ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଜଳେଶ୍ୱର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି କହିବା ସହ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସେ ସୂଚନା ଦେଇଛନ୍ତି। ଏଥିସହ ତଦନ୍ତରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଘଟଣାରେ ଫାଣ୍ଡି ଅଧିକାରୀ କାହିଁକି ଠିକ୍ ସମୟରେ ଆବଶ୍ୟକ ପଦକ୍ଷେପ ନେଇ ନଥିଲେ, ତାହାକୁ ଗୁରୁତ୍ୱର ସହ ନିଆଯାଇଛି। ଏହି ଅବହେଳା ପାଇଁ ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି। ଘଟଣା ସମ୍ପର୍କିତ ଫରେନସିକ୍ ତଥ୍ୟର ଯାଞ୍ଚ ଚାଲିଥିବା ସେ କହିଛନ୍ତି। ଏହି ମାମଲାରେ ଯେଉଁମାନଙ୍କର ସମ୍ପୃକ୍ତି ପ୍ରମାଣିତ ହେବ, ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ମିଳିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Also Read: ଅସୁସ୍ଥ ପିଲା ପାଇଁ ମିଳିଲାନି ଛୁଟି, ଥାନାରେ କାନ୍ଦିଲେ ମହିଳା କନଷ୍ଟେବଲ

ଅନ୍ୟପଟେ ରାଜ୍ୟରେ ଆଇନଶୃଙ୍ଖଳା ଓ ମହିଳା ସୁରକ୍ଷାକୁ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି ମନ୍ତ୍ରୀ। ବିରୋଧୀ ରାଜ୍ୟରେ ଭୟର ବାତାବରଣ ଥିବା କଥା କହୁଥିବା ବେଳେ ସରକାର ତଥ୍ୟ ଆଧାରରେ ନିଜ ପକ୍ଷ ରଖିଛନ୍ତି। ଗୋଟିଏ ଆଙ୍ଗୁଠି ସରକାରଙ୍କ ଆଡ଼କୁ ଦେଖାଇଲେ, ବାକି ଚାରିଟି ଆଙ୍ଗୁଠି ନିଜ ଆଡ଼କୁ ଦେଖାଉଛି ବୋଲି କହି ବିରୋଧୀଙ୍କୁ ପାଲଟା ଜବାବ ଦେଇଛନ୍ତି।

 

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଜେପି ସରକାର ଅମଳରେ ରେଡ୍ ଫ୍ଲାଗ୍ ମାମଲାରେ ୫୯ ପ୍ରତିଶତରୁ ଅଧିକ ଦଣ୍ଡବିଧାନ ହୋଇଛି। ଏହା ଅପରାଧୀଙ୍କ ମନରେ ଆଇନ ପ୍ରତି ଭୟ ସୃଷ୍ଟି କରିଛି। ୨୦୨୪ରୁ ୨୦୨୬ ମଧ୍ୟରେ ରାଜ୍ୟରେ ଅପରାଧ ହ୍ରାସ ପାଇଥିବା ନେଇ ମଧ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ରଖାଯାଇଛି।

ରାଜ୍ୟ ପୋଲିସକୁ ଅଧିକ ସଶକ୍ତ କରିବା ସହ ଅପରାଧ ନିୟନ୍ତ୍ରଣ ଓ ଦୋଷୀଙ୍କୁ ଦଣ୍ଡ ଦେବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ପୋଲିସ ନିଜର ସାମର୍ଥ୍ୟ ଓ ଦକ୍ଷତା ଅନୁଯାୟୀ କାମ କରିବ। ଅପରାଧୀଙ୍କୁ ଦଣ୍ଡିତ କରି ଓଡ଼ିଶାକୁ ଭୟମୁକ୍ତ କରିବା ଦିଗରେ ପୋଲିସ ସଫଳ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଏଥିସହ NCRB ଓ ପୋଲିସର ତଥ୍ୟକୁ ନେଇ ସରକାର ଯେଉଁ ତଥ୍ୟ ଉପସ୍ଥାପନ କରିଥିଲେ, ତାହାକୁ ବିରୋଧୀ ଖଣ୍ଡନ କରିନାହାନ୍ତି ବୋଲି ସେ ଦାବି କରିଛନ୍ତି। ଅପରାଧ ଭଳି ଗମ୍ଭୀର ପ୍ରସଙ୍ଗରେ ରାଜନୀତି ନକରି ସମସ୍ତେ ଏକାଠି ହୋଇ ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ଉଦ୍ୟମ କରିବା ଉଚିତ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହ୍ୱାନ ଦେଇଛନ୍ତି।