ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ କେଉଁଠି କେଉଁଠି ବିସ୍ଫୋରକ ଖଞ୍ଜାଯାଇଛି, ତାର ଏକ ମ୍ୟାପ୍ ଜାରି କରିଛି ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) । ହର୍ମୁଜ୍ ପ୍ରଣାଳୀର ପାଣି ତଳେ ମାଇନ୍ ବିଛାଇଛି ଇରାନ୍ । ଏହି ମାନଚିତ୍ର ସାମ୍ନାକୁ ଆସିବା ପରେ, ଏହି ଜଳପଥ ଦେଇ ଯାତାୟତ କରୁଥିବା ଜାହାଜ କମ୍ପାନୀଗୁଡ଼ିକ ଛାନିଆ ହୋଇଯାଇଛନ୍ତି । ଆମେରିକା ଏବଂ ଇରାନ୍ ମଧ୍ୟ ଦୁଇ ସପ୍ତାହର ଯୁଦ୍ଧବିରତି ମଧ୍ୟରେ ଇରାନ୍ ଏହି ମ୍ୟାପ୍ ଜାରି କରିଛି ।

ଇରାନ କରିଥିବା ଏହି ଦାବିରେ ସତ୍ୟତା କେତେ, ତାହା ଜଣାନାହିଁ । ହୁଏତ ଇରାନ୍ ନିଜର ଶକ୍ତି ପ୍ରଦର୍ଶନ ଲାଗି ଏଭଳି ମ୍ୟାପ ଜାରି କରିଥାଇପାରେ । ତେବେ ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ହୋଇଥିଲେ ହେଁ, ଏହା ଫଳପ୍ରଦ ହେଉଥିବା ଭଳି ମନେ ହେଉ ନାହିଁ ।

ତେହେରାନ ଦାବି କରିଛି ଯେ, ହର୍ମୁଜ ପ୍ରଣାଳୀରେ ଗତି କରୁଥିବା ଜାହାଜଗୁଡ଼ିକର ସୁରକ୍ଷାକୁ ଦୃଷ୍ଟିରେ ରଖି ମାନଚିତ୍ରଟି ଜାରି କରାଯାଇଛି । ଏହି ପ୍ରଣାଳୀ ଦେଇ ବିଶ୍ୱର ପ୍ରାୟ ୨୦% ତେଲ ପରିବହନ ହୋଇଥାଏ । ବୁଧବାର ଡୋନାଲ୍ଡ ଟ୍ରମ୍ପ ଏହି ପ୍ରଣାଳୀକୁ ଖୋଲାଯାଇଛି ବୋଲି ଘୋଷଣା କରିଥିଲେ । କିନ୍ତୁ ମାତ୍ର ଦୁଇଟି ଟ୍ୟାଙ୍କର ହର୍ମୁଜ ଦେଇ ଯିବା ପରେ ଏହାକୁ ପୁଣି ବନ୍ଦ କରିଦିଆଯାଇଛି।

ଲେବାନନ ବିରୁଦ୍ଧରେ ଇସ୍ରାଏଲର ଏକ ବଡ଼ ଆକ୍ରମଣ ପରେ ଇରାନ ପୁଣି ଥରେ ଏହି ଜଳମାର୍ଗକୁ ବନ୍ଦ କରିଦେଇଛି । ଇସ୍ରାଏଲର ଆକ୍ରମଣରେ ଲେବାନନରେ ପ୍ରାୟ ୧୮୦ ଜଣଙ୍କ ମୃତ୍ୟୁ ହୋଇଛି । ଇରାନ୍ ଅନୁସାରେ, ଏହି ଆକ୍ରମଣ ଯୁଦ୍ଧବିରତିର ଉଲ୍ଲଂଘନ ।

ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ କହିଛନ୍ତି ଯେ, ଇସ୍ରାଏଲ ଏବଂ ଆମେରିକା ଅସ୍ଥାୟୀ ଯୁଦ୍ଧବିରାମର ଅନେକ ସର୍ତ୍ତ ଉଲ୍ଲଂଘନ କରିଛନ୍ତି। ସେ ଲେବାନନରେ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିଛନ୍ତି । ଅନ୍ୟପଟେ ଗୁରୁବାର ସକାଳେ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି । ସେ ଟ୍ରୁଥ ସୋସିଆଲ ଲେଖିଛନ୍ତି, ଆକ୍ରମଣ ପୁଣି ଆରମ୍ଭ ହୋଇଛି। ପୂର୍ବାପେକ୍ଷା ଆହୁରି ଭୟଙ୍କର ହେବ, ଏଭଳି ଆକ୍ରମଣ ଆଗରୁ କେହି କେବେ ଦେଖିନଥିବେ ।

ହର୍ମୁଜ ଜଳମାର୍ଗ ଖୋଲା କରିବାକୁ ଦାବି ଦୋହରାଇଛନ୍ତି ଟ୍ରମ୍ପ । ସେପଟେ ଇରାନ୍ ହର୍ମୁଜ୍ ଦେଇ ତେଲ ପରିବହନ କରୁଥିବା ତୈଳ ଟାଙ୍କର ଉପରେ ୧ ମିଲିୟନ ଡଲାର ଶୁଳ୍କ ଲାଗୁ କରିବାକୁ ଯୋଜନା କରୁଛି । ଇରାନ ନୌସେନାର ଜଣେ ଅଧିକାରୀ ସରକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କେବଳ ଦୁଇଟି ଜାହାଜ ଯୁଦ୍ଧବିରତିର ଫାଇଦା ନେଇଛନ୍ତି । ଇସ୍ରାଏଲ ଯୁଦ୍ଧବିରତିର ଉଲ୍ଲଂଘନ କରିବା ପୂର୍ବରୁ କେବଳ ଦୁଇଟି ଜାହାଜ ହର୍ମୁଜ ପ୍ରଣାଳୀ ଦେଇ ଯାଇଛନ୍ତି ।