ନୂଆଦିଲ୍ଲୀ ୨୪।୦୪; ସାଧାରଣତଃ ଲୋକେ ବଜାରରେ ବିକ୍ରି ହେଉଥିବା ଫଳ ଓ ପନିପରିବାଗୁଡ଼ିକ ଆଣି ତାକୁ ଧୋଇକି ବ୍ୟବହାର କରିଥାନ୍ତି । ତେବେ ଏହାକୁ କେବଳ ପାଣିରେ ଧୋଇବା ସୁରକ୍ଷିତ ନୁହେଁ। ଏବେ ବଜାରରେ ଷ୍ଟିକର ଲାଗିଥିବା ଫଳ ତଥା ପନିପରିବା ବିକ୍ରି ହେଉଛି । ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । କାହିଁକି ନା ନିକଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ପକ୍ଷରୁ ଫଳ ଓ ପନିପରିବା ଉପରେ ଲାଗିଥିବା ଷ୍ଟିକରକୁ ନେଇ ଏକ ଚେତାବନୀ ଜାରି କରାଯାଇଛି। କହିଛନ୍ତି ଯେ, ଏହି ଷ୍ଟିକର୍ଗୁଡ଼ିକର ପଛପଟେ ବ୍ୟବହୃତ ଅଠାଜାତୀୟ ପଦାର୍ଥ ଖାଦ୍ୟ ଉପଯୋଗୀ ନୁହେଁ, ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଆମେ ପ୍ରାୟତଃ ଫଳ ତଥା ପନିପରିବା କିଣିବା ସମୟରେ ସେଥିରେ ଲାଗିଥିବା ଷ୍ଟିକର୍ଗୁଡ଼ିକୁ ଅଣଦେଖା କରିଦେଉ ।

ତେବେ ଏହି ଛୋଟ ଭୁଲ୍ ସମସ୍ୟା ସୃଷ୍ଟି କରିପାରେ। ବିଶେଷଜ୍ଞଙ୍କ ମତରେ, ଷ୍ଟିକର୍ଗୁଡ଼ିକରେ ବ୍ୟବହୃତ ଗ୍ଲୁ, କାଳି ଓ ଅନ୍ୟ ରାସାୟନିକ ପଦାର୍ଥ ଶରୀର ପାଇଁ ନିରାପଦ ନୁହେଁ। ତେଣୁ ଖାଇବା ପୂର୍ବରୁ ସେଗୁଡ଼ିକୁ ବାହାର କରିବା ଦରକାର। ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଯଦି ଭୁଲ୍ବଶତଃ ଏଥିରୁ ଛୋଟ ଖଣ୍ଡଟିଏ ଶରୀର ଭିତରକୁ ଯାଏ, ତେବେ ବିରାଟ କ୍ଷତି କରିପାରେ। ଏହାଦ୍ବାରା ପେଟ ଖରାପ, ସାମାନ୍ୟ ବାନ୍ତି କିମ୍ବା ପାଚନ ସମସ୍ୟା ଦେଖାଦେଇପାରେ।

କେତେକ ସମୟରେ ଶ୍ୱାସରୁଦ୍ଧର ଆଶଙ୍କା ବି ବଢ଼ାଇପାରେ। ତେଣୁ ସତର୍କତା ଅବଲମ୍ବନ କରିବା ଭଲ। ଏହି ବିପଦ ଏଡ଼ାଇବାର ସବୁଠାରୁ ସହଜ ଉପାୟ ହେଉଛି, ଖାଇବା ପୂର୍ବରୁ ଫଳ ଓ ପନିପରିବାକୁ ଭଲ ଭାବେ ଧୋଇ ତା’ ଉପରେ ଲାଗିଥିବା ଷ୍ଟିକର୍ଗୁଡ଼ିକୁ କାଢ଼ିଦେବା। ଉଷୁମ ପାଣିରେ ଅଳ୍ପ ପରିମାଣର କ୍ଲୋରିନ୍ ମିଶାଇ ତାହାକୁ ସଫା କରାଯାଇପାରିବ। ତେବେ ସାବୁନ କିମ୍ବା କୌଣସି ରାସାୟନିକ କ୍ଲିନର୍ ବ୍ୟବହାର କରିବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ।