ନୂଆଦିଲ୍ଲୀ, ୧୭।୧୧ : ବଡ଼ ମିଶନରେ ବୈଭବ ସୂର୍ଯ୍ୟବଂଶୀ । ନିଜ ବ୍ୟାଟରେ ପୂଣି ଦମଦାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୈଭବ । ଏସିଆନ୍ କ୍ରିକେଟ୍ କାଉନସିଲ୍ ରାଇଜିଂ ଷ୍ଟାର୍ସ ଏସିଆ କପରେ ସେ ଭାରତ-ଏ ପକ୍ଷରୁ ଖେଳିବେ । ସବୁଠୁ ବଡ କଥା ହେଉଛି ଯେ, ଟୁର୍ଣ୍ଣାମେଣ୍ଟରେ ବୈଭବଙ୍କ ସହ ଅଭିଷେକ ଶର୍ମା ନଜର ଆସିବେ । ଉଭୟ ବ୍ୟାଟର ବିସ୍ଫୋରକ ପ୍ରଦର୍ଶନ ପାଇଁ ଖୁବ୍ ପରିଚିତ ।

ଦୋହାରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ପହଁଚି ସାରିଛି । ବିସିସିଆଇ ଦୋହାର ଭିଡିଓ ସେୟାର କରିଛି । ତେବେ ଟୁର୍ଣ୍ଣାମେଣ୍ଟରେ ଉଭୟ ବୈଭବ ଏବଂ ଅଭିଷେକ ମୁଖ୍ୟ ଆକର୍ଷଣ ହେବେ । ସେମାନେ ଆକ୍ରମକ ଷ୍ଟାଇଲରେ ଓପନିଂ ପାଇଁ ପ୍ରାୟସ କରିବେ । ଉଭୟଙ୍କ ପାଖରେ ଆଇପିଏଲର ଅଭିଜ୍ଞତା ରହିଛି । ବୈଭବ ଅତି କମ ବୟସରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ଆଇପିଏଲ ୨୦୨୬ରେ ବୈଭବ ୧୬ଟି ଇନିଂସରେ ୭୭୬ ରନ୍ କରିଥିଲେ । ଏହାସହ ଅରେଞ୍ଜ୍ କ୍ୟାପ୍ ଜିତିଥିଲେ । ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ୨୩୭.୩୦ । ଦୋହାରେ ରାଇଜିଂ ଷ୍ଟାର୍ କପରେ ୫୦ ଓଭର ବିଶିଷ୍ଟ ମୁକାବିଲା ଖେଳାଯିବ । ଯାହା ଖୁବ୍ ରୋମାଞ୍ଚକର ହେବ । ଉଭୟ ବାମହାତୀ ବ୍ୟାଟର । ଯାହା ବିରୋଧୀ ଦଳଙ୍କୁ ଚିନ୍ତାରେ ପକାଇବାକୁ ସକ୍ଷମ ଅଟେ ।

Also Read :- କ୍ରୋଧିତ ହୋଇ କୋହଲିଙ୍କୁ ଏମିତି ନିଷ୍ପତ୍ତି ନେବାର ନ ଥିଲା, ପଶ୍ଚାତାପ ନିଶ୍ଚୟ କରିବେ: କପିଲ୍ ଦେବ

ଏହି ଟୁର୍ଣ୍ଣାମେଣ୍ଟରେ ନଭେମ୍ବର ୨୨ ତାରିଖରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ଏହି ଦିନ ଭାରତ-ଏ ଏବଂ ପାକିସ୍ତାନ ଏ ମଧ୍ୟରେ ମୁକାବିଲା ହେବ । ମ୍ୟାଚ୍ ଭାରତୀୟ ସମୟାନୁସାରେ ଦିନ ୩ଟା ୩୦ରେ ଖେଳାଯିବ ।

ସୂଚନାଯୋଗ୍ୟ, ଉଭୟ ଭାରତ ଏବଂ ପାକିସ୍ତାନ ଗ୍ରୁପ୍ ବି ରେ ରହିଛନ୍ତି । ଏହି ଗ୍ରୁପରେ ୟୁଏଇ ଏବଂ ନେପାଳ ଭଳି ଟିମ ମଧ୍ୟ ରହିଛନ୍ତି । ଭାରତ ନଭେମ୍ବର ୨୦ରୁ ନେପାଳ ବିରୋଧରେ ନିଜ ଅଭିଯାନ ଆରମ୍ଭ କରିବ । ଏହାପରେ ୨୨ ତାରିଖରେ ପାକିସ୍ତାନ ଏବଂ ୨୪ରେ ୟୁଏଇକୁ ଭେଟିବ ।