ନୂଆଦିଲ୍ଲୀ: ଜୁଲାଇ ମାସରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି (WPI) ସାମାନ୍ୟ ହ୍ରାସ ପାଇ ୯.୭୮%ରେ ପହଞ୍ଚିଛି। ଜୁନ୍ ମାସରେ ଏହି ହାର ୯.୮୭% ରହିଥିଲା। ଅର୍ଥାତ୍ ଜୁନ୍ ତୁଳନାରେ ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୦.୦୯ ପ୍ରତିଶତ କମିଛି। ଅଗଷ୍ଟ ୧୪ ତାରିଖରେ ସରକାରଙ୍କ ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି।

ତେବେ ମୁଦ୍ରାସ୍ଫୀତି ହାର ୯.୭୮%କୁ ଖସିବାର ଅର୍ଥ ସାମଗ୍ରୀର ଦାମ୍ କମିଛି ବୋଲି ନୁହେଁ। ବରଂ ସାମଗ୍ରୀର ଦାମ୍ ବଢ଼ିବାର ଗତି ସାମାନ୍ୟ ଧିମା ହୋଇଛି। ସରଳ ଭାବେ କହିଲେ, ଗତବର୍ଷ ଏହି ସମୟରେ ପାଇକାରୀ ବଜାରରେ କୌଣସି ସାମଗ୍ରୀର ଦାମ୍ ୧୦୦ ଟଙ୍କା ଥିଲେ, ଚଳିତ ବର୍ଷ ତାହା ପ୍ରାୟ ୧୦୯.୭୮ ଟଙ୍କା ହୋଇଛି। ଅର୍ଥାତ୍ ଦାମ୍ ହ୍ରାସ ପାଇନାହିଁ, କେବଳ ମହଙ୍ଗା ହେବାର ଗତି ଜୁନ୍ ତୁଳନାରେ ସାମାନ୍ୟ କମିଛି।

ଖାଦ୍ୟ ସାମଗ୍ରୀରେ ମୁଦ୍ରାସ୍ଫୀତି ବଢ଼ିଲା

ଖାଦ୍ୟ ଓ ପାନୀୟ ସାମଗ୍ରୀର ଦାମ୍ ଏବେ ମଧ୍ୟ ମୁଦ୍ରାସ୍ଫୀତି ଉପରେ ଚାପ ସୃଷ୍ଟି କରୁଛି। ଡବ୍ଲୁପିଆଇର ଖାଦ୍ୟ ସୂଚକାଙ୍କରେ ପାଇକାରୀ ମୁଦ୍ରାସ୍ଫୀତିରେ ପ୍ରାୟ ୨୪.୯୯% ଅଂଶ ରହିଛି। ଜୁଲାଇରେ ଏହି ସୂଚକାଙ୍କ ୬.୬୫%କୁ ବଢ଼ିଛି, ଯାହା ଜୁନ୍‌ରେ ୬.୧୪% ଥିଲା। ଏହି ସୂଚକାଙ୍କରେ ‘ପ୍ରାଇମେରୀ ଆର୍ଟିକଲ୍ସ’ ଅଧୀନରେ ଆସୁଥିବା ଖାଦ୍ୟ ସାମଗ୍ରୀ ସହିତ ‘ମ୍ୟାନୁଫାକ୍ଚର୍ଡ ପ୍ରଡକ୍ଟ୍ସ’ ଅଧୀନରେ ଥିବା କାରଖାନାରେ ପ୍ରସ୍ତୁତ ପ୍ୟାକେଟ୍ ଖାଦ୍ୟ ମଧ୍ୟ ସାମିଲ ରହିଛି।

Also Read- ଭାରତର ୩୦୦ ଧନୀ ପରିବାରର ସମ୍ପତ୍ତି ₹୧୩୮ ଲକ୍ଷ କୋଟି: ନେଦର୍ଲାଣ୍ଡ୍ସ, ସାଉଦି ଆରବ ଓ ସ୍ୱିଜରଲ୍ୟାଣ୍ଡର ଜିଡିପି ଠାରୁ ଅଧିକ

କଞ୍ଚାମାଲ ଓ ଖାଦ୍ୟ ସାମଗ୍ରୀ ଅଧିକ ମହଙ୍ଗା

‘ପ୍ରାଇମେରୀ ଆର୍ଟିକଲ୍ସ’ର ମୁଦ୍ରାସ୍ଫୀତି ହାର ଜୁନ୍‌ରେ ୭% ଥିବା ବେଳେ ଜୁଲାଇରେ ଏହା ବଢ଼ି ୮.୫୨%ରେ ପହଞ୍ଚିଛି। ଏହାର ଅର୍ଥ ସବୁଜ ପନିପରିବା, ଶସ୍ୟ ଏବଂ ବିଭିନ୍ନ କଞ୍ଚାମାଲ ଭଳି ସାମଗ୍ରୀର ଦାମ୍ ବଢ଼ିବାର ଗତି ଜୁଲାଇରେ ଅଧିକ ରହିଛି।

ଇନ୍ଧନ ଓ ବିଦ୍ୟୁତରେ ସାମାନ୍ୟ ଆଶ୍ୱସ୍ତି

ଅନ୍ୟପଟେ ଇନ୍ଧନ ଓ ବିଦ୍ୟୁତ କ୍ଷେତ୍ରରେ ମୁଦ୍ରାସ୍ଫୀତିର ଚାପ କିଛିଟା କମିଛି। ଜୁନ୍‌ରେ ଏହି କ୍ଷେତ୍ରର ମୁଦ୍ରାସ୍ଫୀତି ୨୭.୪୧% ଥିବା ବେଳେ ଜୁଲାଇରେ ଏହା ୨୦.୦୫%କୁ ହ୍ରାସ ପାଇଛି। ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ବିଦ୍ୟୁତ ଭଳି ସାମଗ୍ରୀର ଦାମ୍ ବଢ଼ିବାର ଗତି ଜୁନ୍ ତୁଳନାରେ ଜୁଲାଇରେ ଧିମା ହୋଇଛି।

ଉତ୍ପାଦିତ ସାମଗ୍ରୀର ଦାମ୍ ବଢ଼ିଲା

କାରଖାନାରେ ପ୍ରସ୍ତୁତ ‘ମ୍ୟାନୁଫାକ୍ଚର୍ଡ ପ୍ରଡକ୍ଟ୍ସ’ରେ ମଧ୍ୟ ମୁଦ୍ରାସ୍ଫୀତି ବଢ଼ିଛି। ଜୁନ୍‌ରେ ଏହି ହାର ୭.୪୮% ଥିବା ବେଳେ ଜୁଲାଇରେ ଏହା ୮.୨୯%କୁ ବୃଦ୍ଧି ପାଇଛି। ଏହା ଫଳରେ ପୋଷାକ, ପ୍ୟାକେଟ୍ ଖାଦ୍ୟ, ବାସନକୁସନ ଏବଂ ଗାଡ଼ି ଭଳି ବିଭିନ୍ନ ଶିଳ୍ପ ଉତ୍ପାଦର ଦାମ୍ ଉପରେ ଚାପ ଜାରି ରହିଛି।

ସାମଗ୍ରିକ ଭାବେ ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ସାମାନ୍ୟ କମିଥିଲେ ମଧ୍ୟ ଖାଦ୍ୟ ସାମଗ୍ରୀ, କଞ୍ଚାମାଲ ଓ ଉତ୍ପାଦିତ ସାମଗ୍ରୀର ଦାମ୍ ବଢ଼ିବା ଚିନ୍ତାର କାରଣ ହୋଇ ରହିଛି। ଇନ୍ଧନ ଓ ବିଦ୍ୟୁତ କ୍ଷେତ୍ରରେ ମୁଦ୍ରାସ୍ଫୀତି ହ୍ରାସ କିଛିଟା ଆଶ୍ୱସ୍ତି ଦେଇଛି।

ସେପଟେ ଲଗାତର ସପ୍ତମ ଥର ପାଇଁ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ବଢ଼ିଛି। ଆଳୁ-ପିଆଜ ଭଲି ଖାଦ୍ୟ ସାମଗ୍ରୀର ଦର ମହଙ୍ଗା ହେବା କରାଣରୁ ଦେଶରେ ଖୁଚୁରା ମୁ୍ଦ୍ରାସ୍ଫୀତି ବୃଦ୍ଧି ପାଇଛି। ଜୁଲାଇ ମାସରେ ଏହା ୪.୪୫% ରହିଛି, ଯାହାକି ଗତ ଜୁନ୍ ମାସରେ ୪.୩୮% ଥିଲା। ଏନେଇ ଗୁରୁବାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI) ସୂଚନା ଦେଇଛି।

ସେହିପରି ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ବଢ଼ିଛି। ଖାଦ୍ୟପେୟ ଜିନିଷଗୁଡ଼ିକର ମହଙ୍ଗା ଅର୍ଥାତ୍ 'ଫୁଡ୍ ଇନଫ୍ଲେସନ୍' ଜୁଲାଇ ମାସରେ ବୃଦ୍ଧି ପାଇ ୫.୫୨% ରେ ପହଞ୍ଚିଛି। ଜୁନ୍ ମାସରେ ଏହି ପରିମାଣ ୫.୩୨% ଥିଲା।