ମୁମ୍ବାଇ: ଆଇଆଇଟି ବମ୍ବେ (IIT Bombay) ର ୨୨ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣା ପରେ ସୃଷ୍ଟି ହୋଇଥିବା ବିବାଦ ଭିତରେ, ଆଇଆଇଟିର 'ଫ୍ୟାକଲ୍ଟି ଫୋରମ୍' ପ୍ରଫେସର ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କ ସମର୍ଥନରେ ସାମ୍ନାକୁ ଆସିଛି। ସାହିଲଙ୍କ ଆତ୍ମହତ୍ୟା ପରେ ପ୍ରଫେସର ଦୁଲ୍ଲାଙ୍କୁ ଡିନ୍ (ପ୍ରଶାସନିକ ବ୍ୟାପାର) ପଦବୀରୁ ହଟାଯାଇଛି ।

ଫ୍ୟାକଲ୍ଟି ଫୋରମ୍ ସ୍ପଷ୍ଟ କରିଛି ଯେ, ନିରପେକ୍ଷ ତଦନ୍ତ ପାଇଁ ପ୍ରଫେସର ଦୁଲ୍ଲାଙ୍କୁ କେବଳ ପ୍ରଶାସନିକ ଦାୟିତ୍ୱରୁ ଅସ୍ଥାୟୀ ଭାବରେ ଅବ୍ୟାହତି ଦିଆଯାଇଛି। ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇ ନାହିଁ ଏବଂ ସେ ଆଇଆଇଟି ବମ୍ବେର ଫ୍ୟାକଲ୍ଟି ଭାବରେ କାର୍ଯ୍ୟରତ । ଏହାସହ ଫ୍ୟାକଲ୍ଟି ଫୋରମର ସଦସ୍ୟମାନେ କ୍ୟାମ୍ପସରେ ପ୍ରଫେସରଙ୍କ ସମର୍ଥନରେ ଶୋଭାଯାତ୍ରା ଓ ପ୍ରତିବାଦ କରିଛନ୍ତି।

ସେପ୍ଟେମ୍ବର ୨୧ ରେ ଜାରି ହୋଇଥିବା ବିବୃତ୍ତିରେ ପ୍ରାୟ ୭୫୦ ଜଣ ପ୍ରଫେସରଙ୍କ ସଂଗଠନ 'ଫ୍ୟାକଲ୍ଟି ଫୋରମ୍' କହିଛି ଯେ, ପ୍ରଫେସର ଦୁଲ୍ଲା ପରୀକ୍ଷା ହଲ୍‌ରେ କପି ରୋକିବା ପାଇଁ ଜଣେ ନିରୀକ୍ଷକ ଭାବରେ ଆଇଆଇଟିର ନିୟମାବଳୀ ଅନୁସାରେ ନିଜର ଦାୟିତ୍ୱ ତୁଲାଉଥିଲେ। ଏନର୍ଜି ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂର ଦ୍ୱିତୀୟ ବର୍ଷ ବି.ଟେକ୍ ଛାତ୍ର ସାହିଲ ୱାକୋଡେ ସେପ୍ଟେମ୍ବର ୧୮ ରେ ମିଡ୍-ସେମିଷ୍ଟାର ପରୀକ୍ଷା ସମୟରେ ମୋବାଇଲ୍ ବ୍ୟବହାର କରି ChatGPT ମାଧ୍ୟମରେ ପ୍ରଶ୍ନର ଉତ୍ତର ଖୋଜୁଥିବାର ଅଭିଯୋଗ ହୋଇଥିଲା।

ସଂସ୍ଥା କହିଛି ଯେ, ଘଟଣା ପରେ ଶିକ୍ଷକ, ଫ୍ୟାକଲ୍ଟି ଆଡଭାଇଜର ଏବଂ ବିଭାଗୀୟ ମୁଖ୍ୟ ସାହିଲଙ୍କୁ କାଉନ୍ସେଲିଂ କରିଥିଲେ ଏବଂ ଏହି ଘଟଣା ତାଙ୍କ ଶିକ୍ଷାଗତ ଭବିଷ୍ୟତ ଉପରେ କୌଣସି ଆଞ୍ଚ ଆଣିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ। ତାଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ହେଲେ ସେହିଦିନ ପରବର୍ତ୍ତୀ ସମୟରେ ସାହିଲଙ୍କ ମୃତଦେହ ତାଙ୍କ ହଷ୍ଟେଲ୍ ରୁମରୁ ଉଦ୍ଧାର ହୋଇଥିଲା ।

ପରିବାରର ଅଭିଯୋଗ 
ସାହିଲଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସାହିଲଙ୍କୁ ନିର୍ଯାତନା ଦିଆଯାଉଥିଲା ଏବଂ ସେ ଜାତିଗତ ଭେଦଭାବ ର ଶିକାର ହୋଇଥିଲେ। ପରିବାରର ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ଆତ୍ମହତ୍ୟା ପାଇଁ ଉତ୍ସାହିତ କରିବା ଏବଂ SC/ST (ଅତ୍ୟାଚାର ନିରୋଧୀ) ଆଇନ ଅଧୀନରେ ମାମଲା ରୁଜୁ କରିଛି, ଯେଉଁଥିରେ ପ୍ରଫେସର ଦୁଲ୍ଲାଙ୍କ ନାମ ରହିଛି।

ଅପରପକ୍ଷରେ, ଫ୍ୟାକଲ୍ଟି ଫୋରମ୍ ପ୍ରଫେସର ଦୁଲ୍ଲାଙ୍କ ବାବଦରେ ଗଣମାଧ୍ୟମରେ ପ୍ରକାଶିତ "ଭ୍ରାନ୍ତ ଓ ଗୁଜବ" ଖବରକୁ ବିରୋଧ କରିଛି, ଯାହା ତଦନ୍ତ ପୂର୍ବରୁ ତାଙ୍କ ସୁନାମକୁ କ୍ଷତି ପହଞ୍ଚାଉଛି। ସେମାନେ ପ୍ରଫେସରଙ୍କ ଶିକ୍ଷାଗତ ଏବଂ ପ୍ରଶାସନିକ ସଫଳତା ବିଷୟରେ ଉଲ୍ଲେଖ କରିଛନ୍ତି। ଛାତ୍ର ୱାକୋଡେଙ୍କ ମୃତ୍ୟୁ ପରେ ଆଇଆଇଟି କ୍ୟାମ୍ପସରେ ୩ ଦିନ ଧରି ବ୍ୟାପକ ଛାତ୍ର ଆନ୍ଦୋଳନ ଚାଲିଥିଲା। ଛାତ୍ରଛାତ୍ରୀନେ ଆଇଆଇଟି ବମ୍ବେର ଡାଇରେକ୍ଟର ପ୍ରଫେସର ଶିରୀଷ କେଦାରେଙ୍କୁ ୧୮ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ସେପ୍ଟେମ୍ବର ୨୦ ରେ ଡାଇରେକ୍ଟର ଏହି ଦାବିପତ୍ରରେ ସ୍ୱାକ୍ଷର କରି ନିରପେକ୍ଷ ତଦନ୍ତର ପ୍ରତିଶ୍ରୁତି ଦେଇଛନ୍ତି। ଛାତ୍ରମାନେ ସେପ୍ଟେମ୍ବର ୩୦ ସୁଦ୍ଧା ଅନ୍ତରୀଣ ରିପୋର୍ଟ ଏବଂ ଅକ୍ଟୋବର ୧୫ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ମାଗିଛନ୍ତି।

ଏହାସହ ଜାତିଗତ ଭେଦଭାବ ରୋକିବା, ମାନସିକ ସ୍ୱାସ୍ଥ୍ୟ ସେବାରେ ସୁଧାର ଏବଂ ଶୃଙ୍ଖଳାଗତ ନିୟମରେ ସଂସ୍କାର ପାଇଁ ଦାବି କରାଯାଇଛି। ଆଇଆଇଟି ବମ୍ବେ ପୂର୍ବରୁ ଦେଇଥିବା କିଛି ସାର୍ବଜନୀନ ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛି ।ଫ୍ୟାକଲ୍ଟି ଫୋରମ୍ ପ୍ରସଙ୍ଗରେ କହିଛି ଯେ, ମୃତ ଛାତ୍ରଙ୍କ ପ୍ରତି ସମବେଦନା ଏବଂ ତଦନ୍ତର ସମ୍ମୁଖୀନ ହେଉଥିବା ପ୍ରଫେସରଙ୍କ ପ୍ରତି ନିରପେକ୍ଷତା — ଏହି ଦୁଇଟିଯାକ ନୀତିକୁ ଆଧାର କରି ନିଷ୍ପତ୍ତି ନିଆଯିବା ଉଚିତ୍।