କ୍ରେମଲିନ: ପଶ୍ଚିମ ଏସିୟାରେ ଜାରି ଉତ୍ତେଜନା ମଧ୍ୟରେ ଏକ ନୂଆ କୂଟନୈତିକ ଚାଲ ସାମ୍ନାକୁ ଆସିଛି। ଏଥିରେ ଶାନ୍ତି ସ୍ଥାପନା ନିମନ୍ତେ ଋଷିଆ ମଧ୍ୟସ୍ଥ ଭୂମିକା ନିର୍ବାହ କରିବାକୁ ପ୍ରସ୍ତାବ ଦେଇଛି। ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିୟନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ଏହି ଆଳାପରେ ପୁଟିନ ମଧ୍ୟସ୍ଥତା କରିବାକୁ ନିଜର ଇଛା ପ୍ରକାଶ କରିଛନ୍ତି। ମିଳୁଥିବା ସୂଚନା ଅନୁସାରେ କ୍ରେମଲିନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ପୁଟିନ ପଶ୍ଚିମ ଏସିୟାରେ ଜାରି ଯୁଦ୍ଧର ରାଜନୈତିକ ଓ କୂଟନୈତିକ ସମାଧାନ ଖୋଜିବାକୁ ଗୁରୁତ୍ୱ ଦେଉଛନ୍ତି।

ପୁଟିନ କହିଛନ୍ତି ଯେ ଏ ଦିଗରେ ଯଥାସମ୍ଭବ ସହଯୋଗ କରିବାକୁ ଓ ସ୍ଥାୟୀ ଶାନ୍ତି ସ୍ଥାପନା କରିବା ପ୍ରୟାସରେ ମଧ୍ୟସ୍ଥ ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ। ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରସ୍ତାବ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ଓ ଇରାନ ମଧ୍ୟରେ ଅନୁଷ୍ଠିତ ସିଧା ଆଲୋଚନା ବିନା କୌଣସି ପରିଣାମରେ ସମାପ୍ତ ହୋଇଛି। ଦୁଇ ଦେଶଙ୍କ ଆଲୋଚନାରୁ ଯୁଦ୍ଧବିରାମକୁ ସ୍ଥାୟୀ ରୂପ ଦିଆଯାଇ ପାରିବ ବୋଲି ଆଶା କରାଯାଉଥିଲା। ତେବେ ମତପାର୍ଥକ୍ୟ ଦୂର ହୋଇ ନ ପାରିବାରୁ ସ୍ଥିତି ପୁଣି ଅନିଶ୍ଚିତ ହୋଇଯାଇଛି।

ଆମେରିକା ପକ୍ଷରୁ କୁହାଯାଇଛି ଯେ କଥାବାର୍ତ୍ତା ଏଥି ପାଇଁ ସଫଳ ହେଲାନି କାରଣ ଇରାନ ପରମାଣୁ କାର୍ଯ୍ୟକ୍ରମକୁ ନେଇ ନିଜ ସ୍ଥିତିରେ ପରିବର୍ତ୍ତନ କଲାନି। ଏହାର ବିପରୀତ ଇରାନ ଆଲୋଚନା ବିଗାଡିବା ପାଇଁ ଆମେରିକାକୁ ଦାୟି କରୁଛି। ତେବେ ଇରାନ କାହିଁକି ଆମେରିକାକୁ ଦାୟି କରୁଛି ତାହା ବିସ୍ତୃତ ଭାବେ ସୂଚିତ କରି ନାହିଁ। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଋଷିଆ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛି। ୨୦୨୫ରେ ଯେତେବେଳେ କ୍ଷେତ୍ରରେ ସଂଘର୍ଷ ଉଗ୍ରରୂପ ଧାରଣ କରିଥିଲା ସେତେବେଳେ ପୁଟିନ କହିଥିଲେ ଯେ ଇରାନର ପରମାଣୁ ପ୍ରସଙ୍ଗ ଯୁଦ୍ଧ ବଦଳେ ଆଲୋଚନା ମାଧ୍ୟମରେ ହେବା ଦରକାର।

ତେବେ ଏ ସବୁ ମଧ୍ୟରେ ଏ କଥାକୁ ମଧ୍ୟ ଧ୍ୟାନ ଦେବାକୁ ହେବ ଯେ ଋଷିଆ ନିଜେ ଦୀର୍ଘ ବର୍ଷରୁ ୟୁକ୍ରେନ ସହ ଯୁଦ୍ଧରେ ଲାଗି ରହିଛି । ସେଠାରେ ମଧ୍ୟ ଶାନ୍ତି ପ୍ରକ୍ରିୟାରେ ସେପରି କୌଣସି ଉଲ୍ଲେଖନୀୟ ପ୍ରଗତି ହୋଇ ପାରୁ ନାହିଁ। ଏହା ସତ୍ତ୍ୱେ ମଧ୍ୟସ୍ଥ ହେବା ପାଇଁ ଋଷିଆର ଇଛା ବୈଶ୍ୱିକ କୂଟନୀତିରେ ତାର ସକ୍ରିୟ ଭୂମିକାକୁ ଦର୍ଶାଉଛି। ବିଶେଷଜ୍ଞଙ୍କ ଅନୁସାରେ ଯଦି ଇରାନ ପ୍ରସଙ୍ଗରେ ପୁଟିନଙ୍କ ମଧ୍ୟସ୍ଥତା ସ୍ୱୀକାର କରାଯାଏ ତେବେ କ୍ଷେତ୍ରରେ ଉତ୍ତେଜନା ହ୍ରାସ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ହୋଇ ପାରେ। ତେବେ ଏଥି ପାଇଁ ସବୁ ପକ୍ଷଙ୍କ ସହମତି ଜରୁରି।