• ଏକ ଡଲାର ୧୦୦ ଟଙ୍କା ହେବାର ବିପଦ ଏବେ ଆସନ୍ନ ବାସ୍ତବିକତା ହେବାକୁ ଯାଉଛି
  • ଦିନକ ମଧ୍ୟରେ ସର୍ବକାଳୀନ ନିମ୍ନ ସ୍ତର ୯୫.୨୨ ସ୍ତରକୁ ପହଞ୍ଚି ଯାଇଛି। ତେବେ ପରେ ୯୪.୭୮ରେ ସ୍ଥିର ହୋଇଛି।
  • ୧ ଡଲାର ୧୦୦ ଟଙ୍କା ହେବା ବଜାର ଲାଗି ଚିନ୍ତାର କାରଣ ହୋଇପାରେ ଓ ଲୋକେ ଏହା ଉପରେ ଧ୍ୟାନ ଦେବା ମଧ୍ୟ ଆରମ୍ଭ କରିବେ

ନୂଆଦିଲ୍ଲୀ: ଏକ ଡଲାର ଭାରତୀୟ ମୁଦ୍ରାରେ ୯୫ ଟଙ୍କାକୁ ପହଞ୍ଚି ଯାଇଛି। ଫଳରେ ଟଙ୍କା ଦୁର୍ବଳ ହୋଇ ପଡିଛି। ଦୀର୍ଘ ଏକ ଦଶନ୍ଧୀରୁ ଅଧିକ କାଳ ଧରି ମୁଦ୍ରା ରକ୍ଷା ନିମନ୍ତେ କେନ୍ଦ୍ରୀୟ ବ୍ୟାଙ୍କର ସମସ୍ତ ପ୍ରୟାସ ବିଫଳ ହୋଇଛି। ସେହିପରି ୧୦ବର୍ଷିୟା ବଣ୍ଡ ଜୁଲାଇ ୨୦୨୪ ପରେ ସବୁଠୁ ଉଚ୍ଚତମ ସ୍ତରକୁ ପହଞ୍ଚିଛି। ଏଣୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଦୀର୍ଘ ସମୟ ଧରି ‘ସ୍ୱଳ୍ପ ସୁଧ ହାର’ନୀତି ଉପରେ ଏବେ ପ୍ରଶ୍ନ ଉଠୁଛି। ଏହି ଘଟଣାକ୍ରମ ଏପରି ସମୟରେ ହୋଇଛି ଯେତେବେଳେ ଦେଶର ନୂଆ ଆର୍ଥିକବର୍ଷ ଆରମ୍ଭ ହେବାକୁ ଯାଉଛି। ସେପଟେ ବ୍ରେଣ୍ଟ କୃଡ ବ୍ୟାରଲ ପିଛା ମୂଲ୍ୟ କମିବାର କୌଣସି ସମ୍ଭାବନା ଦେଖା ଯାଉନି। ଏଥିରେ ଏକ ଡଲାର ୧୦୦ ଟଙ୍କା ହେବାର ବିପଦ ଏବେ ଆସନ୍ନ ବାସ୍ତବିକତା ହେବାକୁ ଯାଉଛି।

କାମ ଦେଲାନି ଆରବିଆଇଙ୍କ ଉପାୟ
ଆରବିଆଇଙ୍କ ଦ୍ୱାରା ଶୁକ୍ରବାର ବିଳମ୍ବିତ ରାତ୍ରିରେ ଜାରି ସର୍କୁଲାର ପରେ ଟଙ୍କା ୯୩.୬୨ରେ ଖୋଲିଥିଲା। ଏଥିରେ ଏବେ ୧୨୮ ପଇସା ବୃଦ୍ଧି ହୋଇଛି। ଏହି ସର୍କୁଲାରରେ ବ୍ୟାଙ୍କ ଦ୍ୱାରା ରାତ୍ରିରେ ରଖା ଯାଇ ପାରୁଥିବା ପିୟୋର ଓପନ କରେନ୍ସୀ (ଏନଓପି) ସୀମା ହ୍ରାସ କରି ମାତ୍ର ୧୦୦ ମିଲିୟନ ଡଲାର କରିଦିଆଯାଇଛି। ଏହା ଦ୍ୱାରା ସ୍ଥାନୀୟ ମୁଦ୍ରା ବିରୋଧରେ ସଟ୍ଟାବାଜୀକୁ ନିୟନ୍ତ୍ରିତ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା। ହେଲେ ଏହି ଆଶ୍ୱସ୍ତି ମାତ୍ର କିଛି ଘଣ୍ଟା ପାଇଁ ଥିଲା, ତେବେ ପରେ ଟଙ୍କା ସମସ୍ତ ଅଭିବୃଦ୍ଧି ହରାଇ ବସିଛି ଓ ଦିନକ ମଧ୍ୟରେ ସର୍ବକାଳୀନ ନିମ୍ନ ସ୍ତର ୯୫.୨୨ ସ୍ତରକୁ ପହଞ୍ଚି ଯାଇଛି। ତେବେ ପରେ ୯୪.୭୮ରେ ସ୍ଥିର ହୋଇଛି।

ଡେରିଭେଟିଭ ବଜାରରୁ ଆସୁଛି ଗୁରୁତର ସଂକଟର ସଂକେତ
ମୁଦ୍ରା ବଜାରରେ ଦେଖା ଦେଇଥିବା ଏହି ହ୍ରାସର ପ୍ରଭାବ ସ୍ଥିର ଆୟକାରୀ ବଜାର ଉପରେ ମଧ୍ୟ ପଡିଛି। ୧୦ବର୍ଷର ବେଞ୍ଚ ମାର୍କ ବଣ୍ଡ ୟିଲ୍ଡ ୯ ବେସିସ ପଏଣ୍ଟ ବଢି ୭.୦୩୪୫% ହୋଇଯାଇଛି। ମେ ୨୦୨୪ ପରେ ବଣ୍ଡ ୟିଲ୍ଡର ଏହା ଦ୍ୱିତୀୟ ଉଚ୍ଚତମ ସ୍ତର। କେବଳ ମାର୍ଚ୍ଚ ମାସରେ ବଣ୍ଡ ୟିଲ୍ଡରେ ୩୭ ବେସିସ ପଏଣ୍ଟ ବୃଦ୍ଧି ହୋଇଛି। ଫେବୃଆରୀ ୨୦୧୭ ପରେ ଏହା ଦ୍ୱିତୀୟ ମାସିକ ବୃଦ୍ଧି ବୋଲି କୁହାଯାଉଛି। ସେପଟେ ଡେରିଭେଟିଭ ବଜାର ଆହୁରି ଗଭୀର ସଂକଟର ସଂକେତ ଦେଉଛି। ସୁଧ ହାର ବୃଦ୍ଧିର ପ୍ରମୁଖ ଇଣ୍ଡେକ୍ସ ରେକର୍ଡ ତଳଉପର ହୋଇଛି।

ବର୍ଷକରେ ୧୦% ହ୍ରାସ ହୋଇଛି ଟଙ୍କା
ଭାରତ ବିଶ୍ୱର ତୃତୀୟ ବୃହତ୍ତ ଅଶୋଧିତ ତୈଳ ଆମଦାନୀକାରୀ ଦେଶ। ଏଥିରେ ଡଲାରର ମୂଲ୍ୟ ତିନି ଅଙ୍କକୁ ପହଞ୍ଚିବା କରେଣ୍ଟ ଆକାଉଣ୍ଟ ଡେଫିସିଟ ପାଇଁ ସବୁଠୁ ବଡ଼ ବିପଦ ମନେ କରାଯାଉଛି। ଜାରି ଆର୍ଥିକ ବର୍ଷରେ ଟଙ୍କାର ମୂଲ୍ୟ ପାଖାପାଖି ୧୦% ପର୍ଯ୍ୟନ୍ତ ହ୍ରାସ ହେଲାଣି। ଏଣୁ ଅନ୍ୟ ମୁଦ୍ରା ତୁଳନାରେ ଭାରତୀୟ ଟଙ୍କା ସବୁଠୁ ଖରାପ ପ୍ରଦର୍ଶନ କରୁଥିବା ମୁଦ୍ରାରେ ପରିଣତ ହୋଇଛି। ବଜାରର ଏପରି ଆଭିମୁଖ୍ୟ ସତ୍ତ୍ୱେ ନୂଆଦିଲ୍ଲୀ ଅଭିମୁଖ୍ୟ ସ୍ଥିର ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର କହିଛନ୍ତି ଯେ ଦେଶର ଆର୍ଥିକ ଭିତ୍ତିଭୂମି ବେଶ୍ ମଜଭୁତ ଅଛି ଓ ଅନ୍ୟ ବଜାର ତୁଳନାରେ ଟଙ୍କାର ସ୍ଥିତି ସମ୍ପୂର୍ଣ୍ଣ ଠିକଠାକ ଅଛି।

ସରକାର କହୁଛନ୍ତି ସବୁ ଠିକଠାକ୍
ସାଂସଦଙ୍କ ଲିଖିତ ପ୍ରଶ୍ନର ଜବାବରେ ଅର୍ଥରାଜ୍ୟମନ୍ତ୍ରୀ ପଙ୍କଜ ଚୈଧୁରୀ କହିଛନ୍ତି ଯେ ଟଙ୍କାର ମୂଲ୍ୟ ବଜାର ଦ୍ୱାରା ନିର୍ଦ୍ଧାରିତ ହୁଏ। ଏଥିରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ‘ପର୍ଯ୍ୟାପ୍ତ’ ସ୍ଥିତିରେ ରହିଛି, ଯାହା ୧୧.୨ ମାସର ଆମଦାନୀ କଭର କରିବାକୁ ପର୍ଯ୍ୟାପ୍ତ। ତେବେ ଅର୍ଥଶାସ୍ତ୍ରୀ କହିଛନ୍ତି ଯେ ଯଦି ମଧ୍ୟପ୍ରାଚ୍ୟ ଯୁଦ୍ଧ ଦୀର୍ଘ ହୁଏ ମୁଦ୍ରାକୁ ରକ୍ଷା କରିବା ବାବଦକୁ ଖର୍ଚ୍ଚ ବଢିପାରେ। ଯଦି ଯୁଦ୍ଧ ଆହୁରି ବଢେ ୧ ଡଲାର ୧୦୦ ଟଙ୍କା ହେବା ବଜାର ଲାଗି ଚିନ୍ତାର କାରଣ ହୋଇପାରେ ଓ ଲୋକେ ଏହା ଉପରେ ଧ୍ୟାନ ଦେବା ମଧ୍ୟ ଆରମ୍ଭ କରିବେ।