ଜୟପୁର: ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଆଇପିଏଲର ୩୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଟକ୍କର । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୨୨୮ ରନ କରିଛି । ଆଜିର ଏହି ମ୍ୟାଚରେ ରାଜସ୍ଥାନର ଓପନର ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ଶତକ ହାସଲ କରିଛନ୍ତି । ମାତ୍ର ୩୬ ବଲ୍ରେ ଶତକ ହାସଲ କରି ଦଳକୁ ବଡ଼ ସ୍କୋର ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି ।

ରାଜସ୍ଥାନର ଆରମ୍ଭ ଖରାପ ଥିଲା, କିନ୍ତୁ ପରେ ବୈଭବ ଝଡ଼ ସୃଷ୍ଟି କରିଥିଲେ । ତାଙ୍କୁ ଅନ୍ୟ ପାର୍ଶ୍ୱରୁ ଧ୍ରୁବ ଜୁରେଲ ସମର୍ଥନ କରିଥିଲେ। ଦୁହେଁ ୬୨ ବଲରେ ୧୧୨ ରନର ଭାଗୀଦାରି କରିଥିଲେ। ଜୁରେଲ ୫୧ ରନ କରି ଆଉଟ ହୋଇଥିଲେ। ଆଉଟ ହେବା ପରେ, ବୈଭବ ତାଙ୍କର ଦ୍ୱିତୀୟ IPL ଶତକ ହାସଲ କରିଥିଲେ । କିନ୍ତୁ ସେ ପରବର୍ତ୍ତୀ ବଲରେ ଆଉଟ ହୋଇଥିଲେ। ଏହା ପରେ, ଫେରେରା ଏକ ଚମତ୍କାର କ୍ୟାମିଓ କରିଥିଲେ। ସେ ୧୬ ବଲରେ ୩୩ ରନର ଇନିଂସ ଖେଳିଥିଲେ। ସେପଟେ ଇଶାନ ମାଲିଙ୍ଗା ହାଇଦ୍ରାବାଦ ପାଇଁ ଦୁଇଟି ୱିକେଟ ନେଇଥିଲେ।

ରେକର୍ଡ କଲେ ସୂର୍ଯ୍ୟବଂଶୀ

ବୈଭବ ସୂର୍ଯ୍ୟବଂଶୀ । ଏବେ କେବଳ ଭାରତୀୟ ନୁହେଁ ବରଂ ବିଶ୍ୱ କ୍ରିକେଟର ସୁପର କିଡ୍ ହୋଇସାରିଛନ୍ତି । ସେ କ୍ରିକେଟ ଜଗତରେ ସୁନାମୀ ସୃଷ୍ଟି କରୁଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗରେ, ଶନିବାର, ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ (RR vs SRH) ବିପକ୍ଷରେ ପ୍ରଥମ ଓଭରରେ ଝଡ଼ ସୃଷ୍ଟି କରିଛନ୍ତି ବୈଭବ । ସୂର୍ଯ୍ୟବଂଶୀ କେବଳ ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ସହିତ, ବୈଭବ ସୂର୍ଯ୍ୟବଂଶୀ ଗୋଟିଏ ସିଜନରେ ଏଭଳି କରିବାରେ ପ୍ରଥମ ବ୍ୟାଟର ହୋଇଛନ୍ତି ।

ଆଇପିଏଲରେ ସୂର୍ଯ୍ୟବଂଶୀ ୩ ଥର ୧୫ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଛନ୍ତି । ଚଳିତ ସିଜିନ୍ରେ ଏହା ପୂର୍ବରୁ ଚେନ୍ନାଇ ଏବଂ ବେଙ୍ଗାଲୁରୁ ବିପକ୍ଷରେ ଏହି ରେକର୍ଡ କରିସାରିଛନ୍ତି । ଏହି ତାଲିକାରେ ଅଷ୍ଟ୍ରେଲିଆର ଯୁବ ବ୍ୟାଟର ଜ୍ୟାକ ଫ୍ରେଜର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଜ୍ୟାକ ୨୦୨୪ ମସିହାରେ ହାଇଦ୍ରାବାଦ ଏବଂ ମୁମ୍ବାଇ ବିପକ୍ଷରେ ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଆଇପିଏଲରେ ଦୁଇଥର ଏହି ସଫଳତା ହାସଲ କରିଥିବା ଏକମାତ୍ର ବ୍ୟାଟର।