ଭୁବନେଶ୍ୱର ୨୪।୧୨: ରାଜ୍ୟରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)କୁ ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର କରାଯିବ । ଏଥିପାଇଁ ପ୍ରତି ଆଇଟିଆଇରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର । ଶିଳ୍ପ ସମକକ୍ଷ ଉପକରଣ ରହିବ । ଅତ୍ୟାଧୁନିକ ଲାବୋରେଟୋରି କରାଯିବ । ରୋବେଟିକ୍ସ, କୃତ୍ରିମ ବୁଦ୍ଧିମତା (ଏଆଇ) ଭଳି ନୂତନ ପାଠ୍ୟକ୍ରମକୁ ସାମିଲ କରାଯିବ । ଏଥିରେ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯିବ । ରାଜ୍ୟର ୨୫ଟି ଆଇଟିଆଇରେ ଏହି ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ । ଏଥିପାଇଁ ମୋଟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଚଳିତ ଆର୍ଥିକ ବର୍ଷ (୨୦୨୫-୨୬) ରେ ୧୦୦ କୋଟି ଓ ଆସନ୍ତା ଆର୍ଥିକ ବର୍ଷ (୨୦୨୬-୨୭) ପାଇଁ ୧୦୦ କୋଟି ଦିଆଯିବ ।

ପ୍ରତି ଆଇଟିଆଇ ପାଇଁ ସରକାର ୮ କୋଟି ଟଙ୍କା ପ୍ରଦାନ କରିବେ । ଏନେଇ ଏକ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ଏହି ମାର୍ଗଦର୍ଶିକା ଅନୁଯାୟୀ ଉତ୍କର୍ଷ କେନ୍ଦ୍ର କରିବା ଦ୍ୱାରା ଇଣ୍ଡଷ୍ଟ୍ରି ଇଣ୍ଟିଗ୍ରେଡେଟ୍ ଲାବୋରେଟୋରି ରହିବ । ସ୍ମାର୍ଟ କ୍ଲାସ୍ରୁମ୍, ଟେକ୍ନୋଲୋଜି ଯୁକ୍ତ ପାଠପଢ଼ା ସୁବିଧା କରାଯିବ । ଏହି ଉତ୍କର୍ଷ କେନ୍ଦ୍ର ଗୁଣାତ୍ମକମାନର ଧନ୍ଦାମୂଳକ ତାଲିମ ପ୍ରଦାନ କରିବ । ଭବିଷ୍ୟତ ପ୍ରସ୍ତୁତ ଦକ୍ଷତା ସହ ଅଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ପାଇଁ ନିୟମିତ ଭାବେ ତାଲିମ ପ୍ରଦାନ କରିବ । ଶିଳ୍ପ-ଶିକ୍ଷା ସମନ୍ୱୟକୁ ନେଇ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ । ରାଜ୍ୟର ୩୦ଟି ଯାକ ଜିଲ୍ଲାର ଆଇଟିଆଇରୁ ଶିକ୍ଷାର୍ଥୀ, ଅଧ୍ୟାପକମାନେ ଏହି ଯୋଜନାରେ ସାମିଲ ହେବେ । ତାଲିମ ସମୟରେ ସର୍ବନିମ୍ନ ୩୦ ପ୍ରତିଶତ ଛାତ୍ରୀ, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ, ଏସ୍ସି ଓ ଏସ୍ଟି ବର୍ଗର ଶିକ୍ଷାର୍ଥୀଙ୍କୁ ସାମିଲ କରାଯିବ । ନ୍ୟୁଏଜ୍ ଟ୍ରେଡ୍କୁ ନେଇ ଉତ୍କର୍ଷ କେନ୍ଦ୍ର ଖୋଲିବ । ଏଥିସହ ୨ଟି ପୁରୁଣା ଟ୍ରେଡ୍କୁ ଆଧାର କରି ଏହାକୁ ରୂପାନ୍ତରୀକରଣ କରାଯିବ । ନ୍ୟୁଏଜ୍, ଶିଳ୍ପ ସଂପର୍କିତ ଟ୍ରେଡ୍କୁ ଗୁରୁତ୍ୱ ମିଳିବ । ଯେଉଁଥିରେ ରୋବୋଟିକ୍ସ, ଅଟୋମେସନ୍, ଇଲେକ୍ଟ୍ରିକ୍ ଯାନ ଟେକ୍ନୋଲୋଜି, ମେକାଟ୍ରୋନିକ୍ସ, ସିଏନ୍ସି ମେସିନଙ୍ଗ୍, କୃତ୍ରିମ ବୁଦ୍ଧିମତା ଭଳି ଟ୍ରେଡ୍ରେ ପିଲାଙ୍କୁ ଦକ୍ଷତା କରିବାକୁ ପ୍ରଶିକ୍ଷଣ ଦିଆଯିବ । ଏହାଦ୍ୱାରା ପିଲାମାନେ ନିଯୁକ୍ତି କ୍ଷେତ୍ରରେ ଆଗେଇ ପାରିବେ । ଏହି ୨୦୦ କୋଟି ଟଙ୍କାର ବଜେଟ୍ରେ ୧୨୧.୫୦ କୋଟି ଟଙ୍କା ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଖର୍ଚ୍ଚ ହେବ । ଯାହା ପ୍ରତି ଆଇଟିଆଇ ପାଇଁ ୪ରୁ ୫.୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିସହ ୪୮.୫୦ କୋଟି ଟଙ୍କାରେ ଟ୍ରେଡ୍ ଅପଗ୍ରେଡ୍ କରାଯିବ । ଏଥିରେ ପ୍ରତି ଆଇଟିଆଇ ଦେଢ଼ରୁ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରିବେ । ଭିତ୍ତିଭୂମି ବିକାଶ ପାଇଁ ୩୦ କୋଟି (ପ୍ରତି ଆଇଟିଆଇ ୧.୨୦ କୋଟି) ଖର୍ଚ୍ଚ ହେବ । ଏହାକୁ ଅନୁଧ୍ୟାନ କରିବା ଲାଗି ଏକ ଷ୍ଟିୟରିଂ କମିଟି ମଧ୍ୟ କରାଯାଇଛି ।