ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ମୁକ୍ତି ଆନ୍ଦୋଳନ ତୀବ୍ର ହୋଇଛି । ପିଓକେ ପାକିସ୍ତାନ ପାଖରୁ ଅଲଗା ହେବାକୁ ଦାବି କରୁଛି । ରାସ୍ତାରେ ଲୋକେ ପାକିସ୍ତାନ ନେତୃତ୍ବଙ୍କ ବିରୋଧରେ ଗର୍ଜୁଛନ୍ତି । ପାକିସ୍ତାନର ବର୍ବରତା ଏବଂ ସେନା ଗୁଳିରେ ମୃତକଙ୍କ ସଂଖ୍ୟା ବଢ଼ୁଛି ସତ, କିନ୍ତୁ ଶେଷ ନିଶ୍ବାସ ଯାଏଁ ଲଢ଼ିବାକୁ ପଣ କରିଛନ୍ତି ପିଓକେର ଲୋକମାନେ । ପାକିସ୍ତାନୀ ସେନା ଏବଂ ସେଠାକାର ଶାସନ ବିରୋଧରେ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ଜନଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। 

ଏହି ବିଦ୍ରୋହକୁ ଆଗକୁ ନେଉଥିବା 'ଅୱାମୀ ଆକ୍ସନ କମିଟି' (AAC) ର ନେତାମାନଙ୍କ ମଧ୍ୟରେ ରଣନୀତିକୁ ନେଇ ମତଭେଦ ଦେଖାଦେଇଛି। ଗୋଟିଏ ପଟେ ସର୍ଦ୍ଦାର ଅମାନ ଖାନ ଏବଂ ଖ୍ୱାଜା ମେହରାନଙ୍କ ଭଳି ନେତାମାନେ PoKର ସ୍ୱାଧୀନତା ଦାବି କରୁଛନ୍ତି ଏବଂ ପାକିସ୍ତାନୀ ସେନା ବିରୋଧରେ ଆରପାର ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ, ଉମର ନଜୀର ଏବଂ ଶୌକତ ନୱାଜ ମୀରଙ୍କ ଭଳି କିଛି ନେତା ପାକିସ୍ତାନ ସରକାରଙ୍କ ପ୍ରତି ନରମ ଆଭିମୁଖ୍ୟ ରଖି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି।

ଆନ୍ଦୋଳନରେ ପ୍ରଦର୍ଶନକାରୀଙ୍କର ମୁଖ୍ୟ ଦୁଇଟି ଦାବି ରହିଛି, ଯାହାକୁ ନେଇ ବର୍ତ୍ତମାନ ପାକିସ୍ତାନ ସରକାର ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅଶାନ୍ତି ଓ ବିବାଦ ବଢ଼ିବାରେ ଲାଗିଛି। ଶରଣାର୍ଥୀ ଆସନ (Refugee Seats) ଉଚ୍ଛେଦ ଏବଂ ଶପଥ ପାଠ ସର୍ତ୍ତରେ ପରିବର୍ତ୍ତନ ଦାବି ଜୋର ଧରିଛି । 

PoK ବିଧାନସଭାରେ ୧୨ଟି ଆସନକୁ 'କଥିତ ଶରଣାର୍ଥୀ'ଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସାଧାରଣ ଜନତା ଏବଂ ପ୍ରଦର୍ଶନକାରୀଙ୍କ ଅଭିଯୋଗ ଅନୁଯାୟୀ, ପାକିସ୍ତାନ ସରକାର ଓ ସେନା ଏହି ଆସନଗୁଡ଼ିକର ଅପବ୍ୟବହାର କରି ନିଜର ପସନ୍ଦର ନେତାମାନଙ୍କୁ ବସାଉଛନ୍ତି। ଏହାଦ୍ୱାରା PoK ର ସ୍ଥାନୀୟ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ତେଣୁ ଜନସାଧାରଣ ଏହି ୧୨ଟି ଶରଣାର୍ଥୀ ଆସନକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ପାଇଁ ଦୃଢ଼ ଦାବି କରୁଛନ୍ତି।

PoKର ନିର୍ବାଚିତ ପ୍ରତିନିଧି ବା ନେତାମାନଙ୍କର ଶପଥ ଗ୍ରହଣ ସର୍ତ୍ତ ବଦଳାଇବାକୁ ମଧ୍ୟ ଦାବି ହେଉଛି। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ସେଠାକାର ନେତାମାନଙ୍କୁ ପାକିସ୍ତାନ ପ୍ରତି ଆନୁଗତ୍ୟ ଦେଖାଇ ଶପଥ ନେବାକୁ ପଡ଼ୁଛି । ପ୍ରଦର୍ଶନକାରୀଙ୍କ ଅନୁସାରେ, ପାକିସ୍ତାନ ଅଧିକୃତ କାଶ୍ମୀର (PoK)ପାକିସ୍ତାନର ବୈଧ ଅଂଶ ନୁହେଁ।

ପ୍ରଦର୍ଶନକାରୀମାନେ ଦାବି କରୁଛନ୍ତି ଯେ, ଶପଥ ପାଠରୁ 'ପାକିସ୍ତାନ ପ୍ରତି ଆନୁଗତ୍ୟ' ଶବ୍ଦକୁ ହଟାଇ ଦିଆଯାଉ। ଏହା ବଦଳରେ ନିର୍ବାଚିତ ନେତାମାନେ 'ସମଗ୍ର ଜମ୍ମୁ-କାଶ୍ମୀରର ଏକତା ଏବଂ ଅଖଣ୍ଡତା' ପ୍ରତି ନିଜର ନିଷ୍ଠା ଓ ଆନୁଗତ୍ୟ ଥିବା ନେଇ ଶପଥ ନିଅନ୍ତୁ। ଏଭଳି ଦାବି କରି ପାକିସ୍ତାନର ଶୀର୍ଷ ନେତୃତ୍ବଙ୍କ ଚ୍ୟାଲେଞ୍ଜ କରିଛନ୍ତି ପ୍ରଦର୍ଶନକାରୀ । ନେତାମାନଙ୍କ ମଧ୍ୟରେ ମତଭେଦ ସତ୍ତ୍ୱେ, ଜନସାଧାରଣଙ୍କ ମଧ୍ୟରେ ଜାଗ୍ରତ ହୋଇଥିବା ଏହି ଆକ୍ରୋଶ ପାକିସ୍ତାନୀ ସେନା ଏବଂ ସରକାରଙ୍କ ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି।

ପ୍ରତିବାଦକାରୀମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ଫିଲ୍ଡ ମାର୍ଶଲ ଅସୀମ ମୁନିର, ପିଓକେ ପ୍ରଧାନମନ୍ତ୍ରୀ ଫୈସଲ ମୁମତାଜ ରାଠୋର ଏବଂ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି। ଏହା ସହିତ, ଆୱାମୀ ଆକ୍ସନ କମିଟିର ନେତା କହିଛନ୍ତି ଯେ, ୧୯୪୭ ମସିହାରେ ଜବରଦସ୍ତି ପିଓକେ କବଜା କରି ଜମି ଦଖଲ କରିଥିବା ଆଦିବାସୀମାନେ ମଧ୍ୟ ଆଜି ପିଓକେର ପ୍ରତିବାଦକାରୀଙ୍କ ସହିତ ଅଛନ୍ତି। ଜନତାକୁ ସମ୍ବୋଧିତ କରିବା ସମୟରେ ଆୱାମୀ ଆକ୍ସନ କମିଟିର ନେତା କହିଛନ୍ତି ଯେ, ପ୍ରଥମ ଥର ପାଇଁ ଜମ୍ମୁ, ଗିଲଗିଟ ବାଲ୍ଟିସ୍ତାନ ଏବଂ ଲଦାଖ, ପ୍ରତିବାଦକାରୀଙ୍କୁ ସମର୍ଥନ କରୁଛନ୍ତି।