ଭଦ୍ରକ: ଗୋଟିଏ ବର୍ଷ ପାଇଁ ଦୁଇ ଦୁଇଟି ଯାତ୍ରା ପାର୍ଟି ଠାରୁ ଅଗ୍ରୀମ ନେଇ ଅଡ଼ୁଆରେ ଅଭିନେତା ଟିକିନା ପାଣିଗ୍ରାହୀ। ସେ ୨୦୨୬ ଓ ୨୭ ଯାତ୍ରା ଋତୁ ପାଇଁ ରାଜନନ୍ଦିନୀ ଏବଂ ତୁଳସୀ ଗଣନାଟ୍ୟ ଠାରୁ ଅଗ୍ରୀମ ନେଇଛନ୍ତି। ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ। ଶେଷରେ ଶୁକ୍ରବାର ସନ୍ଧ୍ୟାରେ ବସିଥିବା ବୈଠକରେ ସେ ଯାତ୍ରା ରାଜନନ୍ଦିନୀରୁ ମଞ୍ଚକୁ ଓହ୍ଲାଇବା ନେଇ ସ୍ପଷ୍ଟ କରିଛନ୍ତି।

ଏନେଇ ଯାତ୍ରା ରାଜନନ୍ଦିନୀ ପରିଚାଳକ ଭାନୁ ମିଶ୍ର କହିଛନ୍ତି, ଟିକିନା ପ୍ରଥମେ ରାଜନନ୍ଦିନୀରୁ ଟଙ୍କା ନେଇଥିଲେ, ଚୁକ୍ତି ପତ୍ର ମଧ୍ୟ କରିଥିଲେ । କିନ୍ତୁ ଅନ୍ୟ କାହାର ପ୍ରରୋଚନାରେ ସେ ଆଉ ଏକ ଅନୁଷ୍ଠାନରୁ ଟଙ୍କା ଆଣିଥିଲେ। ହେଲେ ଆଜି ବିଧିବଦ୍ଧ ଭାବରେ ଭଦ୍ରକର ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ସେ ନିଜେ ସ୍ବୀକାର କରିଛନ୍ତି ଏହା ତାଙ୍କର ଭୁଲ। ଏଭଳି କରିବା ଠିକ୍ ହୋଇନାହିଁ। ଏମିତିରେ ପ୍ରଥମେ ଯେଉଁଠାରୁ ଟଙ୍କା ନେଇଥିଲେ ସେଠାରୁ କାମ କରିବାକୁ କହିଛନ୍ତି।

ସେହିଭଳି ଏଭଳି ବାରମ୍ବାର କାହିଁକି ଘଟୁଛି ପ୍ରଶ୍ନରେ ରାଜନନ୍ଦିନୀ ପରିଚାଳକ କହିଛନ୍ତି, ଯଦି ତାଙ୍କୁ କେହି ଏଭଳି କରିବାକୁ ପ୍ରରୋଚିତ କରିନଥିଲେ ସେ ଏଭଳି କରିବାକୁ ସାହାସ କରିନଥାନ୍ତେ । ଏହା କିଏ କାହିଁକି କରିଛନ୍ତି ତାହା ଏବେ କହିବାର ଆବଶ୍ୟକ ନାହିଁ। ତେଣୁ ଯଦି ଯାତ୍ରାକୁ ବଞ୍ଚାଇବାକୁ ଚାହୁଛନ୍ତି ସବୁ ମାଲିକ, ସବୁ ମ୍ୟାନେଜର, ଯିଏ ଯେଉଁଠି ଚୁକ୍ତି କରିଛନ୍ତି, ଅନ୍ତତଃ ସେ ଗୋଟିଏ ବର୍ଷ ସେଠାରେ କାମ କରନ୍ତୁ।

କ’ଣ କହିଲେ ଟିକିନା ?

ସେହିଭଳି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଟିକିନା ପାଣିଗ୍ରାହୀ। ସେ କହିଛନ୍ତି ପ୍ରଥମେ ରାଜନନ୍ଦିନୀ ସହ ଚୁକ୍ତି ହୋଇଥିଲା। ହେଲେ କୌଣସି କାରଣରୁ ତୁଳସୀ ସହ ମଧ୍ୟ ଚୁକ୍ତି କରିଥିଲି। କିନ୍ତୁ ଏହା ମୋର ଭୁଲ ଥିଲା। ହେଲେ ଏବେ ମୁଁ ରାଜନନ୍ଦିନୀରେ ରହିବାକୁ ନିଷ୍ପତ୍ତି ନେଇଛି। ତୁଳସୀ ମାଲିକଙ୍କୁ ବୁଝାଇ କ୍ଷମା ମାଗିବି। ମଣିଷ ମାତ୍ରକେ ଭୁଲ।

ସେ ଆହୁରି କହିଛନ୍ତି ଏଭଳି ଆଗରୁ ମଧ୍ୟ ହୋଇଛି। ଅନେକ ଏଭଳି ଗୋଟିଏ ପାର୍ଟୀରୁ ଅନ୍ୟ ପାର୍ଟୀକୁ ଯାଇଛନ୍ତି। ତେବେ ଏଥର ରାଜନନ୍ଦିନୀରୁ ହିଁ ତାଙ୍କୁ ଦର୍ଶକ ଦେଖିବାକୁ ପାଇବେ ବୋଲି ସେ ସ୍ପଷ୍ଟ କରିଛନ୍ତି।