ଭୁବନେଶ୍ଵର: ରାଜ୍ୟରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ଧାନ ସଂଗ୍ରହ ବ୍ୟବସ୍ଥା, ଖୋଦ ସରକାରଙ୍କ ଦ୍ଵାରା ଚାଷୀ ପ୍ରତାରିତ, ଅସହାୟ ଓ ହତାଶ। ଅସହ୍ୟ ଥଣ୍ଡା କାକର, ଶୀତରେ ଚାଷୀମାନେ ମଣ୍ଡିରେ ନିଜ ଅମଳ ଧାନକୁ ଜଗି ବସିଛନ୍ତି। ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ସରକାର ଚାଷୀଙ୍କ ଧାନ କେବେ ଉଠାଇବେ? ଚାଷୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇ ବିଜେପିର ଡବଲ୍ ଇଞ୍ଜିନ୍ ସରକାର କ୍ଷମତାକୁ ଆସିଥିଲା। ହେଲେ ସରକାର ଗଢ଼ିବା ପରେ ପ୍ରତିଶ୍ରୁତି ସବୁ କୁଆଡ଼େ ଗଲା ? ଧାନ ସଂଗ୍ରହ ଓ ମଣ୍ଡିରେ ଅବସ୍ଥା ପ୍ରସଙ୍ଗକୁ ନେଇ ଏମିତି ଶାଣିତ ଶବ୍ଦରେ ମୋହନ ମାଝୀଙ୍କ ନେତୃତ୍ଵାଧୀନ ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଏକ୍ସରେ ପୋଷ୍ଟ କରି ନବୀନ କହିଛନ୍ତି, ଧାନ କିଣାରେ ବୋନସ ଘୋଷଣା କରି ଚାଷୀଙ୍କୁ ଦିବାସ୍ଵପ୍ନ ଦେଖାଇଥିବା ସରକାରରେ ଆରମ୍ଭରୁ ଟୋକାନଠୁ ନେଇ ମଣ୍ଡି ଅବ୍ୟବସ୍ଥା ସହ ଧାନ ସଂଗ୍ରହ ପର୍ଯ୍ୟନ୍ତ ସବୁଠି ଚାଷୀ ହତାଶ ହୋଇଛନ୍ତି। ଚାଷୀଙ୍କୁ ସମ୍ମାନର ନାରା ଦେଉଥିବା ବିଜେପି ସରକାରର ସମସ୍ତ ଘୋଷଣା ମିଛ ପ୍ରତିଶ୍ରୁତିରେ ପରିଣତ ହୋଇଛି। ସମ୍ମାନ ବଦଳରେ ଏ ସରକାରରେ ଚାଷୀ ସବୁଠୁ ଅସମ୍ମାନିତ ଓ ପ୍ରତାରିତ।

ଯେତେବେଳେ ନିଜ ଅମଳ ଧାନ ବିକ୍ରି କରି ନ ପାରି ଚାଷୀ ଆନ୍ଦୋଳନ କରୁଛି ସେତେବେଳେ ଏ ସରକାର ତାଙ୍କୁ 'ନୌଟଙ୍କି' ବୋଲି କହି ତାତ୍ସଲ୍ୟ କରୁଛି। ଏହା କ'ଣ ଡବଲ୍ ଇଞ୍ଜିନ୍ ସରକାରର ଚାଷୀଙ୍କୁ ସମ୍ମାନ? ଧାନ ସଂଗ୍ରହ ଆରମ୍ଭରୁ ସବୁ ବ୍ୟବସ୍ଥା ହୋଇଯାଇଛି, ଟୋକନ୍ ସମସ୍ତଙ୍କୁ ମିଳିବ, ମନ୍ତ୍ରୀମାନେ ମଣ୍ଡି ଜଗିବେ ବୋଲି ସରକାର ଚାଷୀଙ୍କୁ କହିଲେ। ହେଲେ କ'ଣ ହେଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି।

ମଣ୍ଡିରେ ମନ୍ତ୍ରୀମାନଙ୍କ ପାଦ ପଡ଼ିବା ତ ଦୂରର କଥା, ଦୁଃଖ ସମୟରେ ଚାଷୀଙ୍କ ପାଖରେ ବି ସରକାରୀ ଦଳର କାହାକୁ ଦେଖିବାକୁ ମିଳୁ ନାହିଁ। ଚଳିତ ବର୍ଷ ଅଧିକ ଆୟର ଆଶା ବାନ୍ଧିଥିବା ଚାଷୀ ଶେଷରେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛି। ଚାଷୀଙ୍କ ସ୍ୱାର୍ଥ ସବୁଠୁ ଆଗରେ। ଆମ ଅନ୍ନଦାତା ଚାଷୀ ଭାଇଭଉଣୀଙ୍କ ସହ ଡବଲ୍ ଇଞ୍ଜିନ୍ ବିଜେପି ସରକାରର ଏପରି ଛଳନାର ଜବାବ ଓଡ଼ିଶାବାସୀ ନିଶ୍ଚୟ ଦେବେ। ବିଜୁ ଜନତା ଦଳ ଚାଷୀଙ୍କ ସାଥିରେ, ଚାଷୀଙ୍କ ହକ୍ ପାଇଁ ସବୁସ୍ତରରେ ସ୍ୱର ଶାଣିତ କରିବ ବୋଲି ନବୀନ କହିଛନ୍ତି।