେ ସ୍କୁଲ ପରିଚାଳନା ଓ ପ୍ରଶାସନ ମହଲରେ ଚାଞ୍ଚଲ୍ୟ।

ଭାଇରାଲ ଭିଡିଓରେ କିଛି ଛାତ୍ରୀ କ୍ଲାସରୁମରେ ବସିଥିବା ଦେଖାଯାଉଛି। ସେମାନଙ୍କ ସାମ୍ନାରେ ଟେବୁଲ ଉପରେ କିଛି ବୋତଲ ସହ ଖାଦ୍ୟ ସାମଗ୍ରୀ ରହିଥିବା ଦେଖାଯାଉଛି। ଭିଡିଓରେ ଛାତ୍ରୀମାନେ ମଦ ଓ ବାହାରୁ ଆଣିଥିବା ଖାଦ୍ୟ ସାମଗ୍ରୀକୁ ନେଇ ପରସ୍ପର ମଧ୍ୟରେ କଥା ହେଉଥିବା ଶୁଣିବାକୁ ମିଳୁଛି।

ସୂଚନା ଅନୁସାରେ, ସ୍କୁଲର ଜଣେ ଛାତ୍ର ଲୁଚିକରି ଏହି ଭିଡିଓ ରେକର୍ଡ କରିଥିବା କୁହାଯାଉଛି। ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ନଜରକୁ ଆସିବା ପରେ ସ୍କୁଲ ପରିଚାଳନା ଉପରେ ପ୍ରଶ୍ନ ଉଠିଛି।

ଏହି ଘଟଣା ଅଗଷ୍ଟ ୧ ତାରିଖର ବୋଲି ଜଣାପଡ଼ିଛି। ସେଦିନ ଶନିବାର ଥିବା ବେଳେ ସ୍କୁଲରେ NEET ଓ JEE ଭଳି କମ୍ପିଟେଟିଭ ପରୀକ୍ଷା ପାଇଁ ସ୍ୱତନ୍ତ୍ର କୋଚିଂ କ୍ଲାସ ଚାଲିଥିଲା। କ୍ଲାସ ଶେଷ ହେବା ପରେ କିଛି ଛାତ୍ରୀ ସ୍କୁଲରେ ରହିଥିବା ସମୟରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଭିଡିଓରେ ଦେଖାଯାଉଥିବା ଛାତ୍ରୀମାନେ ପ୍ରକୃତରେ ସେହି ସ୍କୁଲର ଛାତ୍ରୀ କି ନୁହନ୍ତି, ତାହା ଏବେ ତଦନ୍ତ କରାଯାଉଛି।

ଘଟଣା ସାମ୍ନାକୁ ଆସିବା ପରେ କନ୍ୟାକୁମାରୀ ଜିଲ୍ଲା ପ୍ରଶାସନ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛି। ଏହା ସହ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ଇଭାଞ୍ଜେଲିନଙ୍କୁ ନାଗରକୋଇଲର ବଡାସେରୀ ଅଞ୍ଚଳର ଅନ୍ୟ ଏକ ସରକାରୀ ସ୍କୁଲକୁ ବଦଳି କରାଯାଇଛି।

ଏବେ ପ୍ରଶାସନର ତଦନ୍ତର ମୁଖ୍ୟ ପ୍ରଶ୍ନ ହେଉଛି—ସ୍କୁଲ ପରିସରକୁ ମଦ ବୋତଲ କିପରି ପହଞ୍ଚିଲା ? ଶିକ୍ଷକ କିମ୍ବା ସୁରକ୍ଷାକର୍ମୀଙ୍କ ନଜରକୁ ଏହା କିପରି ଆସିଲା ନାହିଁ? ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାରେ ଯେଉଁମାନେ ଦୋଷୀ ଥିବେ, ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Watch Video-