ନୂଆଦିଲ୍ଲୀ: ୟୁଏଇ ଉପରେ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛି ଇରାନ୍ । ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିଥିଲେ । ଏହାର ଜବାବରେ ଇରାନ୍ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ କରୁଛି । ଫଳରେ ୟୁଏଇ, ସାଉଦି ଆରବ ଭଳି ଦେଶ ଉପରେ ଇରାନ୍ ମିସାଇଲ୍ ମାଡ଼ କରୁଛି । ଆଜି (ଗୁରୁବାର) ୟୁଏଥରେ ଏକ ବଡ଼ ଦୁର୍ଘଟଣା ଘଟିଛି । କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି । ମିସାଇଲ୍ ନଷ୍ଟ ହୋଇଯାଇଛି, କିନ୍ତୁ ଏହାର ଧ୍ବଂସାବେଶେଷ ତଳେ ଚାପି ହୋଇ ଜଣେ ଭାରତୀୟଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି ।

UAE ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୟୁଏଇର ପ୍ରତିରକ୍ଷା ପ୍ରଣାଳୀ ଲଗାତାର ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଏବଂ ଡ୍ରୋନକୁ ପ୍ରତିହତ କରୁଛି । ଆବୁଧାବି ମିଡିଆ ଅଫିସ୍ ରିପୋର୍ଟ କରିଛି ଯେ, ସାମରିକ ବାହିନୀ ମଝି ଆକାଶରେ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ନଷ୍ଟ କରିଛି, କିନ୍ତୁ ଏହାର ଭଗ୍ନାବଶେଷ ପଡ଼ିବା ଫଳରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି, ତିନି ଜଣ ଆହତ ହୋଇଛନ୍ତି ଏବଂ ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।

Also Read: Putin On Iran War: ଯୁଦ୍ଧ କେବେ ବନ୍ଦ ହେବ, କେହି କହିପାରିବେ ନାହିଁ; ପୁଟିନଙ୍କ ବଡ଼ ଦାବି

ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଗଲ୍ଫ ନ୍ୟୁଜ୍ ଅନୁଯାୟୀ, ଆବୁଧାବିରେ ଘଟିଥିବା ଏହି ଦୁର୍ଘଟଣା ପରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ପୂର୍ବରୁ ପ୍ରାଣ ହରାଇଥିବା ୯ ଜଣଙ୍କ ମଧ୍ୟରେ ସଶସ୍ତ୍ର ବାହିନୀର ୩ ଜଣ ସଦସ୍ୟ ଥିଲେ। ଏପର୍ଯ୍ୟନ୍ତ ପାକିସ୍ତାନ, ନେପାଳ, ବାଂଲାଦେଶ ଏବଂ ପାଲେଷ୍ଟାଇନର ୬ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି। ମନ୍ତ୍ରଣାଳୟ କହିଛି ଯେ, ଯେକୌଣସି ବିପଦର ମୁକାବିଲା କରିବାକୁ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ।

Also Read: ୧୯ ଭାରତୀୟଙ୍କୁ ଗିରଫ କଲା UAE, ଇରାନକୁ ସମର୍ଥନ କରି ଭାଇରାଲ କରୁଥିଲେ ଭିଡିଓ

ୟୁଏଇରେ ମାଡ଼ ହେଲାଣି ୩୫୭ରୁ ଅଧିକ କ୍ଷେପଣାସ୍ତ୍ର

UAEର ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର କହିଛି ଯେ, ଯୁଦ୍ଧ ଆରମ୍ଭ ହେବା ପରଠାରୁ UAE ପ୍ରତିରକ୍ଷା ପ୍ରଣାଳୀ ୩୫୭ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ୧୫ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ୧୮୧୫ UAVର ସମ୍ମୁଖୀନ ହୋଇଛି। ଏଥିରେ ମୋଟ ୧୬୬ ଜଣ ଆହତ ହୋଇଛନ୍ତି । ମନ୍ତ୍ରଣାଳୟ କହିଛି ଯେ, ଆହତମାନଙ୍କ ମଧ୍ୟରେ ୟୁଏଇ, ଇଜିପ୍ଟ, ସୁଡାନ, ଇଥିଓପିଆ, ଫିଲିପାଇନ୍ସ, ପାକିସ୍ତାନ, ଇରାନ ଏବଂ ଭାରତର ନାଗରିକ ଅନ୍ତର୍ଭୁକ୍ତ । ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକା ଆକ୍ରମଣ ପରେ ଇରାନ ଲଗାତାର ୟୁଏଇକୁ ଟାର୍ଗେଟ କରିଆସୁଛି।