ନୂଆଦିଲ୍ଲୀ: ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ଇରାନକୁ ନେଇ ବଡ଼ ଦାବି କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍। ସେ କହିଛନ୍ତି ୨୪ ଘଣ୍ଟା ଭିତରେ ଇରାନ- ଆମେରିକାରେ ଡିଲ୍ ହୋଇପାରେ। ଦୁଇ ଦେଶ ମଧ୍ୟରେ ଶାନ୍ତି ବୁଝାମଣା ସର୍ତ୍ତ ଉପରେ ସହମତି ହୋଇଛି। ଏହା ସହ ସମ୍ଭାବିତ ବୁଝାମଣା ଦାବି ସହ ସୋସିଆଲ ମିଡିଆ ପୋଷ୍ଟରେ ଶହବାଜ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ, ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଇରାନ ରାଷ୍ଟ୍ରପତି ମସୂଦ ପେଜେସ୍କିଆନ ଏବଂ ବିଦେଶ ମନ୍ତ୍ରୀ ଅବ୍ବାସ ଆରାଘଚୀଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।

ଶହବାଜ ଶରିଫ ଏକ୍ସ ପୋଷ୍ଟରେ କହିଛନ୍ତି, ‘ଆମେ ଶାନ୍ତି ଚୁକ୍ତିର ଖୁବ୍ ନିକଟବର୍ତ୍ତୀ। ଆସନ୍ତା ୨୪ ଘଣ୍ଟାରେ ଏହା ଚୂଡ଼ାନ୍ତ ହେବା ନେଇ ଆଶା ରହିଛି। ଏହାପରେ ପାକିସ୍ତାନ ଶାନ୍ତି ଚୁକ୍ତି ଉପରେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ହସ୍ତାକ୍ଷର କରିବା ପାଇଁ ପ୍ରସ୍ତୁତି କରିବ ଏବଂ ଏହା ପରେ ଆସନ୍ତା ସପ୍ତାହରେ ବୈଷୟିକ ସ୍ତରରେ ହେବ।’ ସେ ଆହୁରି କହିଛନ୍ତି, ‘ଆମେ କଥାବାର୍ତ୍ତା ସମୟରେ ଲଗାତାର ପ୍ରତିବଦ୍ଧତା ଦେଖାଇବା ପାଇଁ ୟୁଏସଏ ଏବଂ ଇରାନକୁ ଧନ୍ୟବାଦ ଦେଉଛି। ଏହା ସହ ଏହି କ୍ଷେତ୍ରରେ ନିଜ ଭାଇମାନଙ୍କ ସମର୍ଥନ ପାଇଁ ଆମେ ତାଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛୁ। ଆମର ବିଶ୍ବାସ ଏହି ଐତିହାସିକ ଶାନ୍ତି ଚୁକ୍ତି ସ୍ଥାୟୀ ଶାନ୍ତି ପାଇଁ ଏକ ମଜଭୁତ ଆଧାର ହେବ। ଶୁକ୍ରବାର ମଧ୍ୟ ଶହବାଜ ଶରିଫ ପୋଷ୍ଟ କରି ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିର ସର୍ତ୍ତ ଉପରେ ସହମତି ହୋଇଥିବା ନେଇ ସୂଚନା ଦେଇଥିଲେ।

Also Read: ସେନା ଗୁଳିକୁ ଖାତିର ନାହିଁ, ପାକିସ୍ତାନ ସରକାରଙ୍କ ବିରୋଧରେ ପିଓକେରେ ଆନ୍ଦୋଳନ ତୀବ୍ର

ଏହା ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ ଆରାଘଚୀ ମଧ୍ୟ ଆଲୋଚନାରେ ସଫଳ ହୋଇଥିବା ସଙ୍କେତ ଦେଇଥିଲେ। ସେ କହିଥିଲେ ‘‘ଇସଲାମାବାଦ ଚୁକ୍ତି ଭଳି ଚୁକ୍ତି ପୂର୍ବରୁ କେବେବି ହୋଇନଥିଲା। ସେ ସୋସିଆଲ ମିଡିଆ ପୋଷ୍ଟରେ କହିଥିଲେ, ବୁଝାମଣାକୁ ଅନ୍ତିମ ରୂପ ଦିଆଯିବା ପର୍ଯ୍ୟନ୍ତ ମିଡିଆକୁ ଏନେଇ ଗୁଜବ ପ୍ରଚାର ନକରିବା ଦରକାର। ଜନତାଙ୍କୁ ଉଚିତ ସମୟରେ ସୂଚନା ଦିଆଯିବ।’