ନୂଆଦିଲ୍ଲୀ: ଫିଫାର ବାର୍ଷିକ କଂଗ୍ରେସରେ ଯୋଗଦେବେ ନାହିଁ ଇରାନ ଫୁଟବଲ ଟିମ୍। ଟରଣ୍ଟୋ ଏୟାରପୋର୍ଟରେ ଇମିଗ୍ରେସନ ଅଧିକାରୀଙ୍କ ଦ୍ୱାରା ଅପମାନିତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଇରାନୀ ଫୁଟବଲ୍ ଫେଡେରେସନ। ଭାନକୁଭରରେ ଏହି ବୈଠକ ହେବାର ଥିଲା। ଇରାନର ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କର୍ପସର ଜଣେ ପୂର୍ବତନ ସଦସ୍ୟଙ୍କ ସମେତ ପ୍ରତିନିଧି ଦଳ ଯୋଗ ଦେବାରଥିଲା। ତେବେ ଭାନକୁଭର ଯାତ୍ରା କରିବା ପରିବର୍ତ୍ତେ ବିମାନବନ୍ଦରରୁ ଘରକୁ ଫେରି ଆସିଥିଲେ ପ୍ରତିନିଧି ଦଳ।

ଇରାନର ସରକାରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି- ପ୍ରବାସନ ଅଧିକାରୀଙ୍କ ଦ୍ୱାରା "ଅଗ୍ରହଣୀୟ ଆଚରଣ" ବୋଲି କହି ପ୍ରତିନିଧି ଦଳ ଫେରିଯାଇଛି। ଇରାନୀ ଫୁଟବଲ୍ ଫେଡେରେସନର ସଭାପତି ମେହଦି ତାଜ୍, ମହାସଚିବ ହେଦାୟତ ମୋମ୍ବେନି ଏବଂ ତାଙ୍କ ଡେପୁଟି ହାମେଦ ମୋମେନି ବୈଠକରେ ଯୋଗଦେବା ପାଇଁ କାନାଡାରେ ଥିଲେ କିନ୍ତୁ ପରେ ସେମାନେ ଘରକୁ ଫେରି ଆସିଥିଲେ।

"ଫେଡେରେସନର ସଭାପତି ମେହଦି ତାଜ୍, ସେକ୍ରେଟାରୀ ଜେନେରାଲ ହେଦାୟତ ମୋମ୍ବେନି ଏବଂ ଡେପୁଟି ସେକ୍ରେଟାରୀ ଜେନେରାଲ ହାମେଦ ମୋମେନି ଫିଫା କଂଗ୍ରେସରେ ଯୋଗଦେବା ପାଇଁ ସରକାରୀ ଭିସା ସହିତ ଟରଣ୍ଟୋ ଯାତ୍ରା କରିଥିଲେ। ବିମାନବନ୍ଦରରେ ଇମିଗ୍ରେସନ ଅଧିକାରୀଙ୍କ ଅଗ୍ରହଣୀୟ ଆଚରଣ ଏବଂ ଇରାନୀ ଦେଶର ସଶସ୍ତ୍ର ବାହିନୀର ସବୁଠାରୁ ସମ୍ମାନଜନକ ଅଙ୍ଗ ମଧ୍ୟରୁ ଗୋଟିଏ ପ୍ରତି ଅପମାନ ଯୋଗୁଁ ତୁର୍କୀ ଫେରି ଆସିଥିଲେ।

କାନାଡା ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ IRGC ସହ ଜଡିତ ସଦସ୍ୟ, ଯାହାକୁ କାନାଡା ଏକ ଆତଙ୍କବାଦୀ ସଂଗଠନ ବୋଲି ବିବେଚନା କରେ, ସେମାନଙ୍କୁ ଦେଶରେ ସ୍ୱାଗତ କରାଯିବ ନାହିଁ। ଗୋପନୀୟତା ଆଇନ ଯୋଗୁଁ ଆମେ ବ୍ୟକ୍ତିଗତ ମାମଲା ଉପରେ ମତାମତ ଦେଇପାରିବୁ ନାହିଁ, କିନ୍ତୁ ସରକାର ସ୍ପଷ୍ଟ ଏବଂ ସ୍ଥିର। IRGC ଅଧିକାରୀମାନେ କାନାଡାରେ ଗ୍ରହଣୀୟ ନୁହଁନ୍ତି ଏବଂ ଆମ ଦେଶରେ ସେମାନଙ୍କର କୌଣସି ସ୍ଥାନ ନାହିଁ।

ଆମେ କାନାଡିଆନଙ୍କ ସୁରକ୍ଷାକୁ ସୁରକ୍ଷା ଦେବା ଏବଂ ଆମର ପ୍ରବାସ ବ୍ୟବସ୍ଥାର ଅଖଣ୍ଡତାକୁ ବଜାୟ ରଖିବା ସହିତ IRGCକୁ ଦାୟୀ କରିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ଏବଂ ଏହା ଜାରି ରଖିବୁ" ସରକାର କହିଛନ୍ତି। କାନାଡା ସରକାର ତାଜଙ୍କୁ ଏକ FIFA ଇଭେଣ୍ଟ ପାଇଁ କାନାଡାରେ ପ୍ରବେଶ କରିବା ପାଇଁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରିଥିଲେ।  IRGC ସହିତ ତାଙ୍କର ସମ୍ପୃକ୍ତି ଯୋଗୁଁ ଅଗ୍ରାହ୍ୟ ହୋଇଥାନ୍ତେ। କାରଣ କାନାଡା ଜୁନ୍ ୨୦୨୪ରେ ଆନୁଷ୍ଠାନିକ ଭାବରେ ଏକ ଆତଙ୍କବାଦୀ ସଂଗଠନ ଭାବରେ ସ୍ୱୀକୃତି ଦେଇଥିଲା

ତସନିମ୍ ନ୍ୟୁଜ୍ ଏଜେନ୍ସିମଧ୍ୟ ରିପୋର୍ଟ କରିଛି ଯେ ଫିଫା ଏହି ଘଟଣା ପାଇଁ ଇରାନୀ ପ୍ରତିନିଧିମଣ୍ଡଳୀ ନିକଟରେ ଦୁଃଖ ପ୍ରକାଶ କରିଛି। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ସଭାପତି ଜିଆନି ଇନଫାଣ୍ଟିନୋ ସଂଗଠନର ମୁଖ୍ୟାଳୟରେ ଇରାନୀ ଅଧିକାରୀଙ୍କ ସହିତ ଏକ ବୈଠକ ଆୟୋଜନ କରିବେ।