ନୂଆଦିଲ୍ଲୀ : ଇରାନ ସହିତ ଜାରି ଯୁଦ୍ଧ ସମାପ୍ତ କରିବାକୁ ଆମେରିକା ଏକ ପ୍ରସ୍ତାବ ଦେଇଥିଲା। ଏବେ ଏହାକୁ ନେଇ ଇରାନ ନିଜର ଜବାବ ରଖିଛି। ଇରାନର ସରକାରୀ ସମ୍ବାଦ ସରବରାହ ସଂସ୍ଥା ଅନୁସାରେ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରସ୍ତାବର ଜବାବ ପାକିସ୍ତାନ ମାଧ୍ୟମରେ ପଠା ଯାଇଛି। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର କହିଥିଲେ ଯେ ଆଶା କରୁଛି ଆମେରିକା ପକ୍ଷରୁ ପଠାଯାଇଥିବା ପ୍ରସ୍ତାବ ଉପରେ ଇରାନ ଖୁବ୍ ଶୀଘ୍ର ପ୍ରତିକ୍ରିୟା ଦେବ। ଏହି ପ୍ରସ୍ତାବର ଉଦ୍ଦେଶ୍ୟ ଉଭୟ ଦେଶଙ୍କ ମଧ୍ୟରେ ବଢୁଥିବା ଉତ୍ତେଜନା ଓ ଯୁଦ୍ଧକୁ ସମାପ୍ତ କରିବା।

ଆମେରିକା ପ୍ରସ୍ତାବକୁ ଗୋଟିଏ ପୃଷ୍ଠାର ୧୪ ସୂତ୍ରୀ ଜ୍ଞାପନ ବୋଲି କୁହାଯାଉଛି, ଏହାର ଉଦ୍ଦେଶ୍ୟ ଜାରି ଯୁଦ୍ଧକୁ ରୋକିବା ଓ ୱାସିଂଟନ-ତେହେରାନ ମଧ୍ୟରେ ଔପଚାରିକ ବାର୍ତ୍ତା ଆରମ୍ଭ କରିବା। ଏହି ପ୍ରସ୍ତାବ ଅନୁସାରେ ଇରାନ ପରମାଣୁ ସମ୍ବର୍ଦ୍ଧନ ଗତିବିଦ୍ଧି ଉପରେ ରୋକ ଲଗାଇପାରେ। ଏହା ବଦଳେ ଆମେରିକା କଟକଣା କୋହଳ କରିବା ସହିତ ଇରାନର ଫ୍ରିଜ ହୋଇ ରହିଥିବା କୋଟିକୋଟି ଟଙ୍କାର ସମ୍ପତ୍ତି ଜାରି କରିବାକୁ ବିଚାର କରିପାରେ।

ଉଲ୍ଲେଖଯୋଗ୍ୟ ଯେ ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ ପରଠାରୁ ଏହି ଯୁଦ୍ଧ ଥମିବାର ନାଁ ନେଉନି। ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡୁଛି। ହେଲେ ଏବେ ଲଗାତାର ଶାନ୍ତିର କଥା ସାମ୍ନାକୁ ଆସୁଥିବା ବେଳେ ଜାରି ଯୁଦ୍ଧବିରାମ ସମ୍ପ୍ରସାରିତ ହୋଇଛି। ଏଣୁ ଯୁଦ୍ଧ ଏବେବି ସମ୍ପୂର୍ଣ୍ଣ ସମାପ୍ତ ହୋଇ ନାହିଁ। ଏହା ପୂର୍ବରୁ ପାକିସ୍ତାନରେ ଇରାନ ଓ ଆମେରିକା ମଧ୍ୟରେ ଶାନ୍ତି ବାର୍ତ୍ତା ଉଦ୍ୟମ କରାଯାଇଥିଲା। ହେଲେ ଏହି ଉଦ୍ୟମ ବିଫଳ ହୋଇଥିଲା। ଇରାନ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଘୋଷଣା କରିଥିଲା, କିନ୍ତୁ ପରେ ପୁଣି ଥରେ କଟକଣା ଲଗାଇ ଦେଇଥିଲା।