ନୂଆଦିଲ୍ଲୀ: ମୋବାଇଲ୍ ରିଚାର୍ଜ ଦର ବଢ଼ିବା ଆଶଙ୍କା ମଧ୍ୟରେ ଜିଓ ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା କରିଛି। ମାତ୍ର ୩୦୦ ଟଙ୍କାରେ ‘ଜିଓ ପ୍ରାଇମ୍’ ସଦସ୍ୟତା ଦେବ ବୋଲି ଘୋଷଣା କରିଛି କମ୍ପାନୀ। ଜିଓ ଗତକାଲି(୧୮ ଅଗଷ୍ଟ ୨୦୨୬) ଏହି ଘୋଷଣା କରିଥିଲା। ଏହା ଜରିଆରେ ଗ୍ରାହକ ନିଜ ବର୍ତ୍ତମାନର ରିଚାର୍ଜ ପ୍ଲାନ୍‌ର ଦରକୁ ଏକ ବର୍ଷ ପାଇଁ ଲକ୍ କରିପାରିବେ। ଜିଓ ପ୍ରାଇମ୍ ଅଗଷ୍ଟ ୨୦ରୁ ଉପଲବ୍ଧ ହେବ। ତେବେ ଏୟାରଟେଲ୍ ଗ୍ରାହକଙ୍କ ପାଇଁ ଏହାର ଅର୍ଥ କଣ ହେବ ? ଗ୍ରାହକ କେଉଁଥିରେ ଅଧିକ ଲାଭବାନ ହେବେ ଆସନ୍ତୁ ବୁଝିବା।


ଜିଓରେ ଏହି ଘୋଷଣା ପରେ ଗ୍ରାହକଙ୍କ ରିଚାର୍ଜ ଦର ବୃଦ୍ଧିର ଭୟ ରହିବ ନାହିଁ। କାରଣ ମାତ୍ର ୩୦୦ ଟଙ୍କାରେ ଉପଲବ୍ଧ ହେବାକୁ ଥିବା ‘ଜିଓ ପ୍ରାଇମ୍’ରେ ଗ୍ରାହକ ନିଜ ବର୍ତ୍ତମାନର ଜିଓ ପ୍ଲାନ୍‌ର ମୂଲ୍ୟକୁ ୫ ସେପ୍ଟେମ୍ବର ୨୦୨୭ ପର୍ଯ୍ୟନ୍ତ ଲକ୍ କରିପାରିବେ। ଅର୍ଥାତ୍, ପ୍ରାଇମ୍ ସଦସ୍ୟତା ଅବଧିରେ ଗ୍ରାହକ ବର୍ତ୍ତମାନର ଦରରେ ହିଁ ନିଜ ପ୍ଲାନ୍ ରିଚାର୍ଜ କରିପାରିବେ। ତେବେ ଏଥିପାଇଁ କୌଣସି ଗୋଟିଏ ପ୍ଲାନ୍‌ରେ ଗ୍ରାହକଙ୍କୁ ବାନ୍ଧି ରଖାଯିବ ନାହିଁ। ସେମାନେ ଚାହିଲେ ପ୍ରାଇମ୍ ସଦସ୍ୟତା ଅବଧି ମଧ୍ୟରେ ଅନ୍ୟ ଜିଓ ପ୍ଲାନ୍‌କୁ ମଧ୍ୟ ସ୍ୱିଚ୍ କରିପାରିବେ।

କେବଳ ଦର ଲକ୍ ନୁହେଁ, ଜିଓ ପ୍ରାଇମ୍ ସହ ମିଳିବ ମୋଟ ୬୦୦ ଟଙ୍କାର ଦୁଇଟି କ୍ୟାସବ୍ୟାକ୍ ଭାଉଚର। ନୂଆ ଜିଓ ହୋମ୍ କିମ୍ବା ଜିଓ ପିସି ସଂଯୋଗ ନେଲେ ୩୦୦ ଟଙ୍କାର ଗୋଟିଏ ଭାଉଚର ଏବଂ ପରିବାର କିମ୍ବା ବନ୍ଧୁଙ୍କ ପାଇଁ ନୂଆ ଜିଓ ସିମ୍ ନେଲେ ଆଉ ୩୦୦ ଟଙ୍କାର ଭାଉଚର ମିଳିବ। ଏହା ସହ ନୂଆ ଜିଓ ଉତ୍ପାଦ ଓ ସେବାରେ ଆଗୁଆ ଆକ୍ସେସ୍ ଏବଂ ପ୍ରାଥମିକତାଭିତ୍ତିକ ଗ୍ରାହକ ସହାୟତା ମଧ୍ୟ ପାଇବେ ପ୍ରାଇମ୍ ସଦସ୍ୟ। ଅଗଷ୍ଟ ୨୦ରୁ MyJio ଆପ୍, Jio.com, ଜିଓ ଷ୍ଟୋର ଏବଂ ଅଧିକୃତ ପାର୍ଟନର ଷ୍ଟୋରରେ ଉପଲବ୍ଧ ହେବ ଏହି ସଦସ୍ୟତା। ପ୍ରିପେଡ୍, ପୋଷ୍ଟପେଡ୍ ସହ ନୂଆ ଜିଓ ଗ୍ରାହକ ମଧ୍ୟ ନେଇପାରିବେ ଏହାର ଲାଭ।

​​​​​​​

ଏବେ ଏୟାରଟେଲ୍ ସହିତ ଆସନ୍ତୁ ଏହାର ତୁଳନା କରିବା। ଯାହାଫଳରେ ଗ୍ରାହକଙ୍କ ପାଇଁ କେଉଟା ଅଧିକ ଲାଭବାନ ହେବ ତାହା ଜଣାପଡ଼ିବ। ପ୍ରକୃତରେ ଗତ ସପ୍ତାହରେ ଭାରତୀ ଏୟାରଟେଲ୍ ଏହାର ୨୯୯ ଟଙ୍କାର ଶସ୍ତା ପ୍ଲାନ୍‌କୁ ବନ୍ଦ କରିଦେଇଛି। ଫଳରେ ଏୟାରଟେଲ୍‌ର ସବୁଠାରୁ କମ୍ ମୂଲ୍ୟର ଉପଲବ୍ଧ ପ୍ଲାନ୍ ଏବେ ୩୪୯ ଟଙ୍କା ହୋଇଛି। ଅର୍ଥାତ୍, ପ୍ରାରମ୍ଭିକ ରିଚାର୍ଜ ଦରରେ ପ୍ରାୟ ୧୬ ପ୍ରତିଶତ ବୃଦ୍ଧି ହୋଇଛି। ଏହାର ବିପରୀତରେ, ଜିଓ ପ୍ରାଇମ୍ ସଦସ୍ୟଙ୍କ ପାଇଁ ୨୯୯ ଟଙ୍କାର ପ୍ଲାନ୍ ଜାରି ରହିଛି। ପ୍ରାଇମ୍ ସବସ୍କ୍ରିପସନ୍ ଶୁଳ୍କକୁ ମିଶାଇଲେ ଏହାର ପ୍ରଭାବୀ ମାସିକ ମୂଲ୍ୟ ପ୍ରାୟ ୩୨୪ ଟଙ୍କା ହେଉଛି।

Jio Prime Is Back At Rs 299. What Does It Mean For Airtel Users, And Should You Switch?

ଏହି ହିସାବରେ, ଏଣ୍ଟ୍ରି-ଲେଭେଲ୍‌ରେ ଜିଓ ପ୍ରାଇମ୍ ଗ୍ରାହକଙ୍କ ପାଇଁ ପ୍ଲାନ୍‌ଟି ଭାରତୀ ଏୟାରଟେଲ୍‌ଠାରୁ ପ୍ରତି ମାସରେ ୨୫ ଟଙ୍କା ଶସ୍ତା ପଡ଼ୁଛି। ଏହା ସହ ଭବିଷ୍ୟତରେ ରିଚାର୍ଜ ଦର ବଢ଼ିଲେ ମଧ୍ୟ ପ୍ରାଇମ୍ ସଦସ୍ୟମାନେ ନିଜ ପ୍ଲାନ୍‌ର ବର୍ତ୍ତମାନର ମୂଲ୍ୟକୁ ସୁରକ୍ଷିତ ରଖିପାରିବେ। ଏଭଳି ସ୍ଥିତିରେ ଏୟାରଟେଲ୍‌ ପାଇଁ ଗ୍ରାହକଙ୍କୁ ବାନ୍ଧି ରଖିବା କଷ୍ଟକର ହୋଇପାରେ।