ନୂଆଦିଲ୍ଲୀ ୧୮।୧୧; କେଉଁଠି ଲୋକେ ଦୁଇ ଓଳି ଖାଇବାକୁ ପାଉନାହାନ୍ତି, ତ ଆଉ କେଉଁଠି ଟନ୍ ଟନ୍ ଖାଦ୍ୟ ଫିଙ୍ଗା ହେଉଛି। ଅଧିକାଂଶ ତ ଭୋକରେ ଶୋଉଛନ୍ତି ନଚେତ୍ ଅପଚୟ ହେଉଛି କୋଟି କୋଟି ଟନ୍ ଖାଦ୍ୟ। ବିଶ୍ୱରେ ସବୁଠୁ ଅଧିକ ଖାଦ୍ୟ ନଷ୍ଟ କରୁଛି କେଉଁ ଦେଶ? ଏହି ତାଲିକାରେ ଭାରତର ସ୍ଥାନ କେତେ?

ବିଶ୍ୱରେ ଖାଦ୍ୟ ଅପଚୟ ଏବେ ଏକ ବଡ଼ ସମସ୍ୟା। ଗୋଟିଏ ପଟେ ଭୋକ ଓ ଦାରିଦ୍ର୍ୟ ସହ ଲଢ଼ୁଛନ୍ତି ଅନେକ ଲୋକ, ଅନ୍ୟପଟେ ପ୍ରତିବର୍ଷ ନଷ୍ଟ ହେଉଛି ବିପୁଳ ପରିମାଣର ଖାଦ୍ୟ। ଖାଦ୍ୟ ଅପଚୟରେ ବିଶ୍ୱରେ ସବୁଠୁ ଆଗରେ ରହିଛି ଚୀନ୍। ବାର୍ଷିକ ୧୦୮ ନିୟୁତ ଟନ୍ରୁ ଅଧିକ ଖାଦ୍ୟ ନଷ୍ଟ କରୁଛି ଏହି ଦେଶ। ଦ୍ୱିତୀୟ ସ୍ଥାନରେ ରହିଛି ଭାରତ। ଏଠାରେ ବର୍ଷକୁ ପ୍ରାୟ ୭୮ ନିୟୁତ ଟନ୍ ଖାଦ୍ୟ ନଷ୍ଟ ହେଉଛି।

ସେହିପରି ପ୍ରାୟ ୨୪ ନିୟୁତ ଟନ୍ ଖାଦ୍ୟ ଅପଚୟ ସହ ଆମେରିକା ମଧ୍ୟ ଏହି ତାଲିକାରେ ରହିଛି। ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ବା UNEPର ରିପୋର୍ଟ ଅନୁଯାୟୀ, ୨୦୨୨ରେ ସାରା ବିଶ୍ୱରେ ପ୍ରାୟ ୧.୦୫ ବିଲିୟନ ଟନ୍ ଖାଦ୍ୟ ନଷ୍ଟ ହୋଇଥିଲା। ଏଥିମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ଖାଦ୍ୟ ଘରୋଇ ସ୍ତରରେ ନଷ୍ଟ ହୋଇଥିଲା। ବାକି ଖାଦ୍ୟ ହୋଟେଲ, ରେଷ୍ଟୁରାଣ୍ଟ ଓ ଖୁଚୁରା ବ୍ୟବସାୟ କ୍ଷେତ୍ରରୁ ଆସିଥିଲା।

ରିପୋର୍ଟରେ ଆହୁରି କୁହାଯାଇଛି, ଖାଦ୍ୟ ଅପଚୟର ପ୍ରାୟ ୨୮ ପ୍ରତିଶତ ହୋଟେଲ ଓ ଖାଦ୍ୟ ସେବା କ୍ଷେତ୍ରରୁ ଆସୁଥିବା ବେଳେ ୧୨ ପ୍ରତିଶତ ଖୁଚୁରା ବ୍ୟବସାୟ କ୍ଷେତ୍ରରୁ ଆସୁଛି। ଅର୍ଥାତ୍ ଘରଠାରୁ ଆରମ୍ଭ କରି ବଡ଼ ବଡ଼ ହୋଟେଲ ଓ ଦୋକାନ ପର୍ଯ୍ୟନ୍ତ ସବୁଠି ହେଉଛି ଖାଦ୍ୟ ଅପଚୟ।

ତେବେ କିଛି ଦେଶ ଏହି ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି। ଜାପାନ ୨୦୦୦ ମସିହା ତୁଳନାରେ ୨୦୨୨ ସୁଦ୍ଧା ଖାଦ୍ୟ କ୍ଷତି ଓ ଅପଚୟକୁ ୫୩ ପ୍ରତିଶତ ହ୍ରାସ କରିଛି। ସେହିପରି ବ୍ରିଟେନ ମଧ୍ୟ ୨୦୦୭ ତୁଳନାରେ ପ୍ରାୟ ୨୨ ପ୍ରତିଶତ ଅପଚୟ କମାଇବାରେ ସଫଳ ହୋଇଛି।

ତେବେ ଆମ ଦୈନନ୍ଦିନ ଜୀବନରେ ମଧ୍ୟ ଅଜାଣତରେ ଅନେକ ଖାଦ୍ୟ ନଷ୍ଟ ହୋଇଥାଏ। ଆବଶ୍ୟକତାଠାରୁ ଅଧିକ ରୋଷେଇ କରିବା, ଦରକାରଠାରୁ ଅଧିକ ଜିନିଷ କିଣିବା ଏବଂ ଫ୍ରିଜ୍ରେ ରଖିଥିବା ଖାଦ୍ୟକୁ ଠିକ୍ ସମୟରେ ବ୍ୟବହାର ନ କରିବା ଯୋଗୁଁ ଏଭଳି ଅପଚୟ ବଢ଼ିଥାଏ।