ଭୁବନେଶ୍ୱର ୦୭।୦୯ : ଯାତ୍ରା କାହାଣୀର ଜମାନା ବଦଳୁଛି। ବାଜି ମାରୁଛି ବିବାଦୀୟ ଓ ସମ୍ବେଦନଶୀଳ କାହାଣୀ । ସାମାଜିକ ଗଣମାଧ୍ୟମରେ ଯାହା ଟ୍ରେନିଂ ବଜାରରେ ସେଇଆ ଚାଲୁଛି। ପ୍ରେମ, ପ୍ରତିଶୋଧ ଓ ପାରିବାରିକ ଡ୍ରାମାକୁ ପଛରେ ପକାଇ ମଞ୍ଚ ଦଖଲ କରୁଛି ପ୍ରେମ ଆଉ ଧର୍ମ । ଯାହାକୁ ନେଇ ବିବାଦୀୟ ହେଉଛି ଯାତ୍ରା ମଞ୍ଚ।

ଗୋଟିଏ ପରେ ଗୋଟିଏ ଯାତ୍ରା ପାର୍ଟି ପ୍ରେମ ଆଉ ଧର୍ମଭିଭିକ ନାଟକ କରୁଥିବା ବେଳେ, କେଉଁଠି ଦର୍ଶକଙ୍କ ଉତ୍ସାହ ତ କେଉଁଠି ବିବାଦ ସାମ୍ନାକୁ ଆସୁଛି। ଯେଉଁଥିପାଇଁ ଚେୟାର, ବୋତଲ ମାଡ଼ ଭଳି ଘଟଣା ଘଟୁଛି। ଲୋକେ ମଞ୍ଚକୁ ଉଠି କଳାକାରଙ୍କୁ ବାଡ଼େଇବାକୁ ବି ପଛାଉ ନାହାନ୍ତି। ଫଳରେ ଯାତ୍ରାରେ ପୁଣି ନୂଆ ବିବାଦ ଆରମ୍ଭ ହୋଇଛି।

ପ୍ରେମ କାହାଣୀରେ ଧର୍ମାନ୍ତରୀକରଣର ଟ୍ୱିଷ୍ଟ । ପେଣ୍ଡାଲ୍ରେ ପ୍ରେମ, ଧର୍ମ ଓ ବିବାଦ। ବହି ଲେଖୁଛି ନୂଆ କାହାଣୀ। ମାଡ଼ି ଚାଲିଛି ସମ୍ବେଦନଶୀଳ ଷ୍ଟୋରୀର ଟ୍ରେଣ୍ଡ୍ । ସାମାଜିକ ଘଟଣାବଳୀକୁ ନେଇ ନାଟକ ହେଉଛି, ହେଲେ କାହାଣୀରେ ସ୍ଥାନ ପାଉଛି ଧର୍ମାନ୍ତରୀକରଣ ଓ ଅନ୍ତଃଧର୍ମୀୟ ବିବାହ ଭଳି ସମ୍ବେଦନଶୀଳ ପ୍ରସଙ୍ଗ। ପାରିବାରିକ ବିଷୟବସ୍ତୁ ଭିତରେ ଫେଣ୍ଟି ହୋଇ ମଞ୍ଚରେ ଖେଳୁଛି ଲଭ୍ ଜିହାଦ। ବିଭିନ୍ନ ପାର୍ଟି ପକ୍ଷରୁ ହେଉଥିବା ଏଭଳି ନାଟକକୁ ନେଇ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ବି ଜୋର୍। ଯେତିକି ଆଲୋଚନା ତା'ଠୁ ବେଶି ପ୍ରତିବାଦ।

Also Read:-ମାଟିରେ ମିଶିବ ଇସ୍ରାଏଲ ! ଚାରିପଟୁ ଘେରିଗଲେ ୪ ଆତଙ୍କବାଦୀ ସଙ୍ଗଠନ, କରିବେ ପ୍ରଚଣ୍ଡ ଆକ୍ରମଣ

ନିକଟରେ ଭୁବନେଶ୍ଵର ସାଲିଆ ସାହିରେ ଧଉଳି ଗଣନାଟ୍ୟ ପକ୍ଷରୁ ଚର୍ଚ୍ଚିତ ବହି ‘ଲଭ୍ ଜିହାଦ' ମଞ୍ଚାୟନ ହେଉଥିବା ବେଳେ ଦର୍ଶକ ଚେୟାର, ବୋତଲ ଫିଙ୍ଗି ବିରୋଧ କରିଥିଲେ। ଯାହାକୁ ନେଇ ନାଟ୍ୟକାର ଡ. ଦୀପକ ଜେନା କହିଥିଲେ, ନାଟକ କରୁଛୁ ସମାଜ ସଜାଡ଼ିବାକୁ, ଯଦି ଅସଜଡ଼ା ହେଲା ବଦଳାଇ ଦେବା। ଲୋକେ ନାଟକ ଦେଖିବାକୁ ଯାଉଛନ୍ତି, ଚେୟାର ଫିଙ୍ଗିବାକୁ ନୁହେଁ । ଏହା ଲୋକଙ୍କ ଭାବପ୍ରବଣତା। ଲୋକଙ୍କୁ ପସନ୍ଦ ନ ଆସିଲେ କିମ୍ବା ଅଧିକ ବିବାଦୀୟ ହେଲେ କାହାଣୀ ତଥା ଦୃଶ୍ୟରେ ପରିବର୍ତ୍ତନ କରିବାରେ ଅସୁବିଧା ନାହିଁ। ପ୍ରଯୋଜକ ବିଶ୍ୱଜିତ ରାଜ କହିଛନ୍ତି, ଲୋକଙ୍କ ପ୍ରତିକ୍ରିୟା ଦେଖି ଉତ୍ସାହିତ ଯେ ସେମାନେ ସଚେତନ ଓ ଜାଗ୍ରତ । ବରିଷ୍ଠ ଅଭିନେତା ଲକ୍ଷ୍ମୀଧର କହିଛନ୍ତି, ଚରିତ୍ର ଅନୁସାରେ ଅଭିନୟ କରୁଛୁ । ଦର୍ଶକ ରାଗୁଛନ୍ତି କିନ୍ତୁ ରାଗିଲେ କ'ଣ ହେବ ?

କିଛିଦିନ ପୂର୍ବର ଯାଜପୁରର ଏକ ମଞ୍ଚରେ ଅପେରା ଯାଜ୍ଞସେନୀର ନାଟକ ‘ସନାତନୀ’କୁ ନେଇ ତମ୍ବିତୋଫାନ ହୋଇଥିଲା। ନାଟକରେ ଏକ ସମ୍ବେଦନଶୀଳ ଦୃଶ୍ୟକୁ ଦେଖି ଦର୍ଶକ ଉତ୍କ୍ଷିପ୍ତ ହୋଇଥିଲେ। ପରଦିନ ନାଟ୍ୟକାର ଡ. ଅରୁଣ ନାୟକ ସାମାଜିକ ଗଣମାଧ୍ୟମରେ ଭିଡିଓ କରି ନାଟ୍ୟପ୍ରେମୀ ତଥା ଜଣେ ସନାତନୀ ଭାବରେ ଶାନ୍ତିଶୃଙ୍ଖଳାର ସହ ନାଟକକୁ ଉପଭୋଗ କରିବାକୁ ବିନମ୍ର ଅନୁରୋଧ କରିଥିଲେ। ଯାତ୍ରା ସ୍ବର୍ଣ୍ଣମହଲର ‘ଶୁଣହେ ରାମ କାହାଣୀ'ର କାହାଣୀ ବି ଦର୍ଶକଙ୍କୁ ପ୍ରଭାବିତ କରିଥିବା ବେଳେ, ତାକୁ ବି ନେଇ ପ୍ରତିବାଦର ସ୍ବର ଉଠିଛି। ଏହା ଉପରେ କିଛି ନାଟ୍ୟକାର ତଥା ସମାଲୋଚକ କହିଛନ୍ତି, ଅଯଥା ବିବାଦୀୟ ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ, ବରଂ ଯାତ୍ରାରେ ସେନସର୍ ଆପଣାନ୍ତୁ। ଏହାଦ୍ଵାରା ଅନେକ ବିବାଦ ଦୂର ହୋଇଯିବ। ଅଧିକ ଭଲ ନାଟକ ମଞ୍ଚସ୍ଥ ହେବ।

ତେବେ ଯାତ୍ରାରେ ପ୍ରେମ ଓ ଧର୍ମ କିଛି ନୂଆ ନୁହେଁ । ଏବେ କିନ୍ତୁ ଟ୍ରେଣ୍ଡ୍ ଚାଲିଛି। ହେଲେ ଏହା ଯାତ୍ରାପାର୍ଟିର ପ୍ରଚାର ପାଇଁ ଉଦ୍ଦିଷ୍ଟ ନା ଅନ୍ୟ କିଛି ? ସତରେ କ'ଣ ଦର୍ଶକ ଏମିତି କାହାଣୀ ଚାହୁଁଛନ୍ତି ? କାରଣ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ କାହାଣୀ ଯେତିକି ଚର୍ଚ୍ଚା ହେଉଛି, ସେତିକି ପ୍ରଶ୍ନ ଉଠୁଛି। ମାତ୍ର ନାଟ୍ୟକାର କହୁଛନ୍ତି, ଏହା ବିବାଦ ନୁହେଁ, ବରଂ ମନୋରଞ୍ଜନ ଓ ସଚେତନତା ପାଇଁ କାହାଣୀ ଲେଖା ହେଉଛି, ନାଟକ ପରଷାଯାଉଛି ।