ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଅସ୍ତ୍ରବିରତି ହୋଇଥିଲେ ବି ତିକ୍ତତା ବଢ଼ିବାରେ ଲାଗିଛି। ଏବେବି ଲାଗିରହିଛି ଛକା ପଞ୍ଝା । ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଚେଷ୍ଟା ଚାଲିଛି। ହେଲେ ଏର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଏହାରି ମଧ୍ୟରେ ଇରାନ ଶନିବାର ଏନରିଚ୍ଡ (ସମୃଦ୍ଧ) ୟୁରାନିୟମକୁ ନେଇ ଆମେରିକାକୁ ପୁଣି ଝଟକା ଦେଇଛି। ଇରାନ ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଖାରଜ କରି ଆମେରିକାକୁ ୟୁରାନିୟମ ହସ୍ତାନ୍ତର କରିବ ନାହିଁ ବୋଲି କଡ଼ା ଟିପ୍ପଣୀ କରିଛି।

ଇରାନର ଉପ ବୈଦେଶିକ ମନ୍ତ୍ରୀ ସଈଦ ଖତିବଜାଦେହ ୟୁରାନିୟମକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଖରାଜ କରିଛନ୍ତି ଏବଂ ଦୁଇ ଦେଶ ମଧ୍ୟରେ ଭବିଷ୍ୟତରେ ହେବାକୁ ଥିବା କଥାବାର୍ତ୍ତା ସମ୍ପର୍କରେ ସତର୍କ ରହିବାକୁ ସଙ୍କେତ ଦେଇଛନ୍ତି। ତୁର୍କୀର ଅନ୍ତାଲ୍ୟାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଖତିବଜାଦେହ କହିଛନ୍ତି ଇରାନ ପକ୍ଷ, ଆମେରିକା ସହ ସାମ୍ନା- ସାମ୍ନି ହୋଇ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତ ନୁହେଁ। କାରଣ ଆମେରିକୀୟ ନିଜ ଉଗ୍ରବାଦୀ ସ୍ଥିତିକୁ ଛାଡ଼ିନାହାଁନ୍ତି।

କ’ଣ କହିଥିଲେ ଟ୍ରମ୍ପ ?

ପ୍ରକୃତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ, ଇରାନ ୟୁରାନିୟମ ହସ୍ତାନ୍ତର କରିବାକୁ ସହମତ ହୋଇଛି। ଟ୍ରମ୍ପ ଗୁରୁବାର ଏହା ମଧ୍ୟ ଦାବି କରିଥିଲେ ଯେ, ଇରାନ ଆମକୁ ୟୁରାନିୟମ ହସ୍ତାନ୍ତର କରିବାକୁ ସହମତି ହୋଇଛି।

Also Read: ହର୍ମୁଜରେ ୨ ଭାରତୀୟ ଜାହାଜ ଉପରେ ଗୁଳିମାଡ଼, ଇରାନ ରାଷ୍ଟ୍ରଦୂତଙ୍କୁ ସମନ୍

ଖାଲି ସେତିକି ନୁହେଁ ଶୁକ୍ରବାର ଟ୍ରମ୍ପ ଏହା ବି କହିଥିଲେ, ଆମେରିକା ଇରାନ ଯାଇ ସବୁ ନ୍ୟୁକ୍ଲିୟର ଧୂଳି (ୟୁରାନିୟମ) କାଢ଼ିଆଣିବ। ଟ୍ରମ୍ପଙ୍କ ଏହି ଇସାରା ୯୭୦ ପାଉଣ୍ଡ (୪୪୦ କିଲୋଗ୍ରାମ) ୟୁରାନିୟମ ଓର୍ ଆଡ଼କୁ ରହିଥିଲା। କୁହାଯାଏ ଏହି ୟୁରାନିୟମ ସେହି ପରମାଣୁ ଠିକଣା ତଳେ ରହିଛି, ଯାହା ଗତ ବର୍ଷ ଆମେରିକା ସେନା ଆକ୍ରମଣରେ ଅଧିକ କ୍ଷତି ହୋଇଥିଲା।