ତେହେରାନ, ୦୯/୦୪ : ଆମେରିକା ଏବଂ ଇରାନ ମଧ୍ୟରେ ହୋଇଛି ଅସ୍ତ୍ର ବିରତି । କେହି କାହାରି ଉପରେ ଆକ୍ରମଣ କରୁନାହାଁନ୍ତି ।୩୮ଦିନ ପରେ ବନ୍ଦ ହୋଇଛି ଯୁଦ୍ଧ । ଏବେ ଖୋଲିଛି ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ । ଯୁଦ୍ଧ ଆରମ୍ଭ ହେଲା ପରେ ହର୍ମୋଜ୍ ଷ୍ଟ୍ରେଟକୁ ଇରାନ ବନ୍ଦ କରିଦେଇଥିଲା । କେବଳ କିଛି ଖାସ୍ ଦେଶର ଜାହାଜକୁ ଚଳପ୍ରଚଳ ପାଇଁ ଅନୁମତି ମିଳୁଥିଲା । ଶତ୍ରୁ ଦେଶର ଜାହାଜ ଉପରେ ରୋକ୍ ଲଗାଇଥିଲେ ଇରାନ ସରକାର ।

ଏବେ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଖୋଲିବା ପରେ ଇରାନ ଏଠାରୁ ଟ୍ୟାକ୍ସ ନେବ ବୋଲି କହିଛି । ଜାହାଜ ଚଳପ୍ରଚଳ କଲେ ଟୋଲ୍ ଟିକସ୍ ଦେବାକୁ ପଡିବ । ଯାହା ଇରାନକୁ ମାଲାମାଲ କରିଦେବ ବୋଲି ଆମେରିକାର ଦୁଇ ଜଣ ଅଧିକାରୀ କହିଛନ୍ତି । ଜାହାଜ ପିଛା ଇରାନ ୧୦ ଲକ୍ଷ ଡଲାର ଅସୁଲ କରିବ ବୋଲି ସୂଚନା ମିଳିଛି ।

ୟୁଏସ୍ ସେକ୍ରେଟାରୀ ଅଫ୍ ଡିଫେନ୍ସ ପିଟ୍ ହେଜସେଠ୍ ଏବଂ ଜେନେରାଲ ଡାନ୍ କାଇନ୍ କହିଛନ୍ତି ଯେ, ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ବୁଧବାରଠୁ ଖୋଲିଛି । ଖୁବ୍ ଶୀଘ୍ର ଏହି ଜଳପଥ ଦେଇ ଜାହାଜ ଚଳପ୍ରଚଳ କରିବେ । ଆମେରିକା ପ୍ରଶାସନ ଇରାନକୁ ଯୁଦ୍ଧ ବନ୍ଦ ପାଇଁ ବାଧ୍ୟ କରିଛି । ସେମାନେ ହର୍ମୋଜ୍ ଖୋଲିବା ପାଇଁ ବାଧ୍ୟ ହୋଇଛନ୍ତି ।

ଅନ୍ୟ ଦିଗରେ ଷ୍ଟ୍ରେଟ୍ ଅଫ୍ ହର୍ମୋଜର ଉଭୟ ପାଖରେ ଥିବା ଅନେକ ଜାହାଜକୁ ଇରାନ୍ ନୈସେନା ମେସେଜ୍ ପଠାଇଛି । ଯେଉଁଥିରେ ଏବେବି ଷ୍ଟ୍ରେଟ୍ ବନ୍ଦ ଥିବା ନେଇ ଉଲ୍ଲେଖ ରହିଛି । ଯଦି କୌଣସି ଜାହାଜ ଷ୍ଟ୍ରେଟ୍ ଅତିକ୍ରମ କରେ ତେବେ ଏହାକୁ ଟାର୍ଗେଟ୍ କରି ଉଡାଇ ଦିଆଯିବ ବୋଲି ନୌସେନା କହିଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମର୍ ମଧ୍ୟ ଷ୍ଟ୍ରେଟ୍ ଖୋଲିବା ପାଇଁ ଆହୁରି କିଛି ପ୍ରକ୍ରିୟା ବାକି ରହିଥିବା ପ୍ରକାଶ କରିଛନ୍ତି । 

Also Read :-Israel Airstrike on Lebanon: ଲେବାନନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୧୮୦ ମୃତ, ୮୦୦ ଆହତ, ତାତିଲା ଇରାନ

ଇରାନ୍ ଅଧିକାରୀମାନେ କହିଛନ୍ତି ଯେ, ଶାନ୍ତି ଆଲୋଚନା ପୂର୍ବରୁ ଷ୍ଟ୍ରେଟ୍ କୁ ଖୋଲି ଦିଆଯାଇଥିଲା । କିନ୍ତୁ ଜାହାଜ ଚଳାଚଳ ନେଇ କିଛି ସର୍ତ୍ତ ରହିଥିଲା । ଆମେରିକା ହର୍ମୋଜ୍ ଷ୍ଟ୍ରେଟ୍ ଦେଇ ଯାଉଥିବା ଜାହାଜ ଉପରେ ଟୋଲ୍ ଟିକସ ଲାଗିବା ନେଇ ରାଜି ନାହିଁ । କିନ୍ତୁ ଇରାନ ଆମେରିକା ଏଥିରେ ସହମତି ଥିବା କହିଛି ।

ଷ୍ଟ୍ରେଟ୍ ଖୋଲିଲେ କମିବ ତେଲ ରେଟ୍

ରିପୋର୍ଟ ଅନୁସାରେ, ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଦେଇ ଅନେକ ତୈଳ ଟ୍ୟାଙ୍କର ଚଳପ୍ରଚ କରିଥାଏ । ଏବେ ଏହାକୁ ରୋକ୍ ଲଗାଯିବା କାରଣରୁ ସାରା ବିଶ୍ୱରେ ଅଶୋଦ୍ଧିତ ତୈଳ ଦାମ୍ ବଢିଛି । ଷ୍ଟ୍ରେଟ୍ ଖୋଲିଲେ ଦାମ୍ ଖସିବ ବୋଲି ଆଶା କରାଯାଉଛି । ଏହାସହ ଅନେକ ଦେଶରେ ଶକ୍ତି ଏବଂ ଇନ୍ଧନ ସଙ୍କଟ ହ୍ରାସ ପାଇବ ।