ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ୍ ଉପରେ ଆକ୍ରମଣ କରିଛନ୍ତି । ମଧ୍ୟପ୍ରାଚ୍ୟରେ ଏବେ ମହାଯୁଦ୍ଧ ଆରମ୍ଭ ହୋଇଛି । ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ଯୁଦ୍ଧର ରୂପ ନେଇଛି । ଇରାନର ବିଭିନ୍ନ ସ୍ଥାନରେ ମିସାଇଲ୍ ମାଡ଼ କରିଛି ଇସ୍ରାଏଲ ସେନା । ଏହାରି ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ତେହେରାନ ବାସଭବନ ଉପରେ ଇସ୍ରାଏଲ ମିସାଇଲ୍ ମାଡ଼ କରିଛି । ଏହାର ସାଟେଲାଇଟ୍ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଖାମେନିଙ୍କ ବାସଭବନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି ।

ଜଣେ ଇସ୍ରାଏଲୀ ଅଧିକାରୀଙ୍କ ଅନୁଯାୟୀ, ଶନିବାର ସକାଳେ ହୋଇଥିବା ଆକ୍ରମଣରେ ସର୍ବୋଚ୍ଚ ନେତା ଅଲି ଖାମେନି ଏବଂ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସମେତ ଅନେକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଟାର୍ଗେଟ କରାଯାଇଛି। ଆକ୍ରମଣ ପରେ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ଇସ୍ରାଏଲୀ ସେନା (IDF) ଅପରେସନ ରୋରିଂ ଲାୟନ ଅଧୀନରେ ପଶ୍ଚିମ ଇରାନରେ ଶତାଧିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଛି । ଏହାର ଭିଡିଓ ମଧ୍ୟ ଜାରି କରିଛି ।

 

ଇସ୍ରାଏଲ ବିଶ୍ବାସ କରୁଛି ଯେ, ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡସ୍ (IRGC)ର ମୁଖ୍ୟ ଜେନେରାଲ୍ ମହମ୍ମଦ ପାକପୁର ମଧ୍ୟ ଏହି ଆକ୍ରମଣରେ ନିହତ ହୋଇଥାଇପାରନ୍ତି। ଜୁନ୍ ୨୦୨୫ ଯୁଦ୍ଧ ସମୟରେ ଇସ୍ରାଏଲ ଆକ୍ରମଣରେ ତତ୍କାଳୀନ ଆଇଆରଜିସି ମୁଖ୍ୟ ହୋସେନ୍ ସଲାମିଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପରେ ପାକପୁର IRGCର କମାଣ୍ଡ ଗ୍ରହଣ କରିଥିଲେ। ଇସ୍ରାଏଲୀ ଅଧିକାରୀମାନେ ଏହା ମଧ୍ୟ ଆକଳନ କରିଛନ୍ତି ଯେ, ଇରାନର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଗୁଇନ୍ଦା ମୁଖ୍ୟଙ୍କ ମୃତ୍ୟୁ ହୋଇଥାଇପାରେ । ଇରାନ କିମ୍ବା IDF ଉଭୟ ଏହି ଦାବିଗୁଡ଼ିକୁ ଆନୁଷ୍ଠାନିକ ଭାବରେ ସ୍ପଷ୍ଟ କରିନାହାଁନ୍ତି। ସେପଟେ ଇରାନ୍ ବିଭିନ୍ନ ଦେଶରେ ଥିବା ଆମେରିକାର ସେନା ବେସ୍ଗୁଡ଼ିକୁ ଧ୍ବଂସ କରିଦେଇଛି । ଏଭଳି ସ୍ଥିତିରେ ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଭୟଙ୍କର ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।