ତେହେରାନ, ୨୨ /୦୩:ଆମେରିକାକୁ ଇରାନର ନାଲିଆଖି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ କାଉଣ୍ଟର ଧମକ ଦେଇଛିଇରାନ । ଯଦି ଆମେରିକା ଇରାନର ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ୍ କରେ ତାହାଲେ ତେହେରାନ ଚୁପ୍ ବସିବନି । ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ଅନେକ ପ୍ରକଳ୍ପ ଏବଂ ଭିତ୍ତିଭୂମି ଉପରେ ଆକ୍ରମଣ ହେବ ବୋଲି ଇରାନ ପକ୍ଷରୁ କୁହାଯାଇଛି ।

Also Read :- ଇରାନକୁ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ, କହିଲେ-୪୮ ଘଣ୍ଟା ଭିତରେ ହର୍ମୁଜ ପ୍ରଣାଳୀ ସ୍ବାଭାବିକ କର ନଚେତ୍‌...

ଟ୍ରମ୍ପଙ୍କ ଅଲ୍ଟିମେଟମ୍

ରବିବାର ଇରାନକୁ ଡୋନାଲ୍ଡ ଟ୍ରମ୍ପ୍ ୪୮ ଘଣ୍ଟାର ଡେଡଲାଇନ୍ ଦେଇଛନ୍ତି। ସେ କହିଛନ୍ତି ଯେ, ହର୍ମୋଜ ପ୍ରଣାଳୀକୁ ସ୍ବାଭାବିକ ନକଲେ ପାୱାର ପ୍ଲାଣ୍ଟ ଗୁଡ଼ିକ ଉପରେ ଜୋରଦାର ଆକ୍ରମଣ ହେବ । ଏନେଇ ନିଜର ଟ୍ରୁଥ୍ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ସେ ଆହୁରି ଧମକ ଦେଇଛନ୍ତି ଯେ ଯଦି ଇରାନ ୪୮ ଘଣ୍ଟା ମଧ୍ୟରେ ହର୍ମୋଜ୍ ପ୍ରଣାଳୀନଖୋଲେ, ତେବେ ଏହାର ଆଣବିକା ଏବଂ ଅନ୍ୟ ପାଓ୍ୱାର ପ୍ଲାଣ୍ଟକୁ ଧ୍ୱଂସ କରିଦିଆଯିବ।

ସାମୟିକ ସମୟ ପାଇଁ ଆମେରିକା ଚୁପ୍

ବିଶ୍ୱ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ଆଶଙ୍କାରେ ଆମେରିକା କିଛି ସମୟ ପାଇଁ ଇରାନ ଶକ୍ତି କେନ୍ଦ୍ର ଗୁଡ଼ିକୁ ଟାର୍ଗେଟ କରିବାରୁ ନିବୃତ୍ତ ରହିଛି। ହର୍ମୋଜ୍ ପ୍ରଣାଳୀ ବିଶ୍ୱର ତୈଳ ଯୋଗାଣ ପାଇଁ ଏକ ପ୍ରମୁଖ ସମୁଦ୍ର ପଥ । ଏହି ସାମୁଦ୍ରିକ ପଥ ଦେଇ ବିଶ୍ବର ୨୦ ପ୍ରତିଶତ ତୈଳ ପରିବହନ ହୋଇଥାଏ। ଯୁଦ୍ଧ ପରଠାରୁ ଏହି ରାସ୍ତାଦେଇ ତୈଳ ପରିବହନ ବାଧାପ୍ରାପ୍ତ ହୋଇଥିବା ବେଳେ ବିଶ୍ୱ ବଜାରରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ହୁ ହୁ ହୋଇ ବଢ଼ିଚାଲିଛି । ଆମେରିକା ଏହାକୁ ଖୋଲିବାକୁ ବାରମ୍ବାର ଇରାନ ଉପରେ ଚାପ ପକାଉଥିଲେ ମଧ୍ୟ ଯୁଦ୍ଧ ଉପରେ ନିୟନ୍ତ୍ରଣ ଆଣିବାକୁ ଇରାନ ଏହାକୁ ଅସ୍ତ୍ର କରିଛି ।

ଇରାନର କାଉଣ୍ଟର ଜବାବ୍

ଟ୍ରମ୍ପଙ୍କ ଧମକକୁ ଖାତିର କରିନି ତେହେରାନ । ଏହାସହ ପାଲଟା ଜବାବ ଦେଇ କହିଛି ଯେ, ଯଦି ଦେଶର ଆଣବିକ ଭିତ୍ତିଭୂମିକୁ ଆମେରିକା ଟାର୍ଗେଟ୍ କରେ ତାହାଲେ ସେମାନେ ମଧ୍ୟ ଛାଡିବେନି । ମଧ୍ୟ ପ୍ରାଚ୍ୟରେ ଥିବା ଆମେରିକାର ସମସ୍ତ ଶକ୍ତି, ଆଇଟି ଏବଂ ଅନ୍ୟ ପ୍ରତିଷ୍ଠାନକୁ ମିସାଇଲ ମାଡ କରି ଉଡାଇ ଦିଆଯିବ ବୋଲି ଇରାନ କହିଛି ।