ସିଡନୀ: ହଲିଉଡ୍ ଜଗତରୁ ସେନି ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବିଶ୍ୱପ୍ରସିଦ୍ଧ ଚଳଚ୍ଚିତ୍ର 'ଜୁରାସିକ ପାର୍କ' (Jurassic Park)ର ଲୋକପ୍ରିୟ ଅଭିନେତା ସାମ୍ ନିଲ୍ (Sam Neill) ଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଅଷ୍ଟ୍ରେଲିଆର ସିଡନୀଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତାଙ୍କ ପରିବାର ପକ୍ଷରୁ ସୋସିଆଲ ମିଡିଆରେ ଏକ ବିବୃତି ଜାରି କରି ଏହି ସୂଚନା ଦିଆଯାଇଛି ।

ଅଭିନେତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ସାମ୍ ନିଲଙ୍କ ମୃତ୍ୟୁ ଅତ୍ୟନ୍ତ ଆକସ୍ମିକ ଏବଂ ଅପ୍ରତ୍ୟାଶିତ ଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୂରା ପରିବାର ଉପସ୍ଥିତ ଥିଲେ । ସେ ଶାନ୍ତିର ସହ ଦୁନିଆରୁ ବିଦାୟ ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୨ ମସିହାରେ ସାମ୍ ନିଲ୍ ଏକ ବିରଳ ବ୍ଲଡ୍ କ୍ୟାନ୍ସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ଏହା ପରେ ଏକ ସ୍ୱତନ୍ତ୍ର କ୍ଲିନିକାଲ୍ ଟ୍ରାୟଲ୍ ଏବଂ ଚିକିତ୍ସା ସାହାଯ୍ୟରେ କ୍ୟାନ୍ସରକୁ ମାତ୍ ଦେଇଥିଲେ । ଚଳିତ ବର୍ଷ ପ୍ରାରମ୍ଭରେ ସେ ନିଜେ କ୍ୟାନ୍ସରମୁକ୍ତ ହୋଇଥିବା ସୂଚନା ଦେଇଥିଲେ । ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ମୃତ୍ୟୁ ସମୟରେ ସେ କ୍ୟାନ୍ସରରେ ପୀଡ଼ିତ ନଥିଲେ । ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସିନେମା ଦୁନିଆରେ ସ୍ୱର୍ଣ୍ଣିମ କ୍ୟାରିୟର

୧୯୪୭ ମସିହାରେ ଉତ୍ତର ଆୟର୍ଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିବା ସାମ୍ ନିଲ୍ ପରେ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ ଏବଂ ସେଠାକାର ନାଗରିକତ୍ୱ ଗ୍ରହଣ କରିଥିଲେ । ଷ୍ଟିଭେନ୍ ସ୍ପିଲବର୍ଗଙ୍କ ବ୍ଲକବଷ୍ଟର ଫିଲ୍ମ 'ଜୁରାସିକ ପାର୍କ'ରେ ଡକ୍ଟର ଆଲାନ ଗ୍ରାଣ୍ଟ ଭୂମିକାରେ ଅଭିନୟ କରି ସେ ସାରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ଏହା ବ୍ୟତୀତ 'ଦି ପିଆନୋ', 'ଦି ହଣ୍ଟ ଫର୍ ରେଡ୍ ଅକ୍ଟୋବର' ଏବଂ ଲୋକପ୍ରିୟ ୱେବ୍ ସିରିଜ୍ 'ପିକି ବ୍ଲାଇଣ୍ଡର୍ସ'ରେ ତାଙ୍କର ଦମଦାର ଅଭିନୟ ଚିର ସ୍ମରଣୀୟ ହୋଇ ରହିବ । ୨୦୨୨ ମସିହାରେ କଳା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ 'ନାଇଟ୍‌ହୁଡ୍' ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସାମ୍ ନିଲ୍‌ଙ୍କ ବିୟୋଗରେ ସାରା ବିଶ୍ୱର ସିନେପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ଏବଂ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ସୋସିଆଲ ମିଡିଆ ମାଧ୍ୟମରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କୁ ସିନେମା ଜଗତର ଜଣେ ମହାନ ନାୟକ ଭାବେ ଅଭିହିତ କରିଛନ୍ତି ।