ତେହେରାନ ୨।୩ : ସୋସିଆଲ ମିଡିଆ ପ୍ଲାଟଫର୍ମ ଓ କିଛି ଇସ୍ରାଏଲୀ ସମ୍ବାଦ ସରବରାହ ସଂସ୍ଥା ଇରାନର ଅନ୍ତରୀଣ ସୁପ୍ରିମ ଲିଡର ଅଲିରେଜା ଅରାଫିଙ୍କ ମୃତ୍ୟୁ ହୋଇଥିବା ଦାବି କରୁଛନ୍ତି। ସେ ଦେଶର ଦାୟିତ୍ୱ ଗ୍ରହଣ କରିବାର କିଛି ଘଣ୍ଟା ପରେ ଏକ ବିମାନ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ଦାବିକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଇରାନୀ ସରକାରୀ ମିଡିଆ ଅଥବା ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏହାର ପୁଷ୍ଟି କରି ନାହାନ୍ତି।

ତେବେ ଏହି ସ୍ଥିତି ସେହି ପ୍ରାରମ୍ଭିକ ଭ୍ରମକୁ ଦୋହରାଉଛି ଯେତେବେଳେ ଇରାନର ପୂର୍ବତନ ସୁପ୍ରିମ ଲିଡର ଅଲି ଖାମେନିଙ୍କ ହତ୍ୟା ଖବର ସାମ୍ନାକୁ ଆସିଥିଲା। ଏହା ପରେ ଇସ୍ରାଏଲୀ ଅଧିକାରୀମାନେ ଖବର ପୁଷ୍ଟି କରିଥିଲେ ଓ ଇରାନ ଅଧିକାରୀ ଏହାକୁ ସ୍ୱୀକାର କରିଥିଲେ। ହେଲେ ଏବେ ଅରାଫିଙ୍କ ମୃତ୍ୟୁକୁ ନେଇ ଖବର ସ୍ପଷ୍ଟ ହୋଇନି ଓ ଅଧିକାରୀକ ପୁଷ୍ଟିର ଅପେକ୍ଷା କରାଯାଉଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶର ନେତୃତ୍ୱ କରିଥିବା ଖାମେନିଙ୍କ ମୃତ୍ୟୁ ପରେ ଅଲିରେଜା ଅରାଫିଙ୍କୁ ସୁପ୍ରିମ ଲିଡର ନିଯୁକ୍ତ କରାଯାଇଥିଲା। ଅରାଫି ଦୀର୍ଘ ସମୟରୁ ଇରାନର ଧାର୍ମିକ ଓ ରାଜନୈତିକ ପ୍ରତିଷ୍ଠାନରେ ପ୍ରଭାବଶାଳୀ ସଦସ୍ୟ ରହି ଆସିଛନ୍ତି।

ଆୟତୋଲ୍ଲା ଅରାଫିଙ୍କୁ ଖାମେନିଙ୍କ ହତ୍ୟାଦିନ ଦେଶର ସୁପ୍ରିମଲିଡର ଚୟନ କରାଯାଇଥିଲା। ତେବେ ୨ ମାର୍ଚ୍ଚ ୨୦୨୬ରେ ଏପରି ଅପୁଷ୍ଟ ଖବର ସାମ୍ନାକୁ ଆସୁଛି ନିକଟରେ ହୋଇଥିବା ଏୟାରଷ୍ଟ୍ରାଇକରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହି ରିପୋର୍ଟକୁ ନା ତ ସରକାରୀ ସ୍ତରରେ ପୁଷ୍ଟି କରାଯାଇଛି ନା କୌଣସି ବିଶ୍ୱସ୍ଥ ଅନ୍ତର୍ଜାତୀୟ ଏଜେନ୍ସୀ ପୁଷ୍ଟି କରିଛନ୍ତି। ଏଣୁ ପରିସ୍ଥିତି ଅଧିକ ଜଟିଳ ହୋଇପଡିଛି। ପଶ୍ଚିମ ଏସିଆରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ସାରା ବିଶ୍ୱ ଉପରେ ଗଭିର ପ୍ରଭାବ ପକାଇଛି। ଲଗାତାର ହେଉଥିବା ଆକ୍ରମଣ ଓ ଜବାବୀ କାର୍ଯ୍ୟାନୁଷ୍ଠାନ ଯୋଗୁ ବିପୁଳ ଧନଜୀବନ ହାନୀ ହେଉଛି।

Also Read..

ଆୟାତୋଲ୍ଲା ଖାମେନିଙ୍କ ପତ୍ନୀଙ୍କ ମୃତ୍ୟୁ, ଦୁଇ ଦିନ ତଳେ ହୋଇଥିଲେ ଆହତ