ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଅନ୍ତର୍ଗତ କମଳା ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ। ଶ୍ରେଣୀଗୃହରେ ବସିଥିବା ବେଳେ ଛାତ୍ରୀଙ୍କ ବ୍ୟାଗ୍ ଭିତରୁ ବିସ୍ଫୋରଣ ଭଳି ଶବ୍ଦ ଶୁଣାଯିବା ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତେବେ ପୋଲିସ ତଦନ୍ତ ବେଳେ ଛାତ୍ରୀଙ୍କ ବ୍ୟାଗ୍‌ରୁ କିଛି ବାଣ ମିଳିଥିବା ଜଣାପଡ଼ିଛି। ମୃତ ଛାତ୍ରୀ ହେଲେ ବିଶ୍ୱରୂପା ବେହେରା।

ସୂଚନା ଅନୁସାରେ, ସୋମବାର ଦିନ ପ୍ରାୟ ୧୧ଟା ସମୟରେ ସେ ଶ୍ରେଣୀଗୃହରେ ବସିଥିବା ବେଳେ ହଠାତ୍ ତାଙ୍କ ବ୍ୟାଗ୍ ଭିତରୁ କିଛି ବିସ୍ଫୋରଣ ହେବା ଭଳି ଶବ୍ଦ ଶୁଣାଯାଇଥିଲା। ସେହି ସମୟରେ ପାଠ ପଢ଼ାଉଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ରାଉତ ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। ପରେ ବିଶ୍ୱରୂପା ନିଜ ବସିବା ସ୍ଥାନରେ ଚେତାଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।

ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କ ପରିବାରକୁ ଖବର ଦେବା ସହ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିବା ସହ ଛାତ୍ରୀଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି। ପୋଲିସ ସ୍କୁଲରେ ପହଞ୍ଚି ତଦନ୍ତ କରିବା ସମୟରେ ମୃତ ଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ରୁ କିଛି ବାଣ ମିଳିଥିବା ପ୍ରଧାନ ଶିକ୍ଷୟିତ୍ରୀ ସୂଚନା ଦେଇଛନ୍ତି।

Also Read: ଆଠମଲ୍ଲିକରେ STFର ବଡ଼ ଚଢ଼ାଉ, ୪ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଅନ୍ୟପକ୍ଷରେ, ଛାତ୍ରୀଙ୍କ ମୃତ୍ୟୁ ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀମାନେ ତାଙ୍କ ଗାଁ ମହାଦେଆଡ଼ିଆରେ ପହଞ୍ଚିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଓ ମଣ୍ଡଳ ଶିକ୍ଷାଧିକାରୀ ମୃତ ଛାତ୍ରୀଙ୍କ ବାପା ରବିନାରାୟଣ ବେହେରାଙ୍କୁ ଭେଟି ସମବେଦନା ଜଣାଇବା ସହ ପରିବାର ସହ ଆଲୋଚନା କରିଥିଲେ। ପରିବାରକୁ ସହାୟତା ସ୍ୱରୂପ ବିଦ୍ୟାଳୟ ପକ୍ଷରୁ ୨୦ ହଜାର ଟଙ୍କା ଏବଂ ମଣ୍ଡଳ ଶିକ୍ଷାଧିକାରୀଙ୍କ ପକ୍ଷରୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଛି।

ତେବେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଇଛି। ଘଟଣାର ସଠିକ୍ ତଦନ୍ତ ସହ ମୃତ ଛାତ୍ରୀଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।