ନୂଆଦିଲ୍ଲୀ: ଇରାନ୍ ଯୁଦ୍ଧକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି । ଉଭୟ ଆମେରିକା ଏବଂ ଇରାନ୍ ପଛକୁ ହଟିବାକୁ ରାଜି ନାହାନ୍ତି । ସେପଟେ ଇରାନ୍ ହର୍ମୁଜ ପ୍ରଣାଣୀକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରି ବିଶ୍ବରେ ଏକପ୍ରକାର ଶକ୍ତି ସଙ୍କଟ ସୃଷ୍ଟି କରିଛି । ଶନିବାରକୁ ଯୁଦ୍ଧ ୩୦ ଦିନରେ ପ୍ରବେଶ କରିବ । ମାସେ ହେଲା ଜାରି ରହିଥିବା ଯୁଦ୍ଧ ପାଇଁ ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । ପ୍ଲାଷ୍ଟିକ୍, ପ୍ରସାଧନ ସାମଗ୍ରୀ ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ପାନୀୟ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଛି । ଏପରିକି ବିୟର ଏବଂ ମଦର ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି। ବର୍ଦ୍ଧିତ ଇନପୁଟ୍ ଖର୍ଚ୍ଚ କମ୍ପାନୀଗୁଡ଼ିକୁ ମୂଲ୍ୟ ବୃଦ୍ଧି କରିବାକୁ ଚାପ ପକାଉଛି।

ଯୁଦ୍ଧ କ୍ଷେତ୍ରରୁ ହଜାର ହଜାର ମାଇଲ ଦୂରରେ ଥିବା ଭାରତରେ ଏହା ପ୍ରଭାବ ସ୍ପଷ୍ଟ ଭାବରେ ଦେଖାଯାଉଛି । ଭାରତରେ ଗ୍ୟାସ ସଙ୍କଟ ଉଗ୍ର ରୂପ ଧାରିଣ କରିଛି । ଏଥିପାଇଁ ଦେଶରେ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି । ଭାରତ ନିଜ ଆବଶ୍ୟକତାର ୯୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରେ । ଏହାର ଅଧା ହରମୁଜ୍ ପ୍ରଣାଳୀ ଦେଇ ଆସେ । ଏହା ଏକ ସଂକୀର୍ଣ୍ଣ ସମୁଦ୍ର ପଥ, ଯାହା ଏହି ଯୁଦ୍ଧରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । ଆମେରିକାର ଆକ୍ରମଣ ପରେ ଇରାନ୍ ହର୍ମୁଜ ପ୍ରଣାଳୀକୁ ସଂପୂର୍ଣ୍ଣ ଭାବରେ ନିଜ ନିୟନ୍ତ୍ରଣକୁ ନେଇଯାଇଛି । ଭାରତ ନିଜ ଆବଶ୍ୟକତାର ୪୦ ପ୍ରତିଶତ ଗ୍ୟାସ୍ କତାରରୁ ଆମଦାନୀ କରେ । କିନ୍ତୁ ଏବେ କାତାର ପୂର୍ଣ୍ଣ ଦକ୍ଷତାରେ ଏହି ପରିମାଣର ଗ୍ୟାସ୍ ଯୋଗାଇ ପାରୁନାହିଁ ।

Also Read:  ବିୟର ନା ହ୍ବିସ୍କି : କେଉଁଟା କମ୍ କ୍ଷତିକାରକ ? ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ...

କାହିଁକି ବଢ଼ିବ ବିୟର ମୂଲ୍ୟ ?

ଗ୍ୟାସ ଅଭାବ ଯୋଗୁ ଭାରତରେ ଥିବା ଅନେକ ବିଦେଶୀ ମଦ କମ୍ପାନିର ଉତ୍ପାଦନ କ୍ଷମତା ହ୍ରାସ ପାଉଛି । ଏବେ ରିପୋର୍ଟ ମିଳିଛି ଯେ, ବିୟର ଉତ୍ପାଦନ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇପାରେ । ଏହା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି ବୋଲି କୁହାଯାଉଛି ।

-ଗ୍ୟାସ୍ ଅଭାବ ଯୋଗୁଁ ବିୟର ବୋତଲର ମୂଲ୍ୟ ଅଧିକ ହେବ।

-ପରିବହନ ବିଳମ୍ବ ଯୋଗୁଁ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ, ଯେପରିକି ଆଲୁମିନିୟମର ଅଭାବ ମଧ୍ୟ ଦେଖାଦେଇପାରେ ।

ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ହାଇନେକେନ୍, ଆନହ୍ୟୁଜର-ବୁଶ୍ ଇନବେଭ୍ ଏବଂ କାର୍ଲସବର୍ଗ ଭଳି କମ୍ପାନୀଗୁଡ଼ିକୁ ନେଇ ଗଠିତ ବ୍ରୁଅର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ରିପୋର୍ଟ କରିଛି ଯେ, କାଚ ବୋତଲ ମୂଲ୍ୟ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଏଲପିଜିର ଅଭାବ ଏବଂ ଯୋଗାଣ ହ୍ରାସ ଯୋଗୁଁ ଉତ୍ପାଦନ ଖର୍ଚ୍ଚ ୧୫-୨୦ ପ୍ରତିଶତ ବୃଦ୍ଧି ପାଇଛି। ବିଶେଷକରି ଫିରୋଜାବାଦରେ ଗ୍ଲାସ ଫର୍ନେସ୍ ଗୁଡ଼ିକ ବନ୍ଦ ହେଉଛି । ଫଳରେ କାଚ ମୂଲ୍ୟ ବୃଦ୍ଧି ପାଇଛି । ବିୟର ପ୍ୟାକେଜିଂର ପ୍ରାଥମିକ ଉତ୍ପାଦ ହେଉଛି କାଚ ।

ସେପଟେ କାଚ୍ ବ୍ୟତୀତ ଆଲୁମିନିୟମ କ୍ୟାନ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏହି କ୍ୟାନ ତିଆରି କରିବାକୁ ଗ୍ୟାସର ଆବଶ୍ୟକତା ରହିଛି । ବହୁ ବଡ଼ ବଡ଼ କମ୍ପାନୀ ଗ୍ୟାସ ତିଆରି ପାଇଁ ଗ୍ୟାସ୍ ଉପରେ ନିର୍ଭରଶୀଳ । ତେଣୁ କ୍ୟାନ୍ ଅଭାବ ଦେଖାଦେବା ସ୍ବାଭାବିକ । ଫଳରେ ବିୟର ପ୍ୟାକେଜିଂରେ ସମସ୍ୟା ଦେଖାଦେଇଛି ।

କେତେ ବୃଦ୍ଧି ପାଇବ ମୂଲ୍ୟ ?

ବ୍ରୁଅର୍ସ ଆସୋସିଏସନ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ବିନୋଦ ଗିରି ରଏଟର୍ସଙ୍କୁ କହିଛନ୍ତି ଯେ, ଆମେ ୧୨-୧୫ ପ୍ରତିଶତ ମୂଲ୍ୟ ବୃଦ୍ଧି ଦାବି କରୁଛୁ। ଆମେ ଆମର ସଦସ୍ୟ କମ୍ପାନୀଗୁଡ଼ିକୁ ଏହା ଉପରେ ଆଲୋଚନା କରିବା ପାଇଁ ରାଜ୍ୟ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛୁ । ସେପଟେ ଭାରତରେ ବିୟର ବଜାର ଖୁବ ବଡ଼ । ଭାରତରେ ପ୍ରାୟ ୭.୮ ବିଲିୟନ୍ ଡଲାରର ବିୟର ମାର୍କେଟ ରହିଛି ।

ବିନୋଦ ଗିରି କହିଛନ୍ତି, କାଚ ଏବଂ କ୍ୟାନ ମୂଲ୍ୟ ବୁଦ୍ଧିର ବୋଝ କେବଳ କମ୍ପାନୀ ଉପରେ ପଡ଼ିବା ଉଚିତ ନୁହେଁ । ଏହି ବୋଝ ଗ୍ରାହକ, ସରକାର ଏବଂ କମ୍ପାନୀ ଉପରେ ଭାଗ ହୋଇ ପଡ଼ିବା ଦରକାର । ଏଭଳି ସ୍ଥିତିରେ ରାଜ୍ୟ ସରକାର ଲାଇସେନ୍ସ ଏବଂ ବଟଲିଂ ଫି ଛାଡ଼ କରିବା ଉପରେ ନିଷ୍ପତ୍ତି ନେବା ଜରୁରୀ ହୋଇପଡ଼ିଛି ବୋଲି ବିନୋଦ ଗିରି କହିଛନ୍ତି । ଆଗକୁ କିଛି କମ୍ପାନୀ ବିୟର ରପ୍ତାନୀ ହ୍ରାସ କରିପାରନ୍ତି । ଏପରିକି ବ୍ରୁଅର୍ସ ଆସୋସିଏସନ ଅଫ୍ ଇଣ୍ଡିଆ ଏହାର ଉତ୍ପାଦନ ପ୍ରାୟ ୫୦% ହ୍ରାସ କରିପାରେ ବୋଲି ବିନୋଦ ଗିରି କହିଛନ୍ତି ।