ଭୁବନେଶ୍ୱର : ରାଜସ୍ଥାନର ଜୟପୁରରୁ ଆସିଛି ଏକ ଚମକାଇଦେଲା ଭଳି ଘଟଣା। CCTVରେ କଏଦ ହେଲା ସମ୍ପୂର୍ଣ୍ଣ ଘଟଣା । ହଠାତ ସୁନା ଦୋକାନରୁ ସୁନା ନେଇ ଦୌଡ଼ିଲେ ମହିଳା, ଧରାପଡ଼ିବା ପରେ କହିଲେ ଏମିତି କଥା ଯାହାକୁ ଶୁଣି ପୋଲିସ ସମେତ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ । ମିଳିଥିବା ସୂଚନା ଅନୁଯାଇ, ମହିଳା ଜଣକ ଗ୍ରାହକ ସାଜି ଏକ ଗହଣା ଦୋକାନକୁ ପ୍ରବେଶ କରିଥିଲେ। ସୁନାର ଆଙ୍ଗୁଠି ଦେଖିବା ବାହାନାରେ ସେ ଦୋକାନୀଙ୍କୁ ବ୍ୟସ୍ତ ରଖିଥିଲେ। କିନ୍ତୁ ସୁଯୋଗ ମିଳିବା ମାତ୍ରେ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଆଙ୍ଗୁଠି ଭର୍ତ୍ତି ବକ୍ସ ନେଇ ଦୋକାନରୁ ଦୌଡ଼ି ପଳାଇଥିଲେ। ଆଉ ସମଗ୍ର ଘଟଣାଟି ଦୋକାନରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଥିଲା ।

ତେବେ ଘଟଣାଟି ଜୟପୁରର ଝୋଟୱାଡା ଅଞ୍ଚଳର ନିୱାରୁ ରୋଡ୍ ସ୍ଥିତ ଲକ୍ଷ୍ମୀ ନଗରର ଏକ ଗହଣା ଦୋକାନରେ ଘଟିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ମହିଳା ଜଣକ ଦୋକାନକୁ ଆସି ପ୍ରଥମେ ସୁନାର ଆଙ୍ଗୁଠି ଦେଖିବାକୁ କହିଥିଲେ। ଦୋକାନୀ ତାଙ୍କ ସମ୍ମୁଖରେ ୨୫ଟି ସୁନାର ଆଙ୍ଗୁଠି ଥିବା ଏକ ବକ୍ସ ରଖିଥିଲେ। ମହିଳା ଦୁଇଟି ଆଙ୍ଗୁଠି ପସନ୍ଦ କରିଥିବା ଅଭିନୟ କରିବା ସହ ଅନଲାଇନ୍ ପେମେଣ୍ଟ କରିବାକୁ ତାଙ୍କ ବାପାଙ୍କୁ ଫୋନ୍ କରିବେ ବୋଲି କହିଥିଲେ। ଏହି ସମୟରେ ଦୋକାନୀ ଅନ୍ୟ ଜଣେ ଗ୍ରାହକଙ୍କ ସହ ବ୍ୟସ୍ତ ହୋଇପଡ଼ିଥିଲେ। ଆଉ ସେହି ସୁଯୋଗର ଫାଇଦା ଉଠାଇ ମହିଳା ଜଣକ ହଠାତ୍ ସମ୍ପୂର୍ଣ୍ଣ ଗହଣା ବକ୍ସଟି ଉଠାଇଲେ ଆଉ ଦୋକାନରୁ ଦୌଡ଼ି ପଳାଇଥିଲେ। ତେବେ ଦୋକାନୀ ଏବଂ ତାଙ୍କ ଜଣେ କର୍ମଚାରୀ ତୁରନ୍ତ ମହିଳାଙ୍କ ପଛରେ ଦୌଡ଼ିଥିଲେ। କିଛି ଦୂର ପର୍ଯ୍ୟନ୍ତ ପିଛା କରିବା ପରେ ମହିଳାଙ୍କୁ କାବୁ କରିଥିଲେ ଏବଂ ସମସ୍ତ ସୁନା ଗହଣା ସୁରକ୍ଷିତ ଭାବେ ଫେରି ପାଇଥିଲେ ଦୋକାନୀ ।

କିନ୍ତୁ ଧରାପଡ଼ିବା ପରେ ମହିଳାଙ୍କ କଥା ସମସ୍ତଙ୍କୁ ଚକିତ କରିଦେଇଥିଲା। ସେ କୁଆଡ଼େ କହିଥିଲେ “ମୁଁ ଜେଲ୍ ଯିବାକୁ ଚାହୁଁଛି, ସେଥିପାଇଁ ଏଭଳି କରିଛି।” ଖବର ଅନୁସାରେ, ମହିଳାଙ୍କ ପର୍ସରୁ ଲଙ୍କା ଗୁଣ୍ଡ ଏବଂ ସ୍ପ୍ରେ ମଧ୍ୟ ମିଳିଥିବା ଅଭିଯୋଗ ରହିଛି। ତେଣୁ ଏହି ଘଟଣା ପୂର୍ବରୁ ଯୋଜନାବଦ୍ଧ ଥିଲା କି ନାହିଁ ଏବଂ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ କରୁଛି। ବର୍ତ୍ତମାନ ଏହାର CCTV ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ମାମଲାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ମହିଳା ଜଣକ ସତରେ ଜେଲ୍ ଯିବା ପାଇଁ ଏଭଳି କରିଥିଲେ, ନା ଏହା ପଛରେ ରହିଛି ଆଉ କୌଣସି ରହସ୍ୟ ତାହା ତଦନ୍ତ ପରେ ଜଣାପଡିବ ।