ଜଗତସିଂହପୁର: ବହିକୁ ନେଇ କେତେ କଣ ଝଡ଼ ବହିବାରେ ଲାଗିଛି। କଉଟା ଠିକ୍ କଉଟା ଭୁଲ୍ ଏହି ଦ୍ବନ୍ଦ୍ବ ଭିତରେ ରହିଛନ୍ତି ଛାତ୍ରଛାତ୍ରୀ । ତେବେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଶାସନ ଅଳାଭର ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ଟେନସନ ଆହୁରି ଅଧିକ । ଆଉ ମାସକ ପରେ ଶେଷ ଶିକ୍ଷକ ଜଣକ ଅବସର ନେଇଯିବେ। ଏହା ପରେ ସମ୍ପୂର୍ଣ୍ଣ ଶିକ୍ଷକ ଶୂନ୍ୟ ହୋଇଯିବ ଏହି ସ୍କୁଲ । ସୁତାଖିଅରେ ଝୁଲୁଛି ଦେଢଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଚିନ୍ତାରେ ପଡିଛନ୍ତି ସମ୍ପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅବିଭାବକ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ।

ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଶାସନ ଅଳାଭର ହାଇସ୍କୁଲର ହିନ୍ଦୀ ଶିକ୍ଷକ ପ୍ରବୋଧ ଚନ୍ଦ୍ର ମହାନ୍ତିଙ୍କୁ ଦିଆଯାଉଛି ଫେୟାରୱେଲ। ମାନେ ପ୍ରବୋଧ ଚନ୍ଦ୍ର ଆଜିଠାରୁ ଅବସର ନେଲେ। ସ୍କୁଲର ପିଲାମାନେ ଏବଂ ଅନ୍ୟମାନେ ତାଙ୍କୁ ବିଦାୟ ଦେଉଛନ୍ତି। ପିଲାମାନଙ୍କ ଆଖିରେ ଲୁହ। ଚିନ୍ତାର ବିଷୟ ହେଉଛି ପ୍ରବୋଧଙ୍କ ପରେ ସ୍କୁଲରେ ରହିଲେ ଆଉ ଜଣେ ଶିକ୍ଷକ ତ୍ରିଲୋଚନ ଶତପଥୀ। ସେ ଆର ମାସରେ ଅବସର ନେବେ। ମାନେ ମାସକ ପରେ ସ୍କୁଲ ହୋଇଯିବ ସମ୍ପୂର୍ଣ୍ଣ ଶିକ୍ଷକ ଶୂନ୍ୟ। କେବଳ ପିଲା ଥିବେ, ଘର ଥିବ ଜଣେ ବି ଶିକ୍ଷକ ନଥିବେ । ତେଣୁ ପିଲାମାନେ କେମିତି ପଢ଼ିବେ ସେମାନଙ୍କର ଭାଳେଣି ପଡ଼ିଲାଣି।

Also Read: ଦଶମ ଶ୍ରେଣୀ ଛାତ୍ରୀଙ୍କୁ କରୁଥିଲା ପ୍ରେମ ନିବେଦନ, ମନା କରିବାରୁ ଜାଳି ମାରିବାକୁ ଉଦ୍ୟମ

ଅଳାଭର ଅଞ୍ଚଳର ଏହି ସ୍କୁଲଟି ୪୦ ବର୍ଷ ତଳେ ପ୍ରତିଷ୍ଠା ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ଅଧୀନରେ ୧୫ ରୁ ଉର୍ଦ୍ଧ୍ଵ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପାଇଥିଲେ। ଏହି ସ୍କୁଲକୁ ସରକାର ନିଜ ଅଧୀନକୁ ନେଇ ବ୍ଲକ ଗ୍ରାଣ୍ଡ ମାନ୍ୟତା ଦେଲେ । ଭଲ ପାଠ ପଢା ହେଉଥିବାରୁ ସ୍କୁଲରେ ୩୫୦ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ଛାତ୍ରଛାତ୍ରୀ ଭଲ ରେଜଲ୍ଟ ବି କରୁଥିଲେ। କିଛି ବର୍ଷ ଧରି ପ୍ରାୟ ୧୦ ଜଣ A1 ଗ୍ରେଡରେ ପାସ କଲେ। କିନ୍ତୁ ଧିରେ ଧିରେ ଜଣକ ପରେ ଜଣେ ଶିକ୍ଷକ ଅବସର ନେଲେ। ସ୍କୁଲର ପିଲା ସଂଖ୍ୟା ୧୩୭କୁ ଖସି ଆସିଲାଣି। ଗତ ୩ ବର୍ଷରେ ପିଲାମାନେ A1 ଗ୍ରେଡ ବି ପାଉନାହାନ୍ତି। ମାସକ ପରେ ସ୍କୁଲ ହୋଇଯିବ ଶିକ୍ଷକ ଶୂନ୍ୟ।

Also Read: ଆସୁଛି ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ, ୭ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ଆଲର୍ଟ ଜାରି

ଚିନ୍ତାରେ ପଡ଼ିଛନ୍ତି ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ। କାରଣ ମାସକ ପରେ ସ୍କୁଲ ଘର ଥିବ ପିଲା ଥିବେ, କିନ୍ତୁ ପାଠପଢା ହୋଇପାରିବନି। ଏ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀ ଅବଗତ ହୋଇଛନ୍ତି। ଆମଠାରୁ ସ୍କୁଲ ବିଷୟରେ ଶୁଣିବା ପରେ ଶିକ୍ଷକ ନିଯୁକ୍ତ ହେବେ ବୋଲି ଆଶ୍ବାସନା ଦେଇଛନ୍ତି। ଯେତେବେଳେ ଅନ୍ୟ ଆଡ଼େ ତ୍ରୁଟିପୂର୍ଣ୍ଣ ବହିକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ଅଛନ୍ତି, ଯେତେବେଳେ ଶିକ୍ଷକମାନେ ତ୍ରୁଟି ସୁଧାରି ପଢ଼ାଇବେ ବୋଲି କୁହାଯାଉଛି, ଓଳାଭର ସ୍କୁରର ପିଲାମାନେ ଶିକ୍ଷକଙ୍କୁ ନେଇ ଚିନ୍ତାରେ ଅଛନ୍ତି। ତୁରନ୍ତ ଏଠାରେ ଶିକ୍ଷକ ନିଯୁକ୍ତ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।