ଭୁବନେଶ୍ୱର ୧୦।୧୧ : ଓଡ଼ିଶା-ଜାପାନ ମଧ୍ୟରେ ବଢ଼ିବ ବ୍ୟବସାୟିକ ସମ୍ପର୍କ। ଷ୍ଟାର୍ଟଅପ୍ ଓ ଶିଳ୍ପ କ୍ଷେତ୍ରରେ ଖୋଲିବ ନୂଆ ସମ୍ଭାବନା। ଓଡ଼ିଶାରେ ନିବେଶ ଏବଂ ବ୍ୟବସାୟିକ ସହଯୋଗର ନୂଆ ଦିଗ ଖୋଜିବାକୁ ଆଗେଇ ଆସିଛି ଜାପାନ।

ଏହି ଲକ୍ଷ୍ୟରେ ଜାପାନର ଟୋଟୋରି ପ୍ରିଫେକ୍ଚରର ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ଷ୍ଟାର୍ଟଅପ୍ ଓଡ଼ିଶାର ଓ-ହବ୍ ପରିଦର୍ଶନ କରିଛନ୍ତି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶା ଓ ଜାପାନ ମଧ୍ୟରେ ଷ୍ଟାର୍ଟଅପ୍, ନିବେଶ ଏବଂ ବ୍ୟବସାୟିକ ସହଯୋଗକୁ ଆହୁରି ସୁଦୃଢ଼ କରିବା।

Also Read:-ଦେବ୍ରିଗଡ଼ରେ ବାଘର ଶିକାର, ସୁରକ୍ଷା ପାଇଁ ବଢ଼ିଲା ପାଟ୍ରୋଲିଂ

ଏହି ଅବସରରେ ଓଡ଼ିଶା ସରକାରଙ୍କ ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଜାପାନର ଟୋଟୋରି ପ୍ରିଫେକ୍ଚର ସହ ଜଡ଼ିତ ଦୁଇଟି ସଂସ୍ଥା ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷର ହେବାକୁ ଯାଉଛି। ଏହି ବୁଝାମଣା ଦ୍ୱାରା ଉଭୟ ପକ୍ଷ ମଧ୍ୟରେ ଷ୍ଟାର୍ଟଅପ୍ ବିନିମୟ, ନିବେଶ, ଶିଳ୍ପ ସହଯୋଗ ଏବଂ ନୂଆ ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି।

ସେହିପରି ଓଡ଼ିଶାର ସଷ୍ଟେନେବିଲିଟି ଲିଡର୍ସ ଏବଂ ଜାପାନର ONESTRUCTION Inc. ମଧ୍ୟରେ ମଧ୍ୟ ଆଉ ଏକ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଏହା ମାଧ୍ୟମରେ ସ୍ଥାୟୀ ବିକାଶ ଓ ବ୍ୟବସାୟିକ ସହଯୋଗ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଛନ୍ତି। ଓଡ଼ିଶାର ଉଦ୍ୟୋଗୀ ଓ ନୂଆ ଷ୍ଟାର୍ଟଅପ୍ଗୁଡ଼ିକୁ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ିବା ଦିଗରେ ଏହି ସହଯୋଗ ଗୁରୁତ୍ୱ ବହନ କରିବ।