ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ସମାସିଂହା କେ.ଜି ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ। ଏହି ସମୟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ନିଜେ ପଢ଼ାଇଲେ ଗଣିତ। ଭିତ୍ତିଭୂମିର ବିକାଶ ପାଇଁ ବିଡ଼ିଓଙ୍କୁ ବି ଦେଲେ ନିର୍ଦ୍ଦେଶ।ଏପରିକି ମାଟ୍ରିକରେ 'A1' ଗ୍ରେଡ୍ ପାଇଥିବା ୨୧ ଜଣ ଛାତ୍ରୀଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ।

ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଆଜି ସମାସିଂହା ସ୍ଥିତ କେ.ଜି ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷାଦାନ ଓ ସାମଗ୍ରିକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଗଡ଼ତିଆ ଏବଂ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ବିଦ୍ୟାଳୟ ପରିସର ବୁଲି ଦେଖିବା ସହ ଶିକ୍ଷାର ମାନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ।

Also Read: ଯୁବତୀଙ୍କୁ ହଟ୍ଟହଟ୍ଟା କଲେ, ଏବେ ଘରିଛି ଗିରଫ ଭୟ, ଏବେ ଗାଁ ଏକ ପ୍ରକାର ପୁରୁଷଶୂନ୍ୟ

ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଦଶମ ଶ୍ରେଣୀ ଗୃହକୁ ଯାଇ ସେଠାରେ ଉପସ୍ଥିତ ଛାତ୍ରୀମାନଙ୍କ ସହ ସେମାନଙ୍କ ପାଠପଢ଼ା ବିଷୟରେ ଆଲୋଚନା କରିଥିଲେ। ଏପରିକି ସେ ନିଜେ ଦଶମ ଶ୍ରେଣୀର ଛାତ୍ରୀମାନଙ୍କୁ ଗଣିତ ପଢ଼ାଇଥିଲେ। ଜିଲ୍ଲାପାଳଙ୍କ ସହଜ ଓ ସରଳ ଶୈଳୀର ଶିକ୍ଷାଦାନ ଛାତ୍ରୀମାନଙ୍କୁ ବେଶ୍ ଉତ୍ସାହିତ କରିଥିଲା। ଏହା ସହିତ ସେ ବିଦ୍ୟାଳୟର ଅନ୍ୟାନ୍ୟ ପ୍ରକୋଷ୍ଠକୁ ଯାଇ ଛାତ୍ରୀମାନଙ୍କ ସହ ସେମାନଙ୍କର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ବିଷୟରେ ସିଧାସଳଖ ଭାବ ବିନିମୟ କରିଥିଲେ।

ଚଳିତ ବର୍ଷ ଏହି ବିଦ୍ୟାଳୟର ୨୧ ଜଣ ଛାତ୍ରୀ ମାଟ୍ରିକ ପରୀକ୍ଷାରେ ସଫଳତାର ସହ 'A1' ଗ୍ରେଡ୍ ହାସଲ କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ଜିଲ୍ଲାପାଳ ଏହି କୃତୀ ଛାତ୍ରୀମାନଙ୍କର ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜୀବନରେ ଆହୁରି ବଡ଼ ସଫଳତା ହାସଲ କରିବା ପାଇଁ ସେମାନଙ୍କୁ ପ୍ରେରଣା ଓ ଶୁଭେଚ୍ଛା ପ୍ରଦାନ କରିଥିଲେ। ବିଦ୍ୟାଳୟର ଏହି ସଫଳତା ଅନ୍ୟ ଛାତ୍ରୀମାନଙ୍କୁ ମଧ୍ୟ କଠିନ ପରିଶ୍ରମ କରିବାକୁ ଉତ୍ସାହିତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Also Read: ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, ପାପୀ ଟିଉସନ୍ ସାର୍ଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ

ବିଦ୍ୟାଳୟର ଆନୁସଙ୍ଗିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜିଲ୍ଲାପାଳ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ତୁରନ୍ତ ଏକ ଆଧୁନିକ ବିଜ୍ଞାନାଗାର ପ୍ରତିଷ୍ଠା କରିବା ସହ ବିଦ୍ୟାଳୟ ପରିସରର ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପାଦନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟର ଏହି ପରିଦର୍ଶନ ସମୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।