ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ ପାଇଁ ଖୁସି ଖବର। ଦଳକୁ ପେରିଲେ ଦ୍ରୁତ ବୋଲର ଯଶପ୍ରୀତ ବୁମରା। ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବୁମରାଙ୍କୁ ଫିଟ୍ ଘୋଷଣା କରାଯାଇଛି। ଆଗକୁ ଏସିଆନ ଗେମ୍ସ ଥିବା ବେଳେ ବୁମ୍ରାଙ୍କ ଉପସ୍ଥିତି ଦଳର ବୋଲିଂ ଆଟାକକୁ ମଜଭୁତ କରିବ।

ତେବେ ଦଳର ଅନ୍ୟ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ଉଭୟ ଆଫଗାନିସ୍ତାନ ସିରିଜ୍ ଏବଂ ଏସିଆନ୍ ଗେମ୍ସରୁ ବାଦ୍ ଦିଆଯାଇଛି। ରିହାବିଲିଟେସନ୍ ସମୟରେ ପୁଣି ଆହତ ହେବାରୁ ତାଙ୍କୁ ଦଳରୁ ବାହାର କରାଯାଇଛି। ତାଙ୍କ ସ୍ଥାନରେ ୟଶ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି।

ଏହା ବ୍ୟତୀତ ନୀତିଶ କୁମାର ରେଡ୍ଡୀ ଏବଂ ୱାଶିଂଟନ୍ ସୁନ୍ଦରଙ୍କୁ ମଧ୍ୟ ଫିଟନେସ୍ କ୍ଲିୟରାନ୍ସ ମିଳିଛି। ଆଫଗାନିସ୍ତାନ ବିପକ୍ଷ ସିରିଜ୍ ପାଇଁ ତାଙ୍କ ସହ ବୁମରାଙ୍କ ଚୟନ ମଧ୍ୟ ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରୁଥିଲା। ଏବେ ଏମାନେ ଫିଟ୍ ହେବା ପରେ ଟିମ୍ ଇଣ୍ଡିଆ ଉଭୟ ବ୍ୟାଟିଂ ଓ ବୋଲିଂରେ ଷ୍ଟ୍ରଙ୍ଗ ହୋଲ୍ଡ ରଖିଛି।

କାହିଁକି ଟିମ୍ରୁ ବାହାରେ ଥିଲେ ବୁମରା?

ବାମ ଆଣ୍ଠୁ ପୁଣିଥରେ ଆଘାତ ଲାଗିବାରୁ ବୁମରା ଜୁଲାଇରେ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ଖେଳିପାରିନଥିଲେ। ଏହା ପରେ ଶ୍ରୀଲଙ୍କା ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍ରୁ ମଧ୍ୟ ସେ ବାଦ୍ ପଡ଼ିଥିଲେ। ଅନ୍ୟପଟେ, ଇଂଲଣ୍ଡ ଗସ୍ତ ସମୟରେ ୱାଶିଂଟନ୍ ସୁନ୍ଦର ହାମଷ୍ଟ୍ରିଙ୍ଗ୍ ଆଘାତର ଶିକାର ହୋଇଥିଲେ। ନୀତିଶ କୁମାର ରେଡ୍ଡୀ ଜୁନ୍ରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ସମୟରେ କ୍ୱାଡ୍ରିସେପ୍ସ ଆଘାତ ପାଇଥିଲେ। ଏବେ ଉଭୟ ଫିଟ୍ ହେବାରୁ ଭାରତୀୟ ଦଳରେ ପେସ୍ ଏବଂ ସ୍ପିନ୍ ଦୁଇ ପ୍ରକାର ବୋଲିଂ ବିକଳ୍ପ ମଜବୁତ ହୋଇଛି।

ପୁଣି ଆହତ ହେଲେ ହର୍ଷିତ ରାଣା

ଇଂଲଣ୍ଡ ଗସ୍ତ ସମୟରେ ହୋଇଥିବା ହାମଷ୍ଟ୍ରିଙ୍ଗ୍ ଆଘାତରୁ ସୁସ୍ଥ ହେଉଥିଲେ ହର୍ଷିତ ରାଣା। ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ରିହାବିଲିଟେସନ୍ ଚାଲିଥିବା ବେଳେ ସେ ପୁଣି ଆହତ ହୋଇଛନ୍ତି। ଏନେଇ ବିସିସିଆଇ କହିଛି ଯେ ସେ ରିହାବିଲିଟେସନ୍ରେ ଭଲ ପ୍ରଗତି କରୁଥିଲେ। କିନ୍ତୁ ସେପ୍ଟେମ୍ବର ୭ରେ ଏକ ମ୍ୟାଚ୍ ସିମୁଲେସନ୍ ସମୟରେ ବୋଲିଂ କରୁଥିବା ବେଳେ ତାଙ୍କ ରେକ୍ଟସ୍ ଫେମୋରିସ୍ରେ ଷ୍ଟ୍ରେନ୍(ପେଣ୍ଡା ମାଂସପେଷୀରେ ଆଘାତ ଲାଗିବା) ହୋଇଥିଲା। ଫଳରେ ତାଙ୍କୁ ଉଭୟ ଆଫଗାନିସ୍ତାନ ସିରିଜ୍ ଏବଂ ଏସିଆନ୍ ଗେମ୍ସରୁ ବାଦ୍ ଦିଆଯାଇଛି।

ୟଶ ଠାକୁରଙ୍କୁ ମିଳିଲା ସୁଯୋଗ

ହର୍ଷିତ ରାଣାଙ୍କ ବାଦ୍ ପଡ଼ିବା ପରେ ଭିଦର୍ଭର ୨୭ ବର୍ଷୀୟ ଦ୍ରୁତ ବୋଲର ୟଶ ଠାକୁରଙ୍କୁ ଭାରତୀୟ ଟି-୨୦ ଦଳରେ ସାମିଲ କରାଯାଇଛି। ଚଳିତ ବର୍ଷ ସେ ଭାରତ ପାଇଁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଜୁଲାଇରେ ଜିମ୍ବାୱେ ଗସ୍ତ ସମୟରେ ଠାକୁର ଦୁଇଟି ମ୍ୟାଚ୍ରେ ୪ଟି ୱିକେଟ୍ ନେଇଥିଲେ। ଉଭୟ ମ୍ୟାଚ୍ରେ ସେ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ସୟଦ୍ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ତାଙ୍କର ଭଲ ରେକର୍ଡ ରହିଛି। ୫୦ଟି ମ୍ୟାଚ୍ରୁ ସେ ୮୧ଟି ୱିକେଟ୍ ନେଇଛନ୍ତି। ତାଙ୍କ ଇକୋନୋମି ରେଟ୍ ୭.୦୪ ରହିଛି।

Also Read- ମହିଳା ଏସିଆ କପ୍ : ସେମିରେ ଭାରତ-ବାଂଲାଦେଶ ଟକ୍କର, ବିଜୟୀ ଟିମକୁ ଫାଇନାଲ ଟିକେଟ୍

ସମ୍ପ୍ରତି ଦୁଲୀପ୍ ଟ୍ରଫି ସେମିଫାଇନାଲରେ ସେଣ୍ଟ୍ରାଲ୍ ଜୋନ୍ ପକ୍ଷରୁ ଇଷ୍ଟ ଜୋନ୍ ବିପକ୍ଷରେ ଖେଳିଥିଲେ ଠାକୁର। ପ୍ରଥମ ଇନିଂସରେ ସେ ୩ଟି ୱିକେଟ୍ ନେଇଥିଲେ, ଯେଉଁଥିରେ ଇଶାନ କିଶନଙ୍କ ୱିକେଟ୍ ମଧ୍ୟ ରହିଥିଲା। ଦ୍ୱିତୀୟ ଇନିଂସରେ ସେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ୍ କରିଥିଲେ। ଆଇପିଏଲ୍‌ରେ ମଧ୍ୟ ଠାକୁରଙ୍କର ୪ଟି ସିଜନ୍ର ଅଭିଜ୍ଞତା ରହିଛି। ଏହି ସମୟରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଦୁଇଟି ଲେଖାଏଁ ସିଜନ୍ ଖେଳିଛନ୍ତି।

କେବେ ହେବ ଆଫଗାନିସ୍ତାନ ସିରିଜ୍?

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍ ସେପ୍ଟେମ୍ବର ୧୩, ୧୫ ଏବଂ ୧୭ ତାରିଖରେ ଖେଳାଯିବ। ତିନୋଟି ମ୍ୟାଚ୍ ଦିଲ୍ଲୀରେ ହେବ। ଏହା ପରେ ଏହି ଦଳ ଏସିଆନ୍ ଗେମ୍ସ ପାଇଁ ଜାପାନ ଗସ୍ତ କରିବ। ଏସିଆନ୍ ଗେମ୍ସରେ ଭାରତ ସେପ୍ଟେମ୍ବର ୨୮ରୁ ନିଜର ଅଭିଯାନ ଆରମ୍ଭ କରିବ। ଭାରତ ସିଧାସଳଖ କ୍ୱାର୍ଟରଫାଇନାଲ୍ରୁ ଖେଳିବ। ସେପ୍ଟେମ୍ବର ୧ରେ ସେମିଫାଇନାଲ୍ ଏବଂ ଅକ୍ଟୋବର ୩ରେ ଫାଇନାଲ୍ ଖେଳାଯିବ।

ଆଫଗାନିସ୍ତାନ ସିରିଜ୍ ଓ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ

ଶ୍ରେୟସ ଆୟର୍ (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ୍ (ୱିକେଟ୍କିପର), ଇଶାନ କିଶନ୍ (ୱିକେଟ୍କିପର), ତିଳକ ବର୍ମା (ଉପଅଧିନାୟକ), ଶିବମ ଦୁବେ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ୍, ୱାଶିଂଟନ୍ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ ଏବଂ ୟଶ ଠାକୁର।