ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଶାନ୍ତି ବୁଝାମଣା ପରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜଙ୍କ ଯାତାୟାତ ସୁଗମ ହେଲାଣି। ବୈଶ୍ୱିକ ସପ୍ଲାଇ ଚେନ୍ ପୁଣି ସ୍ୱଭାବିକ ହେଉଥିବା ବେଳେ ହର୍ମୁଜରେ ଏପରି କିଛି ହୋଇଛି ଯାହା ପୁଣି ଚିନ୍ତାର କାରଣ ପାଲଟିଛି। ୨୬ ଜୁନ ଶୁକ୍ରବାର ହର୍ମୁଜ ପାର କରୁଥିବା ୩ଟି ବିଦେଶୀ ତୈଳ ଟ୍ୟାଙ୍କରକୁ ଇରାନ ଅଟକାଇ ପୁଣି ପଛକୁ ଫେରାଇ ଦେଇଛି। ଇରାନୀ ସରକାରୀ ମିଡିଆ ଆଇଆରଆଇବି ଅନୁସାରେ ଏହି ଜାହାଜମାନେ ଇରାନୀ ଅଧିକାରୀଙ୍କ ସହ ସମ୍ପର୍କ ନ କରି ହର୍ମୁଜ ପ୍ରଣାଳୀ ପାର କରୁଥିଲେ।

ଇରାନ ନେଭି ଉପସାଗର ଏବଂ ଓମାନ ସମୁଦ୍ର କ୍ଷେତ୍ରରେ ଥିବା ସବୁ ଜାହାଜଙ୍କୁ ଚେତାବନୀ ଜାରି କରିଛି। ଏଥିରେ କୁହାଯାଇଛି ଯେ ଇରାନ ସହମତି ବିନା କୌଣସି ନୂଆ ତଥା ବିକଳ୍ପ ରାସ୍ତା ସ୍ୱୀକାର୍ଯ୍ୟ ନୁହେଁ। ଏହା ଛଡା ଇରାନ ଗଲଫ ୱାଟର୍ସ ମ୍ୟାନେଜମେଣ୍ଟ ଆଡମିନେଷ୍ଟ୍ରେସନ ମଧ୍ୟ ଏକ ପୃଥକ ଚେତାବନୀ ଦେଇଛି। ଏଥିରେ ତେହେରାନ ଯେଉଁ ରାସ୍ତା ନିର୍ଦ୍ଧାରଣ କରିଛି ଏହା ଅତିରିକ୍ତ ବିନା ଅନୁମତିରେ କୌଣସି ଜାହାଜ ଯାଇ ପାରିବନି। ନିର୍ଦ୍ଧାରିତ ରାସ୍ତା ବଦଳାଇଲେ ଓ ବିନା ଅନୁମତିରେ କୌଣସି ରୁଟ ନେଲେ ଜାହାଜ ସୁରକ୍ଷା ବିପଦରେ ପଡିପାରେ। ଏପରି ଜାହାଜଙ୍କୁ ପରବର୍ତ୍ତି ନେଭିଗେସନ ଦେବାକୁ ମନା ମଧ୍ୟ କରାଯାଇ ପାରେ। ଏଥିରେ ନିୟମ ଉଲ୍ଲଂଘନ କଲେ ଯଦି କୌଣସି ପରିଣାମ ଘଟେ ତେବେ ଏଥି ପାଇଁ ଜାହାଜ ମାଲିକ, ଅପରେଟର ଓ କମାଣ୍ଡର ଦାୟି ହେବେ।

ଇରାନ କହିଛି ଯେ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ହେଉଥିବା ଜାହାଜଙ୍କ ଉପରେ ନିୟନ୍ତ୍ରଣ ରଖିବା ଆମର ପୁରା ଅଧିକାର। ଏ ନେଇ ଇରାନ ଉପସାଗରୀୟ ଦେଶଙ୍କୁ ଚେତାବନୀ ମଧ୍ୟ ଦେଇଛି। କହିଛି ମାମଲାରେ ଆମେରିକାକୁ କେହି ସାଥ ଦିଅନ୍ତୁ ନାହିଁ। ତେହେରାନର ଏହି ବୟାନ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ସହିତ ହୋଇଥିବା ବୁଝାମଣା ଏତେ ଦୃଢ ନୁହେଁ। ଆମେରିକା ଓ ୬ ଉପସାଗରୀୟ ଦେଶ ମିଳିତ ଏକ ବୟାନ ଜାରି କରିଥିଲେ। ଏଥିରେ ଇରାନର ସେହି ଦାବିକୁ ଖାରଜ କରିଦିଆଯାଇଥିଲା ଯେଉଁଥିରେ ସେ ଶୁଳ୍କ ଅସୁଲ କରିବ ବୋଲି କହିଥିଲା। ତେବେ ଇରାନ ଏହି ବୟାନକୁ ଉତ୍ତେଜନାପୂର୍ଣ୍ଣ ଓ ଦାୟିତ୍ୱହୀନ କହିଛି।

ଇରାନ ଉପ ବିଦେଶ ମନ୍ତ୍ରୀ କାଜେମ ଗରିବାବାଦୀ ଏକ୍ସ ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ‘ଯେଉଁ ପର୍ଯ୍ୟନ୍ତ ଇରାନର ଭୂମିକାକୁ ସ୍ୱୀକାର କରା ନଯାଇଛି ସେ ପର୍ଯ୍ୟନ୍ତ ଷ୍ଟ୍ରେଟ୍ ଅଫ ହର୍ମୁଜରେ ଜାହାଜଙ୍କ ସୁରକ୍ଷିତ ଗମନା ଗମନର ଗ୍ୟାରେଣ୍ଟି ଦିଆଯାଇ ପାରିବନି’। ଏହି ଉତ୍ତେଜନା ମଧ୍ୟରେ ଶୁକ୍ରବାର ଅଶୋଧିତ ତୈଳ ବ୍ୟାରଲପିଛା ଦରରେ ୩ ପ୍ରତିଶତରୁ ଅଧିକ ହ୍ରାସ ହୋଇଛି। ଏଥି ମଧ୍ୟରେ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ ଗଲଫ ଗସ୍ତ ଶେଷ କରି କହିଛନ୍ତି ଯେ ଯଦି ଇରାନ ଜାହାଜଙ୍କୁ ରୋକିବା ଅଥବା ଡରାଇବାକୁ ଉଦ୍ୟମ କରେ ତେବେ ଏହା ଏକ ବଡ଼ ସମସ୍ୟା ହେବ।