ନୂଆଦିଲ୍ଲୀ: ଯୁଦ୍ଧ ବନ୍ଦ କରିବାକୁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଆସିଛି । ଏପରିକି ଇସ୍ଲାମାବାଦରେ ଶାନ୍ତି ଆଲୋଚନା ହେଉ ବୋଲି ଚାହୁଁଥିଲା ପାକିସ୍ତାନ । କିନ୍ତୁ ଆମେରିକୀୟ ଗଣମାଧ୍ୟମ ରିପୋର୍ଟ କରିଥିଲା ଯେ, ପାକିସ୍ତାନ ପ୍ରସ୍ତାବରେ ଇରାନ ରାଜି ନାହିଁ । ଇସ୍ଲାମାବାଦରେ ବୈଠକ କରିବାକୁ ଇରାନ୍ର ଶୀର୍ଷ ନେତୃତ୍ବ ମନା କରିଦେଇଛନ୍ତି । କିନ୍ତୁ ଆଜି (ଶନିବାର) ଇରାନ୍ର ବୈଦେଶିକ ମନ୍ତ୍ରୀ ଓ୍ବାଲଷ୍ଟ୍ରିଟ୍ ଜର୍ଣ୍ଣାଲର ଏଭଳି ଦାବିକୁ ଖଣ୍ଡନ କରିଛନ୍ତି ।

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସ୍ପଷ୍ଟ ଭାବରେ କହିଛନ୍ତି ଯେ, ତାଙ୍କ ଦେଶ ପାକିସ୍ତାନରେ ଆଲୋଚନା କରିବାକୁ କେବେ ପଛଘୁଞ୍ଚା ଦେଇନାହିଁ। ସେ ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି। ଆରାଘଚି କହିଛନ୍ତି ଯେ, ଆମେରିକୀୟ ଗଣମାଧ୍ୟମ ଇରାନର ସ୍ଥିତିକୁ ଭୁଲ ଭାବରେ ଉପସ୍ଥାପନ କରୁଛି।

ଆରାଘଚି ପାକିସ୍ତାନର ପ୍ରୟାସକୁ ପ୍ରଶଂସା କରି କହିଛନ୍ତି, ‘ଆମେ କେବେ ବି ଇସ୍ଲାମାବାଦ ଯିବାକୁ ମନା କରିନାହୁଁ। ଏହି ଯୁଦ୍ଧକୁ ସମ୍ପୂର୍ଣ୍ଣ ଏବଂ ସ୍ଥାୟୀ ଭାବରେ ସମାପ୍ତ କରିବା ହିଁ ଇରାନର ସବୁଠାରୁ ବଡ଼ ଲକ୍ଷ୍ୟ । ଏହି ଯୁଦ୍ଧ ଇରାନ ଉପରେ ଲଦି ଦିଆଯାଇଛି ।’ ପୂର୍ବରୁ, ଆମେରିକୀୟ ଗଣମାଧ୍ୟମ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ଏବଂ ପାକିସ୍ତାନୀ ଖବରକାଗଜ ଡନରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଇରାନରୁ କୌଣସି ପ୍ରତିକ୍ରିୟା ନମିଳିବା ଯୋଗୁଁ ଆଲୋଚନାର ଗତି ମନ୍ଥର ହୋଇଯାଇଛି।

Also Read: Iran US Ceasefire: ଫେଲ୍ ମାରିଲା ପାକିସ୍ତାନ, ଆମେରିକା-ଇରାନ ଯୁଦ୍ଧ ବନ୍ଦ କରାଇବ ରୁଷ୍ 

ଆସିଥିଲା ଏଭଳି ଖବର

ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ଶୁକ୍ରବାର ଦିନ ରିପୋର୍ଟ କରିଥିଲା ଯେ, ପାକିସ୍ତାନ ନେତୃତ୍ବରେ ହେଉଥିବା ଆଲୋଚନାରୁ କୌଣସି ଫଳାଫଳ ମିଳିପାରି ନାହିଁ। ଇରାନ ଇସଲାମାବାଦରେ ସାକ୍ଷାତ କରିବାକୁ ମନା କରିଦେଇଛି । ଇରାନ, ଆମେରିକାର ସର୍ତ୍ତଗୁଡ଼ିକୁ ଗ୍ରହଣ କରେ ନାହିଁ ବୋଲି କହିଛି । ଇରାନ ମନା କରିବା ପରେ କତାର ଏବଂ ତୁର୍କୀ, ଦୋହା କିମ୍ବା ଇସ୍ତାନବୁଲରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି।

Also Read: ଇରାନକୁ ଶକ୍ତ ଝଟକା, ଧୋକା ଦେଲା ବନ୍ଧୁ ପାକିସ୍ତାନ; ଇସଲାମାବାଦର ଡବଲ୍ ଗେମକୁ ନେଇ ନିଆଁବାଣ ତେହେରାନ

ଭୁଲ ବୁଝାମଣା ହୋଇଥିଲା: ପାକିସ୍ତାନ

ପାକିସ୍ତାନ ଏହି ଦାବିଗୁଡ଼ିକୁ ଖଣ୍ଡନ କରିଥିଲା । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତାହିର ଆନ୍ଦ୍ରାବି କହିଛନ୍ତି ଯେ, ବୈଦେଶିକ ମନ୍ତ୍ରଣାଳୟରେ ଅନୁଷ୍ଠିତ ଏକ ବ୍ରିଫିଂର ଭୁଲ ବୁଝାମଣାରୁ ଏହି ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ ଲଗାତାର ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା କରାଇବାକୁ ପଥ ସୁଗମ କରୁଛି । କିନ୍ତୁ ଏପର୍ଯ୍ୟନ୍ତ ସଫଳତା ମିଳିନାହିଁ।