ନୂଆଦିଲ୍ଲୀ, ୧୮।୧୧ : ଦାଉଦ ଇବ୍ରାହିମ୍ ଗଡରେ ଚାଲିବ ବୁଲଡୋଜର୍ । ମୁମ୍ବାଇର ଭିଣ୍ଡ୍ ବଜାରରେ ଥିବା ହାଜୀ ଇସମାଇଲ୍ ହବିବ୍ ମୁସାଫିରଖାନାର ବିଲ୍ଡିଂ ଏବେ ଧରାଶାୟୀ ହେବାକୁ ଯାଉଛି । ଏହାକୁ ଦାଉଦର ଗଡ ବୋଲି କୁହାଯାଏ । ଆଜି ଏବଂ ଆସନ୍ତାକାଲି ଏହି ଅଞ୍ଚଳରେ ଉଚ୍ଛେଦ କରାଯିବ । ଯାହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି ।

କୁହାଯାଉଛି ଯେ, ଉଚ୍ଛେଦ ସମୟରେ ବିପୁଳ ମାତ୍ରାରେ ପୋଲିସ ଫୋର୍ସ ମୁତୟନ ହେବେ । ଏଠାରେ ଦାଉଦର ପୈତୃକ ଘର ଏବଂ ଅଫିସ ରହିଛି । ଏହି ଜାଗାରୁ ହିଁ ୧୯୯୩ ବୋମା ବିସ୍ଫୋରଣର ଷଡଯନ୍ତ୍ର ରଚା ଯାଇଥିଲା । ଅନ୍ୟ ଦିଗରେ ସ୍ଥାନୀୟ ଲୋକେ କହୁଛନ୍ତି ଯେ, ଓ୍ୱକଫ୍ ଟ୍ରିବ୍ୟୁନାଲ୍ ଉଚ୍ଛେଦ ଉପରେ ରୋକ୍ ଲଗାଇଛନ୍ତି । ହେଲେ ବିଏମସି ମାତ୍ର ୨୪ ଘଣ୍ଟା ମଧ୍ୟରେ ସବୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି । ଅନ୍ୟ ଦିଗରେ ମୁମ୍ବାଇ ମହାନଗର ଉଚ୍ଛେଦ କରିବାକୁ ଚୂଡାନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

Also Read :- Instagram Policy : ଭାରତରେ କଣ୍ଟେଣ୍ଟ ରେକମେଣ୍ଡସନ୍ ସିଷ୍ଟମରେ ପରିବର୍ତ୍ତନ, AI ଦ୍ଵାରା ଫିଲ୍ଟର ହେବ ସବୁ କଣ୍ଟେଣ୍ଟ

ସ୍ଥାନୀୟ ଲୋକେ ଆହୁରି ମଧ୍ୟ କହିଛନ୍ତି ଯେ, ଏପରି କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣତଃ ୧୫ ଦିନର ସମୟ ଦିଆଯାଇଥାଏ । କିନ୍ତୁ ଏପରି କିଛି ହୋଇନାହିଁ ।

୨୦୨୦ରେ ବମ୍ବେ ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ

ପାକମୋଡିଆ ଷ୍ଟ୍ରିଟ୍ ଏବଂ ସେକେଣ୍ଡ କୁପର୍ ଷ୍ଟ୍ରିଟ୍ ସ୍ଥିତ ଏହି ବିଲ୍ଡିଂ ସିଏସ୍ ନମ୍ବର ୪୩୧୫ ଅଧିନରେ ଆସୁଛି । ଏହାକୁ ବିଏମସି ସି-୧ ଶ୍ରେଣୀରେ ରଖିଛି । ୨୦୨୦ ଅଗଷ୍ଟ ୩୧ରେ ହାଇକୋର୍ଟ ଏହାକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବିଏମସି ଏହାକୁ ଖାଲି କରିବା ଏବଂ ଧରାଶାୟୀ କରିବା ପ୍ରକ୍ରିୟା ଆରମ୍ଭ କରିଛି ।

ନିକଟରେ ବିଏମସି ଅଧିକାରୀ ଏହାର ନିରୀକ୍ଷଣ କରିଥିଲେ । ବିଲ୍ଡିଂଟି ପ୍ରାୟତଃ ଖାଲି ହୋଇଥିବା ସେମାନେ ଦେଖିବାକୁ ପାଇଥିଲେ । କେବଳ ତଳ ଫ୍ଲୋରରେ କିଛି ଲୋକ ରହିଥିଲେ । ଏହି ବିଲ୍ଡିଂଟି ଅଧିକ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହା ଆଖପାଖରେ କିଛି ବେଆଇନ ଘର ରହିଛି । ସେସବୁକୁ ଉଚ୍ଛେଦ ସହ ବିଲ୍ଡିଂକୁ ଧରାଶାୟୀ କରାଯିବ । ନଚେତ ଏହା ଆଖପାଖର ଲୋକଙ୍କ ଉପରେ ପଡିବାର ଆଶଙ୍କା ମଧ୍ୟ ରହିଛି ।