ନୂଆଦିଲ୍ଲୀ ୨୮।୦୬; ଜାପାନରେ ପୁଣି ଭୂକମ୍ପ ଝଟକା। ରବିବାର ସକାଳେ, ଦେଶର ଉତ୍ତର ଭାଗରେ ଆଉ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୪୦ କିଲୋମିଟର ଗଭୀରରେ ଅବସ୍ଥିତ ଥିଲା ବୋଲି ଅନୁମାନ କରାଯାଉଛି । ଏହାକୁ ମିଶାଇ ମାତ୍ର ଚାରି ଦିନ ମଧ୍ୟରେ ଜାପାନରେ ଏହା ତୃତୀୟ ଥର ପାଇଁ ବଡ଼ ଧରଣର ତଥା ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାକୁ ନେଇ ବୈଜ୍ଞାନିକ ଏବଂ ସରକାରଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି ହୋଇଛି। ଭୂକମ୍ପ ପରେ କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ । 

ଜାପାନ ପାଣିପାଗ ସଂସ୍ଥା (ଜେଏମଏ) ଅନୁଯାୟୀ, ରବିବାର ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ଇୱାଟେ ପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିଲା। ସ୍ଥାନୀୟ ସମୟ ପ୍ରାୟ ସକାଳ ୫ଟା ୨୧ ସମୟରେ, ଲୋକମାନେ ନିଜ ନିଜ ଘରେ ଶୋଇଥିବା ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା।  ରିପୋର୍ଟ ଅନୁସାରେ, ଆଓମୋରି ପ୍ରଦେଶର ହାଚିନୋହେ ସହରରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ପ୍ରାରମ୍ଭିକ ସୂଚନା ଅନୁସାରେ, ଏଥିରେ କୌଣସି ଧନଜୀବନ ହାନିର ରିପୋର୍ଟ ହୋଇନାହିଁ। ଗତ ୯୬ ଘଣ୍ଟା ମଧ୍ୟରେ ଜାପାନରେ ଘଟିଥିବା ଭୂକମ୍ପ ୨୦୧୧ ମସିହାର ସ୍ମୃତିକୁ ତାଜା କରିଛି । 

ଗୁରୁବାର ଅର୍ଥାତ୍‌ ଜୁନ୍ ୨୫ ଦିନ ଉତ୍ତର ଜାପାନର ଇୱାଟେ ପ୍ରଦେଶରେ ଏକ ୭.୨ ତୀବ୍ରତାର ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ଶୁକ୍ରବାର ରାତିରେ ଜୁନ୍ ୨୬ ଟୋକିଓ ଏବଂ ମାଉଣ୍ଟ ଫୁଜି ନିକଟରେ ଥିବା ୟାମାନାସି ପ୍ରିଫେକ୍ଚରରେ ୫.୬ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ରବିବାର ସକାଳେ ପୁଣି ଥରେ ଇୱାଟେ ପ୍ରଦେଶରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ରବିବାରର ଭୂମିକମ୍ପରେ କ୍ଷୟକ୍ଷତିର ରିପୋର୍ଟ ବହୁତ କମ୍ ଥିଲେ ମଧ୍ୟ, ଶୁକ୍ରବାର ରାତିର ଭୂମିକମ୍ପ ଜାପାନର ବିଭିନ୍ନ ସହରକୁ ପ୍ରଭାବିତ କରିଥିଲା।