ଜୟପୁର: ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଧାର ବ୍ୟାଟିଂ। ୨୨୦ ରନର ବିଶାଳ ସ୍କୋର କରି ବି ଶୋଚନୀୟ ଭାବେ ହାରିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ। ନିଜ ପାଇଁ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ଲେ ଆଶା ଉଜ୍ଜିବୀତ ରଖି ପାରିଛି। ଲକ୍ଷ୍ନୌ ନବମ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ମିଚେଲ୍ ମାର୍ଶଙ୍କ ୯୬ ରନ ଓ ଜୋଶ ଇଂଲିଶଙ୍କ ୬୦ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୨୦ ରନ କରିଥିଲା। ଜବାବରେ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ୯୩ ରନ ବଳରେ ରାଜସ୍ଥାନ ୧୯.୧ ଓଭରରେ ମ୍ୟାଚକୁ ସହଜରେ ୭ ଓ୍ଵିକେଟରେ ଜିତି ନେଇଛି।। ଆଜିର ମ୍ୟାଚ୍ ରାଜସ୍ଥାନର ଘରୋଇ ଗ୍ରାଉଣ୍ଡ ଜୟପୁରର ସଓ୍ଵାଇ ମାନସିଂ ଷ୍ଟାଡିୟମରେ ଖେଳା ଯାଇଛି। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି 'କର ବା ମର' ମ୍ୟାଚ୍‌କୁ ଜିତି ରାଜସ୍ଥାନ ଏବେ ଟୁର୍ଣ୍ଣାମେଣ୍ଟରେ ସୁଦୃଢ଼ ସ୍ଥିତିକୁ ଫେରିଛି।

୨୨୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନର ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ଓ ବୈଭବ ସୂର୍ଯ୍ୟବଂଶୀ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଓପନିଂରେ ୭୫ ରନ ଯୋଡ଼ି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଜୟସ୍ଵାଲ ୨୩ ବଲରୁ ୪୩ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଅନ୍ୟପଟେ ବୈଭବ ଆହୁରି ଉଗ୍ର ହୋଇ ଉଠିଥିଲେ। ସେ ପଡ଼ିଆର ଚାରିପଟେ ଛକା ଓ ଚୌକା ବର୍ଷା କରି ଚାଲିଥିଲେ। ତାଙ୍କର ବିସ୍ଫୋରକ ବ୍ୟାଟିଂ ଆଗରେ ବିବଶ ନଜର ଆସିଥିଲେ ଲକ୍ଷ୍ନୌ ବୋଲର।

Also Read: ଭାରତୀୟ ଟେଷ୍ଟ ଦଳର ଉପ-ଅଧିନାୟକ ପଦରୁ କାହିଁକି ବାଦ୍ ପଡ଼ିଲେ ଋଷଭ ପନ୍ତ? ସ୍ପଷ୍ଟ କଲେ ଅଜିତ ଅଗରକର

ବୈଭବ ଓ ଧ୍ରୁବ ଜୁରେଲ ୨ୟ ଓ୍ଵିକେଟ୍ ପାଇଁ ୪୫ ବଲରୁ ୧୦୫ ରନ ଯୋଡ଼ି ମ୍ୟାଚକୁ ଏକତରଫା କରିଥିଲେ। ୨୩ ବଲରୁ ଅର୍ଦ୍ଧଶତକ ହାସଲ କରିଥିବା ବୈଭବ ୩୮ ବଲରୁ ୭ ଚୌକା ଓ ୧୦ ଛକା ସହ ୯୩ ରନର ଇନିଂସ ଖେଳିଥିଲେ। ହେଲେ ୭ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ଏହା ପରେ ବାକି ଔପଚାରିକତା ପୂରଣ କରିଥିଲେ ଧ୍ରୁବ ଜୁରେଲ। ସେ ୫୩ ରନର ଅପରାଜିତ ଇନିଂସ ଖେଳିଥିଲେ। ୧୯.୧ ଓଭରରେ ୩ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି ରାଜସ୍ଥାନ। ରାଜସ୍ଥାନ ପକ୍ଷରୁ ୟଶରାଜ ପୁଞ୍ଜା ୩୫ ରନ ଦେଇ  ୨ଟି ଓ୍ଵିକେଟ୍ ନେଇଥିଲେ। 

ପ୍ଲେ-ଅଫ୍ ଦୌଡ଼ରେ ରହିଲା ରାଜସ୍ଥାନ

ଲକ୍ଷ୍ନୌ ସୁପର ଜାଏଣ୍ଟସ ପୂର୍ବରୁ ହିଁ ପ୍ଲେ-ଅଫ୍ ରେସରୁ ବାଦ୍ ପଡ଼ିସାରିଥିବା ବେଳେ ରାଜସ୍ଥାନ ପାଇଁ ଏହି ମ୍ୟାଚ୍ ଜିତିବା ନିହାତି ଜରୁରୀ ଥିଲା। ଯଦି ଆଜି ଦଳ ହାରିଥାନ୍ତା, ତେବେ ପ୍ଲେ-ଅଫ୍ ଟିକେଟ୍ ପାଇଁ ଅନ୍ୟ ଦଳର ସମୀକରଣ ଉପରେ ନିର୍ଭର କରିବାକୁ ପଡ଼ିଥାନ୍ତା। କିନ୍ତୁ ଏହି ବିଶାଳ ବିଜୟ ସହ ସଞ୍ଜୁ ସାମସନଙ୍କ ଦଳ ନିଜ ଦମରେ ପ୍ଲେ-ଅଫ୍ ଆଡ଼କୁ ଆଉ ଏକ ମଜବୁତ ପାଦ ବଢ଼ାଇଛି।