IPL 2026 LSG vs PBKS: ନିଜ ପାଇଁ ‘କର ବା ମର’ ମୁକାବିଲାକୁ ଜିତି ନେଇଛି ପଞ୍ଜାବ କିଙ୍ଗ୍ସ। ଅଧିନାୟକ ଶ୍ରେୟସ ଆୟରଙ୍କ ଅଧିନାୟକତ୍ଵ ଶତକୀୟ ଇନିଂସ ଓ ପ୍ରଭସିମରନ ସିଂଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୭ ଓ୍ଵିକେଟରେ ହରାଇଛି। ବିଜୟ ସହ ମୋଟ୍ ୧୫ ପଏଣ୍ଟ ପାଇ ପଞ୍ଜାବର ପ୍ଲେ ଅଫ ଆଶା ଉଜ୍ଜିବୀତ ରହିଛି। ପରାଜୟ ସହ ଲକ୍ଷ୍ନୌର ଅଭିଯାନ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଜୋଶ ଇଲିଂଶଙ୍କ ୭୨ ରନ, ଆୟୁଷ ବାଦୋନିଙ୍କ ଦ୍ରୁତ ୪୩ ବଳରେ ୬ ଓ୍ଵିକେଟ୍ ହରାଇ ୧୯୬ ରନ କରିଥିଲା। ଜବାବରେ ଶ୍ରେୟସଙ୍କ ଅପରାଜିତ ୧୦୧ ରନ ଓ ପ୍ରଭସିରମଙ୍କ ୬୯ ରନ ବଳରେ ୧୨ ବଲ ପୂର୍ବରୁ ମ୍ୟାଚ୍ ଜିତି ନେଇଛି ପଞ୍ଜାବ। ଏବେ ପଞ୍ଜାବ ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସଠୁ ପରାଜିତ ହେଉ ବୋଲି ଚାହିଁବ।

୧୯୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବକୁ ପ୍ରଥମ ବଲରେ ହିଁ ଝଟକା ଲାଗିଥିଲା। ପ୍ରିୟାଂଶ ଆର୍ଯ୍ୟ ଖାତା ଖୋଲି ପାରି ନ ଥିଲେ। ଏହା ପରେ ୨୨ ରନ ସ୍କୋରରେ କୁପର କନୋଲି(୧୮ ରନ) ନିରାଶ କରିଥିଲେ। ୨୨ ରନରେ ୨ ଓ୍ଵିକେଟ୍ ହରାଇ ମୁସ୍କିଲରେ ପଡ଼ିଥିଲା ପଞ୍ଜାବ। ଏହା ପରେ ଅଧିନାୟକ ଶ୍ରେୟସ ଆୟର ଓ ପ୍ରଭସିମରନ ସିଂ ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ଲକ୍ଷ୍ନୌ ବୋଲରଙ୍କୁ ସୁଯୋଗ ଦେଇ ନ ଥିଲେ। ଉଭୟ ୭୬ ବଲରେ ୧୪୦ ରନର ଭାଗିଦାରୀ କରି ମ୍ୟାଚକୁ ଏକପାଖିଆ କରିଥିଲେ।

Also Read: FIFA WORLD CUP 2026: ଭାରତରେ ପ୍ରସାରଣ ଅଧିକାର ପାଇଁ Jio ଏବଂ ZEE ମଧ୍ୟରେ ମୁକାବିଲା, ଶୀଘ୍ର ହୋଇପାରେ ଚୁକ୍ତି

ପ୍ରଭସିମରନ ସିଂ ୩୯ ବଲରୁ ୭ ଚୌକା ଓ ୨ ଛକା ସହ ୬୯ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଅନ୍ୟପଟେ ଶ୍ରେୟସ ଆୟର ଅଧିନାୟକତ୍ଵ ଇନିଂସ ଖେଳି ଶତକ ହାସଲ କରିଥିଲେ। ଆଇପିଏଲ୍ ଇତିହାସରେ ଶ୍ରେୟସଙ୍କ ଏହା ପ୍ରଥମ ଶତକ। ଏହା ପୂର୍ବରୁ ସେ ୩୨ ଅର୍ଦ୍ଧଶତକ ହାସଲ କରିଛନ୍ତି।ସେ ୫୧ ବଲରୁ ୧୧ ଚୌକା ଓ ୫ ଛକା ସହ ୧୦୧ ରନ କରି ଦଳକୁ ୭ ଓ୍ଵିକେଟରେ ଜିତାଇଛନ୍ତି। ବିଜୟ ସହ ପଞ୍ଜାବ କିଙ୍ଗ୍ସର ପ୍ଲେ ଅଫ ଆଶା ଉଜ୍ଜିବୀତ ରହିଛି। ଦଳର ପ୍ଲେ ଅଫ ସମୀକରଣ ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚର ପରିଣାମ ଉପରେ ନିର୍ଭର କରେ। ଯଦି ରାଜସ୍ଥାନ ମ୍ୟାଚ୍ ହାରେ ତେବେ ପଞ୍ଜାବର ପ୍ଲେ ଅଫରେ ଯିବାର ସମ୍ଭାବନା ରହିବ। ଅନ୍ୟପଟେ ରାଜସ୍ଥାନ ଜିତିଲେ ପଞ୍ଜାବ ବାଦ୍ ପଡ଼ିବ ଏବଂ ରାଜସ୍ଥାନ ପ୍ଲେ ଅଫରେ ପ୍ରବେଶ କରିବ।