ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର୍ ବ୍ୟାଟର ଜୋ ରୁଟ୍ ଟେଷ୍ଟ କ୍ରିକେଟରେ ଆଉ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ହେଡିଂଲେଠାରେ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଦମଦାର ଅର୍ଦ୍ଧଶତକ ହାସଲ କରି ସେ କ୍ରିକେଟର ଭଗବାନ କୁହାଯାଉଥିବା ମହାନ ବ୍ୟାଟର ସଚିନ୍ ତେନ୍ଦୁଲକରଙ୍କ ଏକ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି।

ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଇଂଲଣ୍ଡ ପକ୍ଷରୁ ପ୍ରଥମ ଇନିଂସରେ ବ୍ୟାଟିଂ କରି ରୁଟ୍ ୧୦ଟି ଚୌକା ସହାୟତାରେ ୬୬ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହି ଇନିଂସ ସହ ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଅର୍ଦ୍ଧଶତକ ହାସଲକାରୀ ବ୍ୟାଟର ଭାବେ ସଚିନଙ୍କ ସହ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି।

Also Read: ଭାରତ- ବ୍ରାଜିଲ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚକୁ ବୟକଟ୍ କର: ଫ୍ୟାନକୁ ଆହ୍ୱାନ ଦେଲେ ପୂର୍ବତନ କ୍ୟାପ୍ଟେନ ବାଇଚୁଙ୍ଗ ଭୁଟିଆ

ସଚିନଙ୍କଠାରୁ ଆଗରେ ରୁଟ୍

ଟେଷ୍ଟ କ୍ରିକେଟରେ ରୁଟଙ୍କର ଏହା ୬୮ତମ ଅର୍ଦ୍ଧଶତକ। ପୂର୍ବରୁ ସଚିନ୍ ତେନ୍ଦୁଲକର ନିଜ କ୍ୟାରିୟରରେ ୬୮ଟି ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଥିଲେ।  ସଚିନ୍ ୨୦୦ଟି ଟେଷ୍ଟ ମ୍ୟାଚ୍ ଖେଳି ୬୮ଟି ଅର୍ଦ୍ଧଶତକ ମାରିଥିବା ବେଳେ, ରୁଟ୍ ମାତ୍ର ୧୬୭ତମ ଟେଷ୍ଟରେ ଏହି ସଫଳତା ପାଇଛନ୍ତି। ଜାରି ଟେଷ୍ଟର ଦ୍ୱିତୀୟ ଇନିଂସରେ ଯଦି ରୁଟ୍ ଆଉ ଏକ ଅର୍ଦ୍ଧଶତକ ମାରନ୍ତି, ତେବେ ସେ ସଚିନଙ୍କୁ ପଛରେ ପକାଇ ଟେଷ୍ଟରେ ସର୍ବାଧିକ ଅର୍ଦ୍ଧଶତକ ହାସଲକାରୀ ବ୍ୟାଟର ହେବାର ରେକର୍ଡ କରିବେ।

ଶତକ ରେକର୍ଡ ଉପରେ ମଧ୍ୟ ନଜର

ଟେଷ୍ଟ କ୍ରିକେଟରେ ସର୍ବାଧିକ ୫୧ଟି ଶତକ ମାରିବାର ରେକର୍ଡ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି। ଅପରପକ୍ଷରେ, ଜୋ ରୁଟ୍ ଏପର୍ଯ୍ୟନ୍ତ ୪୧ଟି ଟେଷ୍ଟ ଶତକ ହାସଲ କରି ସର୍ବାଧିକ ଶତକ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଉପରେ ଦକ୍ଷିଣ ଆଫ୍ରିକାର ଜାକ୍ କାଲିସ୍ (୪୫ଟି ଶତକ) ରହିଛନ୍ତି। ବର୍ତ୍ତମାନର ଫର୍ମକୁ ଦେଖିଲେ, ରୁଟ୍ ଆଗାମୀ ଦିନରେ ସଚିନଙ୍କ ଶତକ ରେକର୍ଡ ମଧ୍ୟ ଭାଙ୍ଗିପାରନ୍ତି ବୋଲି କ୍ରିକେଟ ବିଶେଷଜ୍ଞମାନେ ଆକଳନ କରୁଛନ୍ତି।