ତେହେରାନ, ୧୦/୦୪ : ପ୍ରାଣ ହରାଇଲେ ଇରାନର ଅନ୍ୟ ଜଣେ ଟପ୍ ନେତା । ଇସ୍ରାଏଲର ମିସାଇଲ ଆକ୍ରମଣରେ ଆହତ ହୋଇଥିବା ଇରାନୀ ନେତା ତଥା ଷ୍ଟ୍ରାଟେଜିକ୍ କାଉନସିଲର ମୁଖ୍ୟ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ କମଲ୍ ଖରାଜୀ ପ୍ରାଣ ହରାଇଛନ୍ତି । ୫ ଦିନ ଧରି ଗୁରୁତର ହୋଇ ଚିକିତ୍ସିତ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି । ଏନେଇ ଇରାନ୍ ଗଣମାଧ୍ୟମ ସୂଚନା ଦେଇଛି ।

​​​​​​​Also Read :-ଶାନ୍ତି ଚୁକ୍ତି କରିପାରନ୍ତି ରୁଷ୍-ୟୁକ୍ରେନ; ୩୨ ଘଣ୍ଟା ଯୁଦ୍ଧବିରତି ଘୋଷଣା: ରିପୋର୍ଟ

ଘରେ ଥିବା ବେଳେ ଆକ୍ରମଣ

ଖରାଜୀ ତେହେରାନ ସ୍ଥିତ ନିଜ ବାସଭବନରେ ଥିବା ବେଳେ ମିସାଇଲ୍ ମାଡ ହୋଇଥିଲା । ଏଥିରେ ସେ ଗୁରୁତର ହୋଇଥିଲେ । ଆକ୍ରମଣରେ ତାଙ୍କ ପତ୍ନୀ ମଧ୍ୟ ପ୍ରାଣ ହରାଇଛନ୍ତି । ଚଳିତ ସପ୍ତାହର ଆରମ୍ଭରେ ତାଙ୍କ ଉପରେ ମିସାଇଲ୍ ଆଟାକ୍ ହୋଇଥିଲା ।

ଇରାନ ରାଜନୀତିରେ ଦବଦବା

ସେ ଇରାନ ରାଜନୀତିରେ ସକ୍ରିୟ ରହିଥିଲେ । ସରକାରରେ ତାଙ୍କର ଖୁବ୍ ଦବଦବା ରହିଥିଲା । ୧୯୯୭ରୁ ୨୦୦୫ଯାଏଁ ସେ ବୈଦେଶିକ ମନ୍ତ୍ରୀ ରହିଥିଲେ ।୨୦୦୬ରେ ଇରାନ ଷ୍ଟ୍ରାଟେଜିକ୍ କାଉନସିଲର ତାଙ୍କୁ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା ।

ଯୁଦ୍ଧ ବିରତି ପରେ ସାମାନ୍ୟ ଆଶ୍ୱସ୍ତି

ବନ୍ଦ ହୋଇଛି ଯୁଦ୍ଧ । ଆଣ୍ଠେଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍ । ୩୮ ଦିନ ଧରି ଚାଲିଥିବା ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧରେ ବିରାମ ଲାଗିଛି । ଇରାନର 'ସମ୍ପୂର୍ଣ୍ଣ ସଭ୍ୟତା'କୁ ନିଶ୍ଚିହ୍ନ କରିଦେବାକୁ ଧମକ ଦେବାର ଗୋଟିଏ ଦିନ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। 'ଅପରେସନ୍ ଏପିକ୍ ଫ୍ୟୁରୀ(Operation Epic Fury) ' ପରେ ତେହେରାନ୍ ସହ ଅସ୍ତ୍ରବିରତି (Ceasefire) ଘୋଷଣା କରିଛନ୍ତି । ଏହା ସହ ଏହାକୁ ଆମେରିକାର "ସମ୍ପୂର୍ଣ୍ଣ ଏବଂ ଚୂଡ଼ାନ୍ତ ବିଜୟ" ବୋଲି ଆଖ୍ୟା ଦେଇଛନ୍ତି।

ଅନ୍ୟପକ୍ଷରେ, ମୋଜତାବା ଖାମେନିଙ୍କ ନେତୃତ୍ୱାଧୀନ ଇରାନ ସରକାର ଏହାକୁ ନେଇ ଭିନ୍ନ ଦାବି କରିଛନ୍ତି। ଆମେରିକା ଇରାନର ୧୦-ସୂତ୍ରୀ ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଏହାକୁ ନିଜର ସାମରିକ ତଥା କୂଟନୈତିକ ସଫଳତା ଏବଂ ବିଜୟ ବୋଲି ଇରାନ କହିଛି। ତେବେ ଉଭୟ ପକ୍ଷ ଶାନ୍ତ ହେବା ପରେ ଏବେ ମଧ୍ୟପ୍ରାଚ୍ୟରେ ସ୍ଥିରତା ଫେରିବ ବୋଲି ଆଶା କରାଯାଉଛି ।