ନୂଆଦିଲ୍ଲୀ: ଜୁନ ମାସରୁ ଫିଫା ବିଶ୍ୱକପ୍ ୨୦୨୬ (FIFA World Cup 2026) ଆରମ୍ଭ ହେବ । ଆମେରିକା, କାନାଡା ଏବଂ ମେକ୍ସିକୋରେ ଆରମ୍ଭ ହେବାକୁ ଥିବା ଫିଫା ବିଶ୍ୱକପର ଭାରତୀୟ ପ୍ରସାରଣ ଅଧିକାରକୁ ନେଇ ଚାଲିଥିବା ଅନିଶ୍ଚିତତା ଶେଷ ହେବାକୁ ଯାଉଛି । ବିଶ୍ୱ ଫୁଟବଲର ସର୍ବୋଚ୍ଚ ସଂସ୍ଥା 'ଫିଫା' ଭାରତରେ ଏହାର ପ୍ରସାରଣ ପାର୍ଟନର ଚୂଡ଼ାନ୍ତ କରିବା ପ୍ରକ୍ରିୟାର ନିକଟତର ହୋଇଛି ।

ସୂତ୍ର ଅନୁସାରେ, ଏହି ଦୌଡ଼ରେ ଭାରତର ଦୁଇଟି ପ୍ରମୁଖ ପ୍ରସାରଣକାରୀ ସଂସ୍ଥା ରହିଛନ୍ତି । ଫିଫାର ବରିଷ୍ଠ ପ୍ରତିନିଧିମାନେ ଦୁଇ ବ୍ରଡ୍‌କାଷ୍ଟର ଜିଓ ହଟ୍‌ଷ୍ଟାର ଏବଂ ଜୀ ନେଟୱର୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ସପ୍ତାହ ସୁଦ୍ଧା ଏହାର ଆନୁଷ୍ଠାନିକ ଘୋଷଣା କରାଯାଇପାରେ ।

ବଜାର ସ୍ଥିତି ଓ ଫିଫାର ଆଭିମୁଖ୍ୟ

ଭାରତ ହେଉଛି ବିଶ୍ୱର ଶେଷ ପ୍ରମୁଖ ବଜାର, ଯେଉଁଠି ଫିଫା ଏପର୍ଯ୍ୟନ୍ତ ନିଜର ପ୍ରସାରଣ ଚୁକ୍ତି ଚୂଡ଼ାନ୍ତ କରିପାରି ନାହିଁ । ଗତ ସପ୍ତାହରେ ହିଁ ଫିଫା ଚୀନ ସହିତ ନିଜର ଚୁକ୍ତି ସମ୍ପନ୍ନ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଫିଫା ଭାରତୀୟ ବଜାରରୁ ୨୦୨୬ ଏବଂ ୨୦୩୦ ବିଶ୍ୱକପର ମିଳିତ ପ୍ରସାରଣ ଅଧିକାର ପାଇଁ ପ୍ରାୟ ୧୦୦ ମିଲିୟନ୍ ଡଲାର (ପ୍ରାୟ ୮୩୦ କୋଟି) ଦାବି କରୁଥିଲା । ମାତ୍ର ଭାରତୀୟ ବ୍ରଡକାଷ୍ଟରମାନଙ୍କ ମଧ୍ୟରେ କମ ଆଗ୍ରହ ଦେଖି ଫିଫାକୁ ନିଜର ଆଶାକୁ ମାରିଛି ।

ଏବେ ପୂରା ଚୁକ୍ତି ପ୍ରାୟ ୩୫ ମିଲିୟନ୍ ଡଲାର (ପ୍ରାୟ ୨୯୦ କୋଟି) ମଧ୍ୟରେ ସୀମିତ ରହିବା ନେଇ ଆକଳନ କରାଯାଉଛି । ଏହି ଚୁକ୍ତିରେ ଆଗାମୀ ଦୁଇଟି ପୁରୁଷ ବିଶ୍ୱକପ୍ ସାମିଲ ରହିବ । ୨୦୨୨ କତାର ବିଶ୍ୱକପ ପାଇଁ ପ୍ରସାରଣ ଅଧିକାର ପ୍ରାୟ ୬୦ ମିଲିୟନ୍ ଡଲାର (ପ୍ରାୟ ୪୮୦ କୋଟି)ରେ ବିକ୍ରି ହୋଇଥିଲା, ଯାହା ତୁଳନାରେ ଏଥର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି ।

୨୦୨୨ ବିଶ୍ୱକପ୍ର ସଫଳ ପ୍ରସାରଣ କରିଥିବା ଜିଓ ଏଥର ମଧ୍ୟ ପ୍ରମୁଖ ଦାବିଦାର ଅଛି । ମାତ୍ର ଜିଓ ନିଜର ବିଡ୍ ପ୍ରାଇସକୁ ୨୦ ମିଲିୟନ୍ ଡଲାର (ପ୍ରାୟ ୧୬୫ କୋଟି)ରେ ସୀମିତ ରଖିଛି । ଏହାଠାରୁ ଅଧିକ ଟଙ୍କା ଦେବାକୁ ପ୍ରସ୍ତୁତ ନାହିଁ । ଅନ୍ୟପଟେ, ଲାଇଭ୍ ସ୍ପୋର୍ଟ୍ସ ଦୁନିଆକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା 'ଜୀ ନେଟୱର୍କ' ଏହି ରେସରେ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛି । ସୋନୀ ଏବଂ ଫ୍ୟାନକୋଡ୍ ଭଳି ଅନ୍ୟ ପ୍ରମୁଖ ସଂସ୍ଥାଗୁଡ଼ିକ ଏହି ପ୍ରକ୍ରିୟାରୁ ଦୂରେଇ ଯିବା ପରେ ଏବେ ମୁକାବିଲା କେବଳ ଜିଓ ଏବଂ ଜୀ ମଧ୍ୟରେ ସୀମିତ ରହିଛି ।

ପ୍ରସାରଣ ସମୟ ଏବଂ ବିଜ୍ଞାପନ ରାଜସ୍ୱର ଚ୍ୟାଲେଞ୍ଜ

ଭାରତୀୟ କମ୍ପାନିଗୁଡ଼ିକ ଏହି ଅଧିକାର କିଣିବା ପାଇଁ ମୋଟା ଅଙ୍କର ବିଡ୍ ନ କରିବାର ମୁଖ୍ୟ କାରଣ ହେଉଛି ମ୍ୟାଚ୍ ସମୟ । ଟୁର୍ଣ୍ଣାମେଣ୍ଟର ୧୦୪ଟି ମ୍ୟାଚ୍ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ମଧ୍ୟରାତ୍ରିରୁ ଭୋର ୬ଟା ମଧ୍ୟରେ ଖେଳାଯିବ । ଏଭଳି ଅସମୟରେ ମ୍ୟାଚ୍ ପ୍ରସାରଣ କରି ବିଜ୍ଞାପନଦାତାଙ୍କୁ ଆକର୍ଷିତ କରିବା ଏବଂ ବିଜ୍ଞାପନରୁ ରାଜସ୍ୱ ଆଦାୟ କରିବା ବ୍ରଡକାଷ୍ଟରମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ବିଶେଷ କରି ଭାରତୀୟ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁ ନ ଥିବାରୁ, ବିଳମ୍ବିତ ରାତିର ମ୍ୟାଚ୍ ପାଇଁ ବଡ଼ ବ୍ରାଣ୍ଡଗୁଡ଼ିକ ଟଙ୍କା ବିନିଯୋଗ କରିବାକୁ ପଛଘୁଞ୍ଚା ଦିଅନ୍ତି ।

୨୦୨୨ ବିଶ୍ୱକପର ଅଭିଜ୍ଞତାରୁ ଜଣାପଡ଼ିଛି ଯେ ବ୍ରଡକାଷ୍ଟରମାନେ ବିଜ୍ଞାପନ ମାଧ୍ୟମରେ ସେମାନଙ୍କର ଖର୍ଚ୍ଚର ଅଧା ମୂଲ୍ୟ ମଧ୍ୟ ଉଠାଇପାରି ନ ଥିଲେ । ସେଥିପାଇଁ ଏଥର ଭାରତୀୟ କମ୍ପାନିଗୁଡ଼ିକ ଅତ୍ୟନ୍ତ ସତର୍କତାର ସହ ଆଗକୁ ବଢୁଛନ୍ତି । ତେବେ, ଆସନ୍ତା କିଛି ଦିନ ମଧ୍ୟରେ ଫିଫା ଭାରତୀୟ ପ୍ରସାରଣ ପାର୍ଟନରଙ୍କ ନାମ ଘୋଷଣା କରିପାରେ ।