RCB vs LSG: ବୋଲରଙ୍କ ଘାତକ ବୋଲିଂ ପରେ ବ୍ୟାଟରଙ୍କ କମାଲ। ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଧମାକାଦାର ବିଜୟ ହାସଲ କରିଛି। ଆଇପିଏଲର ୨୨ତମ ମ୍ୟାଚରେ ଆରସିବି ଏଲସଜିକୁ ୫ ଓ୍ଵିକେଟରେ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଏଲଏସଜି ୧୪୬ ରନ କରିଥିଲା। ଜବାବରେ ଆରସିବି ୫ ଓ୍ଵିକେଟ୍ ହରାଇ ୨୯ଟି ବଲ୍ ପୂର୍ବରୁ ମ୍ୟାଚକୁ ସହଜରେ ଜିତି ନେଇଛି। ବିରାଟ କୋହଲି ସର୍ବାଧିକ ୪୯ ରନ କରିଥିବା ବେଳେ ବାକି ବ୍ୟାଟର ଉପଯୋଗୀ ରନ କରିଛନ୍ତି। ଆରସିବି ପଞ୍ଚମ ମ୍ୟାଚରୁ ଚତୁର୍ଥ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି। ଅନ୍ୟପଟେ ଲକ୍ଷ୍ନୌ ତୃତୀୟ ପରାଜୟ ଭୋଗିଛି।

୧୪୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଆରସିବିକୁ ୯ ରନ ସ୍କୋରେ ପ୍ରଥମ ଝଟକା ଲାଗିଥିଲା। ଫିଲ୍ ସଲ୍ଟ(୭ ରନ) ନିଜର ଖରାପ ଫର୍ମ ବଜାୟ ରଖି ପାଭିଲିୟନ ଫେରିଥିଲେ। ଦେବଦତ୍ତ ପାଡିକଲ ୧୦ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ବିରାଟ କୋହଲି ୩୪ ବରଲୁ ୬ ଚୌକା ଓ ୧ ଛକା ସହ ୪୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ମଧ୍ୟକ୍ରମରେ ଅଧିନାୟକ ରଜତ ପାଟିଦାର ଓ ଜିତେଶ ଶର୍ମା ଧୂଆଁଧାର ବ୍ୟାଟିଂ କରି ମ୍ୟାଚକୁ ସଂପୂର୍ଣ୍ଣ ଏକତରଫା କରି ଦେଇଥିଲେ। ପାଟିଦାର ୧୩ ବଲରୁ ୨୩ ରନ ଓ ଜିତେଶ ୯ ବଲରୁ ୨୩ ରନ କରିଥିଲେ। ଟିମ୍ ଡେଭିଡ ୧୪ ରନ ଓ ରୋମାରିଓ ଶେଫାର୍ଡ ୧୪ ରନ ଅପରାଜିତ ରହି ଦଳକୁ ଜିତାଇଛନ୍ତି। ବେଙ୍ଗାଲୁରୁ ୧୫.୧ ଓଭରରେ ୫ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। 

LSG ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଏଲଏସଜିର ଆରମ୍ଭ ସେତେ ଆଶାନୁରୂପ ନ ଥିଲା। ଆଡନ ମାରକ୍ରମ ୧୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ଋଷଭ ପନ୍ତ(୧ ରନ) ଓ ନିକୋଲାସ ପୂରନ(୧ ରନ) ନିଜର ଖରାପ ଫର୍ମ ବଜାୟ ରଖି ଦଳକୁ ନିରାଶ କରିଥିଲେ। ମିଚେଲ୍ ମାର୍ଶ ୪୦ ରନ କରି ଆଉଟ୍ ହୋଇଥିଲେ। ଆୟୁଷ ବାଦୋନି ୨୪ ବଲରୁ ୩୮ ରନର ଉପଯୋଗୀ ରନ କରିଛନ୍ତି। ନିମ୍ନକ୍ରମରେ ମୁକୁଲ ଚୌଧୁରୀ ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟପଟୁ କେହି ସହଯୋଗ କରି ନ ଥିଲେ। ଫଳରେ ଏଲଏସଜି ୧୪୬ ରନ କରି ପାରିଛି।

ମୁକୁଲ ଚୌଧୁରୀ ୩୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ବୋଲିଂରେ ରଶିଖ ସଲାମ ଡାର ୪ ଓଭରରେ ୨୪ ରନ ଓ ଭୁବନେଶ୍ଵର କୁମାର ସମାନ ୪ ଓଭରରେ ୨୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଦୁଇ ବୋଲର ଘାତକ ବୋଲିଂ କରି ଏଲଏସଜିକୁ ବଡ଼ ସ୍କୋର କରିବାକୁ ଦେଇ ନାହାନ୍ତି।