ଶ୍ରୀନଗର, ୧୮।୧୧ : ଶେଷରେ ନିପାତ ହେଲା ଲଶ୍କର କମାଣ୍ଡର । ଆତ୍ମ ସମର୍ପଣ ପାଇଁ ଯବାନ ଦେଇଥିଲେ ଅଲଟିମେଟମ୍ । ହେଲେ ଶୁଣାନଥିଲା ସେ । ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କଲା । ଯାହାର ଉଚିତ ଜବାବ ଦେଇଛନ୍ତି ଭାରତୀୟ ଯବାନ । ଆଉ ଯବାନଙ୍କ ଗୁଳିରେ ଟଳିଛି ହାର୍ଡକୋର୍ ଆତଙ୍କବାଦୀ ଲତିଫ୍ ଭଟ୍ଟ ।

ବୁଧବାର ଜମ୍ମୁ-କାଶ୍ମୀର ସ୍ଥିତ କୂଲଗାମ୍ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ଘାଟି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଲଶ୍କର-ଏ-ତୋଏବାର ଟପ୍ କମାଣ୍ଡର ଲତିଫ୍ ଭଟ୍ଟ ଏହି ସ୍ଥାନରେ ଲୁଚିଥିଲା । ତାକୁ କାବୁ କରିବା ପାଇଁ ଜମ୍ମୁ କାଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫ୍ କମ୍ବିଂ ଅପରେସନ ଆରମ୍ଭ କରିଥିଲେ ।

ସୁରକ୍ଷା ଏଜେନ୍ଶିଙ୍କ କହିବାନୁସାରେ, ଲତିଫ୍ କୂଲଗାମର ଏହି ଅଞ୍ଚଳରେ ଥିବା ଏକ ଘରେ ଲୁଚିଥିଲା । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଲତିଫକୁ ଆତ୍ମ ସମର୍ପଣ ପାଇଁ ଶେଷ ସୁଯୋଗ ଦିଆଯାଇଥିଲା । କିନ୍ତୁ ସେ ମାନିନଥିଲା । ଶେଷରେ ସେ ପ୍ରାଣ ହରାଇଛି । ଅନ୍ୟ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

Also Read :- ଦାଉଦ ଗଡ଼ରେ ଚାଲିବ ବୁଲଡୋଜର୍ : ମାଟିରେ ମିଶିବ ଡି-କମ୍ପାନୀର ପ୍ରମୁଖ ବିଲ୍ଡିଂ

ଏନକାଉଣ୍ଟର ପୂର୍ବରୁ ସିସିଟିଭି ଫୁଟେଜ୍ ଆଧାରରେ ସୂଚନା ମିଳିଥିଲା ଯେ, ଲତିଫ୍ ଏବଂ ଉମର ନିସାର କୂଲଗାମର କିଛି ଅଞ୍ଚଳରେ ଆକ୍ଟିଭ୍ ରହିଥିଲେ । ମୀର ବଜାର, ଅଖରାନ ଏବଂ କିଲମରେ ସେମାନଙ୍କୁ ଦେଖିବାକୁ ମିଳିଥିଲା । ସେମାନେ କିଛି ବଡ ଧରଣର ପ୍ଲାନ୍ କରୁଥିବା ସୁରକ୍ଷାକର୍ମୀ ଆଶଙ୍କା କରିଥିଲେ । ତେଣୁ ସେମାନଙ୍କୁ କାବୁ କରିବାକୁ ଅଭିଯାନ ଚାଲିଥିଲା ।