ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ବଡ଼ ପଦକ୍ଷେପ ନେଇଛନ୍ତି । ସେ ଏହି ମାମଲାରେ 'ସରକାରୀ ସାକ୍ଷୀ' ହେବା ପାଇଁ ପୂର୍ବରୁ ଦେଇଥିବା ଆବେଦନକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ ପ୍ରତ୍ୟାହାର କରିଛନ୍ତି ।

ଜ୍ୟାକଲିନଙ୍କ ଓକିଲ କୋର୍ଟଙ୍କୁ ଜଣାଇଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଅଭିନେତ୍ରୀ ଏହି ଆବେଦନକୁ ଆଗକୁ ବଢ଼ାଇବାକୁ ଚାହୁଁନାହାନ୍ତି । ଏହି ପଦକ୍ଷେପ ପରେ କୋର୍ଟ ତାଙ୍କୁ ଆବେଦନ ଫେରାଇ ନେବାକୁ ଅନୁମତି ଦେଇଛନ୍ତି । ଯଦି ସେ ସରକାରୀ ସାକ୍ଷୀ ହୋଇଥାନ୍ତେ, ତେବେ ତାଙ୍କୁ ମାମଲାର ସମସ୍ତ ସତ୍ୟତା ପ୍ରକାଶ କରିବାକୁ ପଡ଼ିଥାନ୍ତା, ଯାହା ବଦଳରେ ତାଙ୍କୁ ଦଣ୍ଡରୁ କୋହଳ ମିଳିବାର ସମ୍ଭାବନା ଥାନ୍ତା । କିନ୍ତୁ ଏବେ ସେ ଜଣେ ଅଭିଯୁକ୍ତ ଭାବେ ହିଁ ମାମଲାର ସାମନା କରିବେ ।

ଏହି ପୂରା ମାମଲା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଛି ଯେ, ସୁକେଶ ବିଭିନ୍ନ ଲୋକଙ୍କୁ ଠକି ରୋଜଗାର କରିଥିବା ଟଙ୍କାରୁ ଜ୍ୟାକଲିନଙ୍କୁ କୋଟି କୋଟି ଟଙ୍କାର ଦାମୀ ଉପହାର ଦେଇଥିଲେ । ଏଥିରେ ବିଦେଶୀ ଘୋଡ଼ା, ଦାମୀ ବ୍ୟାଗ, ହୀରା ଗହଣା ଏବଂ କାର୍ ସାମିଲ ଥିବା କୁହାଯାଇଛି । ଇଡିର କହିବା ଅନୁଯାୟୀ, ଜ୍ୟାକଲିନ ଜାଣିଥିଲେ ଯେ ସୁକେଶ ଜଣେ ଅପରାଧୀ ଏବଂ ସେ ଦେଉଥିବା ଉପହାରଗୁଡ଼ିକ ଅସାଧୁ ଉପାୟରେ ଅର୍ଜିତ ଟଙ୍କାରୁ କିଣାଯାଇଛି । ଏହି କାରଣରୁ ତଦନ୍ତକାରୀ ସଂସ୍ଥା ତାଙ୍କୁ ଏହି ମାମଲାରେ ଜଣେ ଅଭିଯୁକ୍ତ ଭାବେ ଦର୍ଶାଇଛି ।

ଜ୍ୟାକଲିନ ବର୍ତ୍ତମାନ ଜାମିନରେ ଅଛନ୍ତି । ସରକାରୀ ସାକ୍ଷୀ ହେବା ଆବେଦନ ପ୍ରତ୍ୟାହାର କରିବା ପରେ ଏବେ ତାଙ୍କ ବିରୋଧରେ ଟ୍ରାଏଲ୍ ବା ବିଚାର ପ୍ରକ୍ରିୟା ପୂର୍ବପରି ଜାରି ରହିବ । ତାଙ୍କୁ କୋର୍ଟରେ ପ୍ରମାଣ କରିବାକୁ ପଡ଼ିବ ଯେ ସେ ନିର୍ଦ୍ଦୋଷ ଏବଂ ଏହି ଠକେଇ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନଥିଲା ।