ଭୁବନେଶ୍ୱର: ସୋନି ଟିଭିର ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ 'ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬' (Indian Idol 16) ର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି। ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ ଏହି ସିଜନରେ ବିଜୟୀ ହୋଇଛନ୍ତି । ଜ୍ୟୋତିର୍ମୟୀ ନାୟକଙ୍କୁ 'ଇଣ୍ଡିଆନ୍ ଆଇଡଲ୍ ୧୬' ର ଚାମ୍ପିଅନ୍ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ମିଳିଛି ।

ପୁଣି ଜାତୀୟ ସ୍ତରରେ ଉଜ୍ଜ୍ୱଳିତ ହେଲା ଓଡ଼ିଶାର ନାଁ । ନିଜର ସୁମଧୁର କଣ୍ଠ ଓ ଚିତାକର୍ଷକ ଗାୟିକୀ ବଳରେ ସେ ଗ୍ରାଣ୍ଡ ଫିନାଲେରେ ଅନ୍ୟ ୫ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ମହାନ୍ ସଫଳତା ହାସଲ କରିଛନ୍ତି। ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ଜିତିବାରେ ଜ୍ୟୋତିର୍ମୟୀ ହେଉଛନ୍ତି ପ୍ରଥମ ଓଡ଼ିଆ। ଫାଇନାଲ୍ ମୁକାବିଲାରେ ଟପ୍-୩ ପ୍ରତିଯୋଗୀଙ୍କ ମଧ୍ୟରେ ତୀବ୍ର ଲଢ଼େଇ ହୋଇଥିଲା। ତନିସ୍କ ଶୁକ୍ଲା ଏବଂ ମନରାଜ ବୀର ସିଂଙ୍କ ଭଳି ପ୍ରତିଭାବାନ ଗାୟକଙ୍କୁ ପଛରେ ପକାଇ ଜ୍ୟୋତିର୍ମୟୀ ଚାମ୍ପିଅନ୍ ହୋଇଛନ୍ତି। ତାଙ୍କର ଏହି କୀର୍ତ୍ତିମାନ ପାଇଁ ସମଗ୍ର ଓଡ଼ିଶାରେ ଏବେ ଖୁସିର ଲହରୀ ଖେଳିଯାଇଛି ।

ରିଆଲିଟି ଟେଲିଭିଜନ୍ ଶୋ’ ଦୁନିଆରେ ନିଜର ଜଲୱା ଦେଖାଇ ଚର୍ଚ୍ଚାକୁ ଆସିଥିବା ଓଡ଼ିଆ

ଅନନ୍ୟା ଶ୍ରୀତମ୍ ନନ୍ଦ

ସାରା ଭାରତରେ ଓଡ଼ିଶାକୁ ଗର୍ବିତ କରିଥିଲେ ଓଡ଼ିଆ ଝିଅ ଅନନ୍ୟା ଶ୍ରୀତମ ନନ୍ଦ । ନିଜ ସୁମଧୁର କଣ୍ଠରେ ବିଚାରକ ଓ ଦର୍ଶକଙ୍କ ହୃଦୟ ଜିତିଥିଲେ । ୨୦୧୫ ମସିହାରେ ଇଣ୍ଡିଆନ୍ ଆଇଡଲ୍ ଜୁନିୟର ସିଜନ୍ ୨ର ବିଜେତା ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଅନେକ ବଲିଉଡ୍ ସିନେମାରେ କଣ୍ଠଦାନ କରିଥିଲେ ।

ବର୍ଣ୍ଣାଳୀ ହୋତା

ନ୍ୟାସନାଲ୍ ରିଆଲିଟି ଟେଲିଭିଜନ ଶୋ’ରେ ଓଡ଼ିଆ ଝିଅ ବର୍ଣ୍ଣାଳୀ ହୋତା ନିଜ ଛାପ ଛଡ଼ିଛନ୍ତି । ସେ ଗୋଟିଏ ନୁହେଁ ତିନି ତିନୋଟି କାର୍ଯ୍ୟକ୍ରମରେ ନିଜ ପ୍ରତିଭା ଦେଖାଇ ସାରିଛନ୍ତି । ୨୦୧୨ରେ Sa Re Ga Ma Pa ଲିଟିଲ୍ ଚାମ୍ପରେ ନିଜ ପ୍ରତିଭା ଦେଖାଇଥିଲେ । ପରେ ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ସଙ୍ଗୀତ ରିଆଲିଟି ସୋ' ଦିଲ୍ ହୈ ହିନ୍ଦୁସ୍ତାନୀର ରନର୍ସ-ଅପ୍ ଟ୍ରଫି ଜିତିଥିଲେ । ଡିଡି ନ୍ୟାସନାଲରେ ପ୍ରସାରତି ଭାରତ୍ କା ଅମୃତ କଳସ ରିଆଲିଟି ଶୋ’ରେ ତୃତୀୟ ସ୍ଥାନରେ ରହିଥିଲେ ।

ରିତୁରାଜ ମହାନ୍ତି

ମନୋରଞ୍ଜନ ଦୁନିଆରେ ବଡ଼ ନାଁ କମାଇବା ପାଇଁ ବାହାରିଥିବା ନିମାପଡ଼ାର ଏହି ଯୁବକ ଦର୍ଶକଙ୍କ ହୃଦୟ ଜିତିବା ସହ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲେ । ସେ ୨୦୧୪ ମସିହାରେ ଷ୍ଟାର୍ ପ୍ଲସ୍ର ଶୋ' India's Raw Starରେ ବିଜେତା ହୋଇଥିଲେ । ଏମଟିଭିର ଚର୍ଚ୍ଚିତ Coke Studioରେ ସ୍ଥାନ ପାଇବାଠାରୁ ଆରମ୍ଭ କରି ବଲିଉଡ୍ ସିନେମାରେ ପ୍ଲେବ୍ୟାକ୍ ଗୀତ ଗାଇଭା ପର୍ଯ୍ୟନ୍ତ, ରିତୁରାଜ ଆଜି ଦେଶର ଜଣେ ଜଣାଶୁଣା ଗାୟକ ।

ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍

ଏହି ନାଁ ଶୁଣିବା ମାତ୍ରେ ହିଁ ମନ ଭିତରେ ଭଗବାନ ବିଷ୍ଣୁ ଏବଂ ତାଙ୍କ ଦଶାବତାରର ଦୃଶ୍ୟ ଝଲସି ଉଠେ । ଦିନମଜୁରିଆ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ନେଇ ଗଠିତ ବ୍ରହ୍ମପୁରର ଏହି ନୃତ୍ୟ ଦଳ ୨୦୦୯ ମସିହାରେ India's Got Talentର ପ୍ରଥମ ସିଜନ୍ ଜିତି ସମସ୍ତଙ୍କ ମନ କିଣି ନେଇଥିଲେ ।

ରାଜସ୍ମିତା କର

ସୁନ୍ଦର ହସ, ଫ୍ଲେକ୍ସିବଲ୍ ଶରୀର । ରାଉରକେଲାର ରାଜସ୍ମିତା କର ୨୦୧୨ ମସିହାରେ ଜୀ ଟିଭିର ଡ୍ୟାନ୍ସ ରିଆଲିଟି ଶୋ' Dance India Dance ମଞ୍ଚରେ ଡ୍ୟାନ୍ସ ସେନସେସନ୍ ପାଲଟିଯାଇଥିଲେ । ଡ୍ୟାନ୍ସକୁ ଆପଣେଇବା ପାଇଁ ସେ ନିଜର ସ୍ନାତକ ପାଠପଢ଼ା ଛାଡ଼ିଦେଇଥିଲେ । ସେ ଡିଆଇଡି ତୃତୀୟ ସିଜନର ଚାମ୍ପିଅନ ହୋଇଥିଲେ ।

ସତ୍ୟଜିତ୍ ଜେନା

ମାତ୍ର ୧୨ ବର୍ଷ ବୟସରେ କେନ୍ଦୁଝରର ଏହି ପୁଅଟି ଜୀ ଟିଭିରେ ପ୍ରସାରିତ ହେଉଥିବା Sa Re Ga Ma Pa Lil Champsରେ ଚର୍ଚ୍ଚାର ଶୀର୍ଷରେ ଥିଲେ । ଟାଇଟଲ୍ ଜିତିବାର ପ୍ରମୁଖ ଦାବିଦାର ଭାବେ ଗଣାଯାଉଥିବା ସତ୍ୟଜିତଙ୍କୁ ସମର୍ଥନ କରିବା ପାଇଁ ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦର୍ଶକଙ୍କୁ ଆବେଦନ କରିଥିଲେ ।

ହରିହର ଦାସ

ବ୍ରହ୍ମପୁରର ଏହି ସ୍ମାର୍ଟ ଡ୍ୟାନ୍ସର ୨୦୧୦ ମସିହାରେ ରିଆଲିଟି ଶୋ’ India's Got Talentର ଦ୍ୱିତୀୟ ସିଜନ୍ରେ ନିଜର 'ଲକିଂ ଆଣ୍ଡ ପପିଂ' ଡ୍ୟାନ୍ସ ଦ୍ୱାରା ବିଚାରକମାନଙ୍କୁ ମନ୍ତ୍ରମୁଗ୍ଧ କରି ଗ୍ରାଣ୍ଡ ଫାଇନାଲ୍ ରାଉଣ୍ଡରେ ପହଞ୍ଚିଥିଲେ । ତା’ପରେ ସେ ଏୟାରଟେଲ୍ ଟେଲିକମ୍ ବ୍ରାଣ୍ଡର ରି-ଲଞ୍ଚିଂ ବିଜ୍ଞାପନର ଚେହେରା ସାଜିଥିଲେ ।

ମାନସ କୁମାର ସାହୁ

ମାନସ କୁମାର ସାହୁ ହେଉଛନ୍ତି ବାଲୁକା ଶିଳ୍ପର ଯାଦୁକର । ସେ ୨୦୧୦ ମସିହାରେ India's Got Talent Season 2ର ଫାଇନାଲିଷ୍ଟ ଥିଲେ । ନିଜର ବାଲୁକା ଆନିମେସନ୍ ଦ୍ୱାରା ସମସ୍ତଙ୍କୁ ବିମୋହିତ କରିଥିଲେ । ପୁରୀର ଏହି ବାଲୁକା ଶିଳ୍ପୀ ଆମିର ଖାନ୍ଙ୍କ ଶୋ’ ସତ୍ୟମେବ ଜୟତେର ଅଂଶ ଥିଲେ ।

ସୋହିନୀ ମିଶ୍ର

କଟକର ସୋହିନୀ ମିଶ୍ର ୨୦୧୨ ମସିହାରେ ସୋନି ଟିଭିର Indian Idolର ଷଷ୍ଠ ସିଜନରେ ଟପ୍-୬ ରାଉଣ୍ଡରେ ସ୍ଥାନ ପାଇ ନିଜ ପାଇଁ ଓ ଓଡ଼ିଶା ପାଇଁ ଗୌରବ ଆଣିଥିଲେ । ସେ ଅନେକ ଓଲିଉଡ୍ ସିନେମାରେ କଣ୍ଠଦାନ କରିଛନ୍ତି ।

ଇରା ମହାନ୍ତି

ରିଆଲିଟି ଟେଲିଭିଜନ୍ ପରଦାକୁ ମଣ୍ଡିତ କରିଥିବା ପ୍ରଥମ ଓଡ଼ିଆ ଗାୟିକା ହେଉଛନ୍ତି ଇରା ମହାନ୍ତି । ସେ ୨୦୧୩ ମସିହାରେ ଜୀ ଟିଭିର Sa Re Ga Ma Pa ଶୋ’ରେ ଭାଗ ନେବା ବେଳକୁ ଓଡ଼ିଶାରେ ଜଣେ ସୁପ୍ରତିଷ୍ଠିତ ପ୍ଲେବ୍ୟାକ୍ ଗାୟିକା ଥିଲେ । ସେ ଏହି ପ୍ରତିଯୋଗିତାରେ ୭ଟି ଏପିସୋଡିକ୍ ରାଉଣ୍ଡ ଜିତିଥିଲେ ଏବଂ ଅନ୍ୟ ବଲିଉଡ୍ ଗୀତ ପରିବେଷଣ କରିବା ବ୍ୟତୀତ ଜାତୀୟ ଟେଲିଭିଜନରେ ପ୍ରଥମ ଥର ପାଇଁ ଓଡ଼ିଶୀ ଶାସ୍ତ୍ରୀୟ ଓ ଜୟଦେବ ସଙ୍ଗୀତ ଗାଇଥିଲେ ।