ନୂଆଦିଲ୍ଲୀ: ଲଗାତର ସପ୍ତମ ଥର ପାଇଁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି। ଆଳୁ-ପିଆଜ ଭଲି ଖାଦ୍ୟ ସାମଗ୍ରୀର ଦର ମହଙ୍ଗା ହେବା କରାଣରୁ ଦେଶରେ ଖୁଚୁରା ମୁ୍ଦ୍ରାସ୍ଫୀତି ବୃଦ୍ଧି ପାଇଛି। ଜୁଲାଇ ମାସରେ ଏହା ୪.୪୫% ରହିଛି, ଯାହାକି ଗତ ଜୁନ୍ ମାସରେ ୪.୩୮% ଥିଲା। ଏନେଇ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI) ସୂଚନା ଦେଇଛି।

ସେହିପରି ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ବଢ଼ିଛି। ଖାଦ୍ୟପେୟ ଜିନିଷଗୁଡ଼ିକର ମହଙ୍ଗା ଅର୍ଥାତ୍ 'ଫୁଡ୍ ଇନଫ୍ଲେସନ୍' ଜୁଲାଇ ମାସରେ ବୃଦ୍ଧି ପାଇ ୫.୫୨% ରେ ପହଞ୍ଚିଛି। ଜୁନ୍ ମାସରେ ଏହି ପରିମାଣ ୫.୩୨% ଥିଲା।

ପିଆଜ ଉଦାହରଣରୁ ବୁଝନ୍ତୁ ମହଙ୍ଗାର ପ୍ରଭାବ

ଧରିନିଅନ୍ତୁ ଆପଣଙ୍କ ପରିବାରରେ ପ୍ରତିମାସରେ ୧୦ କିଲୋଗ୍ରାମ ପିଆଜ ବ୍ୟବହାର ହୁଏ ଏବଂ ସାଧାରଣ ଦିନରେ ଏହାର ଦର କିଲୋଗ୍ରାମ ପ୍ରତି ₹୩୦ ଥାଏ। ତେବେ ମାସିକ ବଜେଟ୍ ₹୩୦୦ ହୋଇଥାଏ। ଜୁନ୍ ମାସରେ +୪.୭୩% ବୃଦ୍ଧି ହିସାବ କଲେ ୧୦ କିଲୋଗ୍ରାମ ପିଆଜ ପାଇଁ ପ୍ରାୟ ₹୩୧୪ ଖର୍ଚ୍ଚ କରିବାକୁ ପଡ଼ିଛି। ଏଥିରେ ୧୪ ପାର୍ଥକ୍ୟ ରହିଥିଲା। ସେହିପରି ଜୁଲାଇ ମାସରେ +୨୨.୫୪% ବୃଦ୍ଧିରେ ୧୦ କିଲୋଗ୍ରାମ ପିଆଜ କିଣିବା ପାଇଁ ପ୍ରାୟ ₹୩୬୮ ଦେବାକୁ ପଡ଼ିଛି। ଜୁନ୍ ମାସ ତୁଳନାରେ ଜୁଲାଇରେ ଆପଣଙ୍କୁ ଅଧିକ ₹୫୪ ଖର୍ଚ୍ଚ କରିବାକୁ ପଡ଼ିଛି।

ଆରବିଆଇ (RBI) ର ୪% ଲକ୍ଷ୍ୟଠାରୁ କ୍ରମାଗତ ଦ୍ଵିତୀୟ ମାସ ପାଇଁ ଅଧିକ

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଖୁଚୁରା ମହଙ୍ଗା ହାର ପାଇଁ ୪% ର ଲକ୍ଷ୍ୟ ଧାର୍ଯ୍ୟ କରିଛି। କିନ୍ତୁ ଏହା କ୍ରମାଗତ ଦ୍ଵିତୀୟ ମାସ ପାଇଁ ଆରବିଆଇର ନିର୍ଦ୍ଧାରିତ ଆରାମଦାୟକ ସୀମା ବା କମ୍ଫର୍ଟ ଜୋନ୍ ଠାରୁ ଅଧିକ ରହିଛି।

୪.୪୫% ମହଙ୍ଗା ହାରର ପ୍ରକୃତ ଅର୍ଥ କ’ଣ?

ବାର୍ଷିକ ତୁଳନା (Year-on-Year): ଯେତେବେଳେ ଆମେ କହୁଛୁ ଯେ ଜୁଲାଇ ୨୦୨୬ ରେ ମହଙ୍ଗା ୪.୪୫%, ଏହାର ଅର୍ଥ ଆମେ ଏହାର ତୁଳନା ଜୁଲାଇ ୨୦୨୫ ସହିତ କରୁଛୁ। ଏହା 'କଞ୍ଜୁମର ପ୍ରାଇସ୍ ଇଣ୍ଡେକ୍ସ' (Consumer Price Index) ଉପରେ ଆଧାରିତ ଏକ ହାରାହାରି ସଂଖ୍ୟା, ଯେଉଁଥିରେ ଆପଣଙ୍କ ଦୈନନ୍ଦିନ ଜୀବନର ଶହ ଶହ ଜିନିଷ ସାମିଲ ରହିଥାଏ। ୧୦୦ ଟଙ୍କାର ଜିନିଷ ବର୍ତ୍ତମାନ ₹୧୦୪.୪୫ ଟଙ୍କା ହୋଇଛି: ଯଦି ଆପଣ ଜୁଲାଇ ୨୦୨୫ରେ କୌଣସି ସାମଗ୍ରୀ ₹୧୦୦ରେ କିଣିଥିଲେ, ତେବେ ଜୁଲାଇ ୨୦୨୬ ରେ ସେହି ସମାନ ସାମଗ୍ରୀ ପାଇଁ ଆପଣଙ୍କୁ ୧୦୪.୪୫ ଟଙ୍କା ଦେବାକୁ ପଡୁଛି।