ନୂଆଦିଲ୍ଲୀ: ଇରାନ ପୁଣି ଥରେ ଭାରତ ଆସୁଥିବା ଜାହାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହର୍ମୁଜ ଜଳମାର୍ଗ ଦେଇ ଭାରତ ଆସୁଥିବା ଜାହାଜ ଉପରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ(IRGC) ହମଲା କରି ଜବତ କରି ନେଇଛି। ଏହିପରି ଇରାନ ସେନା ମୋଟ୍ ଦୁଇଟି ଜାହାକକୁ ନିଜ କବଜାକୁ ନେଇ ଯାଇଛି। ଏହି ଘଟଣାରେ ଭାରତ ପକ୍ଷରୁ ଅଦ୍ୟାବଧି କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି।

ଇରାନ ସରକାରୀ ମିଡିଆ ଅନୁଯାୟୀ, ହର୍ମୁଜ ପ୍ରଣାଳୀ ଅତିକ୍ରମ ପାଇଁ ଉଦ୍ୟମ କରୁଥିବା ଦୁଇଟି ଜାହାଜକୁ ଇରାନର IRGC ଜବତ କରି ନେଇଛି। IRGCର ନୌସେନା ଅନୁଯାୟୀ, ବୁଧବାର ସକାଳେ ହର୍ମୁଜ ପ୍ରଣାଳୀରେ ନିୟମ ଭାଙ୍ଗିଥିବା ଦୁଇଟି ଜାହାଜକୁ ଚିହ୍ନଟ କରି ସେମାନଙ୍କୁ ଅଟକ ରଖାଯାଇଛି।

ତିନୋଟି କଣ୍ଟେନର ଜାହାଜ ଉପରେ ଇରାନ ହମଲା

ଏହା ପୂର୍ବରୁ ବୁଧବାର ହର୍ମୁଜରେ ମୋଟ୍ ତିନୋଟି କଣ୍ଟେନର ଜାହାଜ ଉପରେ ଇରାନ ହମଲା କରିଥିବା ଖବର ଆସିଥିଲା। ୟୁକେ ମେରିଟାଇମ ଟ୍ରେଡ ଅପରେସନ ସେଣ୍ଟର କହିଛି ଯେ, ଇରାନର IRGCର ଏକ ଗନବୋଟ୍ ଓମାନଠୁ ପ୍ରାୟ ୧୫ ନଟିକଲ ମାଇଲ ଉତ୍ତର-ପୂର୍ବରରେ ଏକ କଣ୍ଟେନର ଜାହାଜ ଉପରେ ଗୁଲିମାଡ଼ କରିଛି। ୟୁନାନୀ କମ୍ପାନିର ସ୍ଵାମିତ୍ଵରେ ଥିବା ଏହି ଜାହାଜ ଉପରେ ହମଲା ହୋଇଛି। ହେଲେ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।

Also Read: ହର୍ମୁଜକୁ ଖୋଲିବା ପାଇଁ ଲଣ୍ଡନରେ ବସିବ ବଡ ବୈଠକ, ସାମିଲ ହେବେ ୩୦ରୁ ଅଧିକ ଦେଶ

ସେହିପରି ପାନାମା ପତାକା ଥିବା ୟୁଫୋରିଆ ଜାହାଜ ଉପରେ ଇରାନ ପକ୍ଷରୁ ଦ୍ଵିତୀୟ ହମଲା ହୋଇଛି। ଏହା ୟୁଏଇର ଏକ କମ୍ପାନି ଜାହାଜ ଥିଲା। କୁହାଯାଉଛି, ଇରାନଠୁ ପ୍ରାୟ ଆଠ ନଟିକଲ ମାଇଲ ଦୂରରେ ଏହି ହମଲା ହୋଇଛି। ପୁଣି ତୃତୀୟ ହମଲା ପାନାମା ପତାକା ଥିବା MSC Francesca ଉପରେ ହୋଇଛି। ଏହା ଇରାନ ତଟରୁ ପ୍ରାୟ ଛଅ ନଟିକଲ ମାଇଲ୍ ଦୂରରେ ଥିଲା। ହମଲା ସମୟରେ ଏହି ଜାହାଜ ହର୍ମୁଜରୁ ଦକ୍ଷିଣ ଦିଗକୁ ଓମାନ ଅଭିମୁଖେ ଯାଉଥିଲା।

ସୂଚନାଯୋଗ୍ୟ, ଇରାନ-ଆମେରିକା ଓ ଇସ୍ରାଏଲ ଯୁଦ୍ଧ ପରେ ହର୍ମୁଜ ଜଳମାର୍ଗରେ ଅଚଳାବସ୍ଥା ଜାରି ରହିଛି। ଇରାନ ଏହି ଗୁରୁତ୍ଵପୂର୍ଣ୍ଣ ମଳମାର୍ଗକୁ ଅବରୋଧ କରି ରଖିଛି। ଏପରିକି ବିଶ୍ଵର ଏହି ପ୍ରମୁଖ ଜଳମାର୍ଗରେ ହୋଇଥିବା ହମଲାରେ ଦୁଇ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଭାରତ ସରକାର ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ସଦ୍ୟତମ ଘଟଣାରେ କଣ ରହିବ ଭାରତ ସରକାରଙ୍କ ଆଭିମୁଖ୍ୟ ତାହା ଏବେ ସଭିଙ୍କ ନଜର।