ନୂଆଦିଲ୍ଲୀ: ହର୍ମୁଜରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ କୌଣସି ଜାହାଜକୁ ଛାଡ଼ୁନାହିଁ ଇରାନ୍ । ଭାରତୀୟ ଜାହାଜଗୁଡ଼ିକୁ ବି ହର୍ମୁଜ ଦେଇ ଯିବାକୁ ଅନୁମତି ମିଳିନାହିଁ । ଇରାନର ନୌସେନା ଭାଗ୍ୟଲକ୍ଷ୍ମୀ ସମେତ ଦୁଇଟି ଭାରତୀୟ ଟ୍ୟାଙ୍କରକୁ ଆଗକୁ ବଢ଼ିବାରୁ ବାରଣ କରିଥିଲା । ଫଳରେ ଭାରତୀୟ ଟ୍ୟାଙ୍କର ସେଠାରୁ ଫେରିଆସିଛି ବୋଲି ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ଭାରତୀୟ ପତାକା ଲାଗିଥିବା ‘ଭାଗ୍ୟଲକ୍ଷ୍ମୀ’ ନାମକ ଟ୍ୟାଙ୍କର୍ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିଲା । କିନ୍ତୁ ଇରାନ ନୌସେନା ଏହାକୁ ଯିବାକୁ ଅନୁମତି ଦେଇନଥିଲା ।

ଜାହାଜର କର୍ମଚାରୀମାନେ ଆଗକୁ ଯିବାକୁ ବାରମ୍ବାର ଅନୁମତି ମାଗିଥିଲେ । କିନ୍ତୁ ସେମାନଙ୍କୁ ଅନୁରୋଧକୁ ପ୍ରତ୍ୟାଖାନ କରାଯାଇଥିଲା ଏବଂ ତୁରନ୍ତୁ ପଛକୁ ଫେରିଯିବାକୁ କୁହାଯାଇଥିଲା । ଏକ ଭିଡିଓରେ ଜଣେ କ୍ରୁ ସଦସ୍ୟ କହୁଥିବା ଦେଖାଯାଉଛି, ‘ଆମେ ତୁମକୁ ସ୍ପଷ୍ଟ ଭାବରେ ଶୁଣିପାରୁଛୁ ।’ ଇରାନ ନୌସେନା ଜାହାଜକୁ ତୁରନ୍ତ ପଛକୁ ଫେରିବାକୁ କହୁଥିବା ମଧ୍ୟ ଭିଡିଓରେ ଶୁଣିବାକୁ ମିଳିଛି ।

ସାହାଯ୍ୟ ମାଗିଥିଲା ଆଉ ଏକ ଜାହାଜ

ଅନ୍ୟ ଏକ ତେଲ ଟ୍ୟାଙ୍କର, ସାନମାର ହେରାଲ୍ଡରୁ ମଧ୍ୟ ଏକ ଫୋନ ଆସିଥିଲା। ଜାହାଜରେ ଥିବା ଜଣେ କ୍ରୁ ସଦସ୍ୟ କହିଛନ୍ତି ଯେ, ସେମାନଙ୍କୁ ପ୍ରଥମେ ଆଗକୁ ବଢ଼ିବା ପାଇଁ ଅନୁମତି ଦିଆଯାଇଥିଲା, କିନ୍ତୁ ତା’ପରେ ହଠାତ୍ ଗୁଳି ଫୁଟିଥିଲା ଏବଂ ସେମାନଙ୍କୁ ଫେରିଯିବାକୁ କୁହାଯାଇଥିଲା। ସୂତ୍ର ଅନୁଯାୟୀ, ଇରାନର ଗନ୍ ବୋଟ୍ ଉଭୟ ଭାରତୀୟ ଜାହାଜ ଉପରେ ଗୁଳି ଚଳାଇଥିଲା । ଏଥିର କେହି ଆହତ ହୋଇ ନଥିଲେ କିମ୍ବା ଜାହାଜଗୁଡ଼ିକର କୌଣସି କ୍ଷତି ହୋଇନଥିଲା। ରିପୋର୍ଟ ଅନୁଯାୟୀ, ଅନେକ ଜାହାଜକୁ ରେଡିଓ ମାଧ୍ୟମରେ ସୂଚନା ଦିଆଯାଇଥିଲା ଯେ, ସେମାନଙ୍କୁ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଅନୁମତି ଦିଆଯାଇ ନାହିଁ ।

ଚିନ୍ତା ପ୍ରକାଶ କଲା ଭାରତ

ଏହି ଘଟଣା ପରେ, ଭାରତ ଜାହାଜ ଏବଂ ନାବିକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଇରାନ ପୂର୍ବରୁ ଭାରତ ଅଭିମୁଖେ ଯାଉଥିବା ଜାହାଜଗୁଡ଼ିକୁ ସୁରକ୍ଷିତ ପଥ ପ୍ରଦାନ କରିଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଇରାନ ରାଷ୍ଟ୍ରଦୂତଙ୍କୁ ଭେଟି ଭାରତର ଚିନ୍ତା ଜଣାଇବା ସହିତ ଭାରତୀୟ ଜାହାଜ ପାଇଁ ତୁରନ୍ତ ସୁରକ୍ଷିତ ପଥ ପୁନଃସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି। ଇରାନ ରାଷ୍ଟ୍ରଦୂତ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଭାରତର ଚିନ୍ତା ତାଙ୍କ ସରକାରଙ୍କୁ ଜଣାଇ ଦିଆଯିବ।

ଇରାନର ଚେତାବନୀ

ଇରାନର ଜଣେ ବରିଷ୍ଠ ପ୍ରତିନିଧି ଡକ୍ଟର ଅବଦୁଲ ମାଜିଦ ହାକିମ ଏଲାହି କହିଛନ୍ତି ଯେ, ଭାରତ ଏବଂ ଇରାନ ମଧ୍ୟରେ ସମ୍ପର୍କ ଦୃଢ଼ ଏବଂ ଏହି ସମସ୍ୟାର ସମାଧାନ ହେବ। କିନ୍ତୁ ଏହି ଘଟଣା ସଂପର୍କରେ ତାଙ୍କ ପାଖରେ ଖବର ନାହିଁ ବୋଲି ସେ କହିଛନ୍ତି । ପରେ ଇରାନର ସେନା କହିଛି ଯେ, ହର୍ମୁଜ୍ ପ୍ରଣାଳୀ ଏବେ କଡ଼ା ନିୟନ୍ତ୍ରଣରେ ଅଛି। ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଚେତାବନୀ ଦେଇଛି ଯେ, ଏହି ଅଞ୍ଚଳରେ ପ୍ରବେଶ କରୁଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଇପାରେ।